ETV Bharat / politics

ବିଧାନସଭା ନିର୍ବାଚନ 2024: କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ନା ପୁଣି ବିଜେଡି ?

author img

By ETV Bharat Odisha Team

Published : Mar 2, 2024, 10:34 PM IST

Assembly Election 2024: ଆଗାମୀ ନିର୍ବାଚନକୁ ନେଇ କଟକ- ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । 2009ରେ ଗଠନ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀ ଆରମ୍ଭରୁ ଶାସକ ବିଜେଡି କବ୍‌ଜାରେ ରହିଥିବାବେଳେ ଏଥର ଜୋରଦାର ଲଢ଼େଇ ପାଇଁ ପ୍ରସ୍ତୁତ ବିରୋଧି ଦଳ । ଅଧିକ ପଢ଼ନ୍ତୁ

ବିଧାନସଭା ନିର୍ବାଚନ 2024
ବିଧାନସଭା ନିର୍ବାଚନ 2024

ବିଧାନସଭା ନିର୍ବାଚନ 2024

କଟକ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ- ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । 2009ରେ ଏହି ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ ଏହା ଶାସକ ଦଳ ହାତରେ ରହିଛି । ଏଥର ମଧ୍ୟ ଏହି ରେସ୍‌ରେ ବିଜେଡି ହିଁ ଆଗୁଆ ଥିବାପରି ମନେ ହେଉଛି । ପରିବର୍ତ୍ତନର ନାରା ଦେଉଥିବା ବିଜେପି ଏବଂ 9ରୁ 90 ମିଶନରେ ଥିବା କଂଗ୍ରେସ ଏଠାରେ ସେଭଳି ଆକ୍ଟିଭ ନାହାନ୍ତି । ତେଣୁ ଏଥର କାହା ସପକ୍ଷରେ ଯିବ ଏହି ଚର୍ଚ୍ଚିତ ନିର୍ବହାଚନ ମଣ୍ଡଳୀ ? କାହା କାହା ମଧ୍ୟରେ ହେବ ଟକ୍କର ? ବିଜେଡିରୁ ଏଥର କିଏ ଲଢ଼ିବ ? ବିଜେପି ଆଉ କଂଗ୍ରେସର ସ୍ଥିତି କଣ ହେବ ? ବିଜେଡି ପାଇଁ ଏଥର କଣ ରହିବ ଚାଲେଞ୍ଜ ? ଶାସକ ଦଳକୁ କିଏ ଦେବ ଟକ୍କର ? ଏଭଳି ତମାମ ପ୍ରଶ୍ନ ମଧ୍ୟରେ ନଜର ପକାନ୍ତୁ କଟକ- ଚୌଦ୍ବାର ନିର୍ବାଚନ ମଣ୍ଡଳୀର ସାମ୍ପ୍ରତିକ ରାଜନୈତିକ ପାଣିପାଗ ଉପରେ...

ବିଧାନସଭା ନିର୍ବାଚନ 2024
ବିଧାନସଭା ନିର୍ବାଚନ 2024

ଶାସକ ଦଳ କବ୍‌ଜାରେ ଆରମ୍ଭରୁ ଚୌଦ୍ବାର: 147ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । 2009ରୁ ଗଠନ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ଶାସକ ଦଳର ପାର୍ଥୀ ହିଁ ବିଜୟୀ ହୋଇ ଆସୁଛନ୍ତି । 2009 ମସିହାରେ ଏଠାରେ ପ୍ରଥମ ଥର ନିର୍ବାଚନ ହୋଇଥିବାବେଳେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରଭାତ ରଞ୍ଜନ ବିଶ୍ବାଳ ଶାସକ ଦଳର ପାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେହି ସମୟରେ ଏହି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପାର୍ଥୀ ଦୀପକ କୁମାର ବାରିକ ଦ୍ବିତୀୟ ସ୍ଥାନରେ ରହିଥିଲେ । ବିଜେପି ତୃତୀୟ ଓ କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଥିଲା । ସେହିଭଳି 2014ରେ ଏହି ଆସନରୁ ପ୍ରଭାତ ବିଶ୍ବାଳ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ଏଥର ଦ୍ବିତୀୟରେ ରହିଥିଲେ କଂଗ୍ରେସ ପାର୍ଥୀ ସୁରେଶ କୁମାର ମହାପାତ୍ର । ସେହିଭଳି ବିଜେପିର ନୟନ କିଶୋର ମହାନ୍ତି ତୃତୀୟ ସ୍ଥାନରେ ରହିଥିଲେ । 2019ରେ ପ୍ରଭାତ ଏହି ଆସନ ନିଜ ପୁଅ ସୌଭିକ ବିଶ୍ବାଳଙ୍କ ପାଇଁ ଛାଡ଼ିଥିଲେ । ସୌଭିକ ବିଜୟୀ ମଧ୍ୟ ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଗତ ନିର୍ବାଚନରେ ବିଜେପି ଏହି ଆସନରୁ 32 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା ଏବଂ କଂଗ୍ରେସ ମାତ୍ର 5 ପ୍ରତିଶତ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ନିର୍ବାଚନ 2024; କାହାର ହେବ ନୂଆପଡା, କିଏ ମାରିବେ ବାଜି ?

'ଚୌଦ୍ବାରରେ ବିଜେଡି-ବିଜେପି ଫାଇଟ୍‌': ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତ କହିଛନ୍ତି, "ଗତ ନିର୍ବାଚନରେ ବିଜେଡିର ଭୋଟ ହାର ପୂର୍ବ ଅପେକ୍ଷା କମିଛି ଏବଂ ବିଜେପିର ଭୋଟ ହାର ବୃଦ୍ଧି ପାଇଛି । ସମାନ ଭାବରେ କଂଗ୍ରେସର ଭୋଟ ହାର ବହୁ ପରିମାଣରେ କମିଯାଇଛି । ଲୋକଙ୍କ ପାଖରେ ବିଭିନ୍ନ ସମୟରେ ଛିଡ଼ା ହୋଇ ନିଜର ସଂଗଠନକୁ ଶକ୍ତିଶାଳୀ କରି ରଖିବାରେ ପ୍ରଭାତ ବିଶ୍ବାଳ ଓ ତାଙ୍କ ପୁଅ ସୌଭିକ୍‌ ବିଶ୍ବାଳ ଏକପ୍ରକାର ସଫଳ ହୋଇଛନ୍ତି । ତେଣୁ ଏହି ନିର୍ବାଚନ ମଣ୍ଡଳୀ ଏଥର ମଧ୍ୟ ବିଜେଡି ସପକ୍ଷରେ ଯାଇପାରେ । ହେଲେ ବିଜେପିକୁ ମଧ୍ୟ ହାଲୁକା ଭାବରେ ନେବା ଅନୁଚିତ । କାରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଛି ।" କିନ୍ତୁ କଂଗ୍ରେସର ସ୍ଥିତି ଏଠାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ସେ କହିଛନ୍ତି ।

'ଚୌଦ୍ବାରର ଅନେକ ଉନ୍ନତି ହୋଇଛି': 2019ରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ପ୍ରଭାତ ବିଶ୍ବାଳ । ଗତଥର ଭଳି ଏଥର ମଧ୍ୟ ବିଜେଡିରୁ ପ୍ରଭାତଙ୍କ ପୁଅ ସୈଭିକ୍‌ ବିଶ୍ବାଳ ପୁନର୍ବାର ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ହେଲେ ଗତ ସିଏମ୍‌ସି ନିର୍ବାଚନରେ କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀକୁ ବିଜେଡି ପାଇଁ ଅନେକ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଥିଲା । ଭୋଟ ବ୍ୟବଧାନ ବି କମିଥିଲା । ତେବେ ଏଥର ଆଉ ସେହି ସମସ୍ୟା ହେବ ନାହିଁ ବୋଲି ବିଧାୟକ ସୈଭିକ୍‌ କହିଛନ୍ତି । ସେ କହିଛନ୍ତି, "ଏହି ନିର୍ବାଚନ ମଣ୍ଡଳୀକୁ ଅନେକ ନୂତନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି । ତାଳଦଣ୍ଡା କେନାଲଠାରୁ ନୂତନ ହସ୍ପିଟାଲ, ରାସ୍ତାଘାଟ ଆଦି ଅନେକ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଛି । ସେହିପରି ବଡ଼ କଥା ହେଉଛି OTMକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା, ତାହାର ବି ସମାଧାନ ହୋଇଛି । OTMର ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାର ଘୋଷଣା କରିବା ସହ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଯାହା ବେଶ ସହାୟକ ହେବ ।" ତେବେ କିଏ ପ୍ରାର୍ଥୀ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସୌଭିକ୍‌ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ନିର୍ବାଚନ 2024; କାହାର ହେବ ବ୍ରହ୍ମଗିରି, କିଏ ମାରିବେ ବାଜି ?

'ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ': ସେପଟେ ଯଦିଓ କଟକ- ଚୌଦ୍ବାରକୁ ନେଇ ସିଧାସଳଖ କିଛି କହିନାହାନ୍ତି, ହେଲେ ନିର୍ବାଚନ ପାଇଁ ବିଜେପି ତାର ରଣନୀତି ଅନୁଯାୟୀ କାର୍ଯ୍ୟ କରୁଥିବା କହିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା । ତାଙ୍କ କହିବା କଥା, "ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । କେନ୍ଦ୍ର ସମେତ ରାଜ୍ୟ ନେତୃତ୍ବ ମଧ୍ୟ ସବୁ ପ୍ରକାର ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । ତେବେ ସବୁ ରାଜନୈତିକ ଦଳ ମଧ୍ୟରେ କିଛି ମନାନ୍ତର ରହିଥାଏ । ସେ ସବୁକୁ ସମାଧାନ କରିବା ଦିଗରେ ମଧ୍ୟ କାର୍ଯ୍ୟ ହେଉଛି ।"

ବିଗତ ନିର୍ବାଚନ ଫଳାଫଳ:

2019 ନିର୍ବାଚନ ଫଳାଫଳ: ଚିଟ୍‌ଫଣ୍ଡ ଭଳି ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିବା ପରେ 2019 ନିର୍ବାଚନରେ ପ୍ରଭାତ ବିଶ୍ବାଳ ନିଜେ ନିର୍ବାଚନ ନଲଢ଼ି ନିଜ ପୁଅ ସୌଭିକ୍‌ ବିଶ୍ବାଳଙ୍କ ପାଇଁ ଏହି ଆସନ ଛାଡ଼ିଥିଲେ । ତେବେ ସୌଭିକ୍‌ ମଧ୍ୟ ଏଠାରେ ବିଜେଡିର ବିଜୟ ବାନା ଉଡ଼ାଇବାରେ ସକ୍ଷମ ହୋଇଥିଲେ । ସେ 64,686 ଭୋଟ ପାଇ ବିଜୟୀ ହୋଇଥିଲେ । ଦ୍ବିତୀୟରେ ଥିବା ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି 43,102 ଭୋଟ ପାଇଥିବାବେଳେ ତୃତୀୟରେ ଥିବା ସ୍ବାଧିନ ପ୍ରାର୍ଥୀ ଦୀପକ କୁମାର ବାରିକ 14,652 ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଜଗଦୀଶ ଚନ୍ଦ୍ର ମହାନ୍ତି 6,761 ଭୋଟ ପାଇ 4ର୍ଥ ସ୍ଥାନକୁ ଖସି ଯାଇଥିଲେ ।

2014 ନିର୍ବାଚନ ଫଳାଫଳ: 2014ରେ ଏଠାରୁ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ପ୍ରଭାତ ରଞ୍ଜନ ବିଶ୍ବାଳ । ଏହି ନିର୍ବାଚନରେ ସେ 70,880 ଭୋଟ ପାଇ ଏକତରଫା ବିଜୟ ହାସଲ କରିଥିଲେ । ସେପଟେ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ର 29,495 ଭୋଟ ପାଇ ଦ୍ବିତୀୟରେ ରହିଥିବାବେଳେ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି 24, 651 ଭୋଟ ସହ ତୃତୀୟରେ ରହିଥିଲେ ।

2009 ନିର୍ବାଚନ ଫଳାଫଳ: 2009ରେ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ପ୍ରଥମ ଥର ପାଇଁ ଏଠାରେ ବିଜେଡିର ବିଜୟ ବାନା ଉଡ଼ାଇଥିଲେ ଦଳର ହେଭିୱେଟ୍‌ ପ୍ରଭାତ ବିଶ୍ବାଳ । ସେ ଏହି ନିର୍ବାଚନରେ 58,495 ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ସ୍ବାଧୀନ ପ୍ରାର୍ଥୀ ଦୀପକ କୁମାର ବାରିକଙ୍କୁ 32,777 ଭୋଟ ବ୍ୟବଧାନରେ ହରାଇଥିଲେ । ଦୀପକଙ୍କୁ ଏହି ନିର୍ବାଚନରେ 25,718 ଭୋଟ ମିଳିଥିଲା । ବିଜେପିକୁ 8,988 ଓ କଂଗ୍ରେସ ପ୍ରାର୍ଥୀଙ୍କୁ 8,498 ଭୋଟ ମିଳିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.