ETV Bharat / opinion

'ମଜାଳିଆ ଓ ଧୂରୀଣ ରାଜନେତା ମନୋହର ଯୋଶୀଙ୍କୁ ମୁଁ ଦେଖିଛି'

author img

By ETV Bharat Odisha Team

Published : Feb 24, 2024, 11:52 AM IST

'ମଜାଳିଆ ଓ ଧୂରୀଣ ରାଜନେତା ଯୋଶୀଙ୍କୁ ମୁଁ ଦେଖିଛି'
'ମଜାଳିଆ ଓ ଧୂରୀଣ ରାଜନେତା ଯୋଶୀଙ୍କୁ ମୁଁ ଦେଖିଛି'

Witty And Intellectual Manohar Joshi: ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଦେହାନ୍ତ ହୋଇଛି । ଇଟିଭି ଭାରତର ସଚିନ ପରବ ଯିଏ ଯୋଶୀଙ୍କୁ ୨୫ ବର୍ଷ ହେଲା ଜାଣିଥିଲେ, ନିଜର ଅନୁଭବରୁ ଭେଟେରାନ ରାଜନେତା ଯୋଶୀଙ୍କ ଜୀବନ ଯାତ୍ରା ଓ ତାଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ଉଲ୍ଲେଖ କରି ପୁରୁଣା ସ୍ମୃତି ତାଜା କରିଛନ୍ତି ।

ମୁମ୍ବାଇ: ପୂର୍ବତନ ଲୋକସଭା ବାଚସ୍ପତି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି । କଟ୍ଟର 'ଶିବ ସୈନିକ' ଯୋଶୀ ଶିବସେନା ପ୍ରତିଷ୍ଠାତା ସ୍ବର୍ଗତ ବାଲାସାହେବ ଠାକ୍‌ରେଙ୍କ ଖୁବ୍ ଘନିଷ୍ଠ ଥିଲେ । ତାଙ୍କୁ ରାଜନୀତିର ଚାଣକ୍ୟ କୁହାଯାଉଥିଲା । ଗତ ବୁଧବାର ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ହୃଦଘାତରେ ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଇହଧାମ ତ୍ୟାଗ କରିଛନ୍ତି ।

ମଜାଳିଆ ଏବଂ ଜ୍ଞାନୀ: ମନୋହର ଯୋଶୀ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ, ଯାହାଙ୍କୁ ମୁଁ ମୋର ସାମ୍ବାଦିକତା ଯାତ୍ରା ଆରମ୍ଭ ପରେ ଦେଖିଥିଲି । ତାଙ୍କର ବୌଦ୍ଧିକ ନୀତି ଏବଂ ଯାହାବି ହେଉ ଅପରାହ୍ନରେ ଘଣ୍ଟାଏ ଶୋଇବା ଅଭ୍ୟାସର ଅନେକ କାହାଣୀ ଶୁଣିଥିଲି । ମୁଁ ଯୋଶୀ ସାର୍‌ଙ୍କୁ ଦେଖିଥିଲି, ଯିଏ ଥରେ ଅତି ବିନମ୍ର ଭାବରେ କହିଥିଲେ, ସେ କେବେ ବାଲାସାହେବଙ୍କ ପରିହାସ ଶୁଣିନାହାନ୍ତି । ମୁଁ ସବୁବେଳେ ନିଜ ଭିତରେ ତାଙ୍କର ପ୍ରତିଭା, ସମୟାନୁବର୍ତ୍ତିତା, ବୁଦ୍ଧି ପ୍ରତି ସମ୍ମାନ ଅନୁଭବ କରୁଥିଲି । ଅନେକ ଥର ତାଙ୍କର ସାକ୍ଷାତକାର(ଇଣ୍ଟରଭ୍ୟୁ) ନେବାର ସୁଯୋଗ ମୋତେ ମିଳିଥିଲା । ତାଙ୍କ ସହ ଇଣ୍ଟରଭ୍ୟୁରୁ ଆମେ ସବୁବେଳେ କିଛି ନା କିଛି ରୋଚକ ଏସକ୍ଲୁସିଭ ସୂଚନା ପାଇଥାଉ । ସେ ସାଧାରଣ ନେତାଙ୍କ ଶୈଳୀ 'ଏହା ଏମିତି ହିଁ', 'ମୁଁ ଆପଣଙ୍କୁ କହୁଛି' ଇତ୍ୟାଦି ଶବ୍ଦର ବ୍ୟବହାର ବିନା ସିଧା ସିଧା ଉତ୍ତର ରଖିଥାନ୍ତି । କୌଣସି ଜଟିଳ ପ୍ରସଙ୍ଗରେ କହିବା ସମୟରେ ତାଙ୍କର ଉଚ୍ଚକୋଟୀର ବୁଦ୍ଧି, କୂଟନୀତି, ସ୍ପଷ୍ଟତା, ବାକ୍‌ ଚାତୁରୀ ସ୍ପଷ୍ଟ ଭାବେ ଝଲସିଥାଏ ।

୨୦୦୦ ମସିହାରେ ମହାରାଷ୍ଟ୍ର ଅମରବାତୀରେ ଶିବସେନା ଶିଖର ସମ୍ମିଳନୀର କଥା । ମନୋହର ଯୋଶୀ ଫୁଲ୍ ଜୋସ୍‌ରେ ନିଜର ବକ୍ତବ୍ୟ ରଖୁଥାନ୍ତି ଏବଂ ବିରୋଧୀଙ୍କ ଉପରେ ୨୦୦ କୋଟି ଦୁର୍ନୀତିର ଆରୋପ ଲଗାଉଥାନ୍ତି । ଏହି ସମୟରେ ପାଖରେ ବସିଥିବା ଶିବସେନା ନେତା ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଯୋଶୀଙ୍କୁ ଚାରି ଆଙ୍ଗୁଳି ଦେଖାଇଥିଲେ, ଅର୍ଥାତ୍ ୨୦୦ ନୁହେଁ ୪୦୦ ବୋଲି । ଏହା ଉପରେ ଯୋଶୀ ମଜାଳିଆ ଢଙ୍ଗରେ କହିଥିଲେ, ଆମ ରାଣେ ଭାରି ସ୍ମାର୍ଟ । ମୋତେ ଜଣାନାହିଁ ସେ କେତେବେଳେ ୨୦୦ କିମ୍ବା ୪୦୦ କରିବେ । ତାଙ୍କର ଏହି କଥାରେ ସାରା ଶ୍ରୋତା ମୁଣ୍ଡଳୀ ହସି ହସି ବେଦମ ହୋଇଥିଲେ ।

ଯୋଶୀ ସାରଙ୍କ ମଜାଳିଆ ସ୍ୱଭାବର ଆଉ ଗୋଟିଏ ଘଟଣା ହେଉଛି, ସେ ଲୋକସଭା ବାଚସ୍ପତି ଥିବାବେଳେ ଥରେ ମୁଁ ତାଙ୍କର ଲାଇଭ ଇଣ୍ଟରଭ୍ୟୁ ନେଉଥିଲି । କାର୍ଯ୍ୟକ୍ରମର ଫର୍ମାଟ ଥିଲା, ମୁଁ ସାକ୍ଷାତକର୍ତ୍ତା (interviewer) ଓ ମନୋହର ଯୋଶୀ ଅତିଥି ଥିଲେ ଏବଂ ଆଙ୍କର(ଉପସ୍ଥାପକ) ଦିଲ୍ଲୀ ଷ୍ଟୁଡିଓରେ ବସି ଦର୍ଶକଙ୍କ ତରଫରୁ ପ୍ରଶ୍ନ କରୁଥିଲେ । ଏହି ସମୟରେ ଷ୍ଟୁଡିଓରେ ବହୁତ କୋଳାହଳ ହେଉଥିଲା, ଯେଉଁଥିପାଇଁ ଆଙ୍କର ପଚାରୁଥିବା ପ୍ରଶ୍ନ ଠିକ ଭାବରେ ଯୋଶୀ ଶୁଣିପାରି ନଥିଲେ । ଆଙ୍କର ପ୍ରଶ୍ନ ରିପିଟ୍ କରିବାରୁ ଯୋଶୀ ଥଟ୍ଟାଳିକା ଅନ୍ଦାଜରେ ତାଙ୍କୁ କହିଥିଲେ, ତମ ପଟୁ ଏମିତି କୋଳାହଳ ଶୁଣାଯାଉଛି ଯେ ଗୋଟିଏ ମୁହୂର୍ତ୍ତରେ ମୋତେ ଲାଗିଲା ଯେମିତି ମୁଁ ଟିଭି ଷ୍ଟୁଡିଓରେ ନାହିଁ ବରଂ ଲୋକସଭାରେ ବସିଛି । ଯୋଶୀଙ୍କ ଏହି କଥାରେ ଦର୍ଶକମାନେ ହସି ପକାଇଥିଲେ ।

କଞ୍ଜୁସ ନଥିଲେ, ମିତବ୍ୟୟୀ ଥିଲେ ଯୋଶୀ: ରାୟଗଡ ଜିଲ୍ଲାର ଏକ ଗରୀବ ବ୍ରାହ୍ମଣ ପରିବାରରେ ଜନ୍ମିତ ମନୋହର ଯୋଶୀ ମିତବ୍ୟୟୀ (କମ୍ ଖର୍ଚ୍ଚ କରୁଥିବା ବ୍ୟକ୍ତି) ଥିଲେ । ତାହାର କିଛି ଦୃଷ୍ଟାନ୍ତ ଯେମିତିକି, ଯୋଶୀ ସାଂସଦ ଥିବାବେଳେ ଥରେ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନ ନବରାତ୍ରି ଚାନ୍ଦା ପାଇଁ ତାଙ୍କର ଦାଦର ଅଫିସକୁ ଯାଇଥିଲେ । ସେ ସମସ୍ତଙ୍କୁ ହସ ହସ ମୁହଁରେ ସ୍ବାଗତ କରି ସେମାନଙ୍କ ଆସିବାର ଅଭିପ୍ରାୟ ପଚାରିଥିଲେ । ସେମାନେ ନବରାତ୍ରି ଚାନ୍ଦା ପାଇଁ ଆସିଥିବା ଶୁଣି ଯୋଶୀ କହିଥିଲେ, ''ମୁଁ କେମିତି ଚାନ୍ଦା ନଦେବାକୁ ମନା କରିପାରିବି ? ମୁଁ ଗତ ବର୍ଷଠାରୁ ଏଥର ଅଧିକ ଚାନ୍ଦା ଦେବି । ଏକଥା ଶୁଣି ସଂଗଠନ ସଦସ୍ୟମାନେ ଖୁସି ହୋଇଯାଇଥିଲେ । ଏହାପରେ ଯୋଶୀ ଚେକରେ ସଂଖ୍ୟା ଲେଖି କହିଥିଲେ, ମୁଁ ଗତବର୍ଷ ୧,୦୦୧ ଟଙ୍କା ଦେଇଥିଲି । ଏଥର ୧,୦୧୧ ଟଙ୍କାର ସବସ୍କ୍ରିପସନ ଦେଉଛି । ଏହାପରେ ଚେକଟିକୁ ବଢାଇ ଦେଇଥିଲେ ।''

ବେଳେବେଳେ ଯୋଶୀଙ୍କ ମିତବ୍ୟୟୀ ସ୍ବଭାବକୁ ପ୍ରଶଂସା କରାଯାଏ । ଥରେ ମନୋହର ଯୋଶୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଜଣେ ବିଧାୟକଙ୍କ ଦ୍ବାରା ନିର୍ମିତ ସ୍କୁଲର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ତାଙ୍କୁ ସମ୍ମାନ ପୂର୍ବକ ଫୁଲମାଳ ପିନ୍ଧା ଯାଇଥିଲା । କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଯୋଶୀ ସେହି ମାଳଗୁଡିକୁ ତାଙ୍କର କାର୍‌ରେ ରଖିବାକୁ କହିଥିଲେ । କାରଣ ପଚାରିବାରୁ ସେ କହିଥିଲି, ''ମୁଁ ଏବେ ଆଉ ଗୋଟିଏ କାର୍ଯ୍ୟକ୍ରମକୁ ଯାଉଛି । ସେହି କାର୍ଯ୍ୟକ୍ରମର ଆୟୋଜକଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ତେଣୁ ତାଙ୍କୁ ମୁଁ ଫୁଲମାଳରେ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ମନା କରିଥିଲି । ଏବେ ଏହି ମାଳାଗୁଡିକ ନେଇ ମୁଁ ତାଙ୍କୁ ଦେଇଦେବି ।'' କେତେଟା ନେତା ବା ଆୟୋଜକଙ୍କ ବିଷୟରେ ଏମିତି ଚିନ୍ତା କରିବେ ?

ସ୍ପଷ୍ଟବାଦୀ ମନୋହର ଯୋଶୀ: ଯୋଶୀ ହୃଦୟରୁ ଗଣତନ୍ତ୍ର ନାମ୍ନୀ ଇଶ୍ବରର ପୂଜାରୀ ଥିଲେ । ନଗରସେବକ, ମୁମ୍ବାଇ ମେୟର, ବିଧାୟକ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ସାଂସଦ, ଲୋକସଭା ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ଭାବେ ନିଜର ପଦପଦବୀ ସହ ସବୁବେଳେ ଉଚିତ୍ ନ୍ୟାୟ କରିଥିଲେ । ସେ ବାଲାସାହେବ ଠାକେରଙ୍କୁ ଖୁବ୍ ସମ୍ମାନ କରୁଥିଲେ ଏବଂ ଅନେକ ସମୟରେ ନିଜ ବକ୍ତବ୍ୟରେ ତାଙ୍କ ପ୍ରତି କୃତଜ୍ଞତା ଜଣାଉଥିଲେ । ଥରେ ଗୋଟିଏ ଇଣ୍ଟରଭ୍ୟୁରେ ଯୋଶୀଙ୍କୁ ଏହା ଉପରେ ପଚରାଗଲା, ''ଆପଣଙ୍କୁ କିଛି ପଦବୀ ଅନ୍ୟମାନଙ୍କ ଅପେକ୍ଷା ଆଗୁଆ ମିଳିବା ଉଚିତ୍ ଥିଲା, ହେଲେ ବିଳମ୍ବରେ ମିଳିଲା । ସେତେବେଳେ ଆପଣଙ୍କୁ କେମିତି ଲାଗିଥିଲା ?

ଏହି ପ୍ରଶ୍ନରେ ଯୋଶୀ କହିଥିଲେ, ''ମୋତ ରାଗ ଆସିଥିଲା, ମୁଁ ଉତ୍ତେଜିତ ହୋଇଥିଲି । ହେଲେ ପରେ ମୋତ ବାବା ସିରିଡି ସାଇଙ୍କ ଗୋଟିଏ ଶିକ୍ଷା ମନେ ପଡିଗଲା- ଧୈର୍ଯ୍ୟ ରଖ । ତା'ପରେ ମୁଁ ଭାବିଲି ହୁଏତ ତାଙ୍କୁ ମୋ ଠାରୁ କେହି ଯୋଗ୍ୟ ବ୍ୟକ୍ତି ମିଳିଥିବେ । ଏମିତି ସ୍ଥିତିରେ ମୋତେ ଧୈର୍ଯ୍ୟ ରଖିବା ଦରକାର । ମୁଁ ଧୈର୍ଯ୍ୟ ରଖିଥିଲି ଏବଂ ପରେ ସବୁ ଶୀର୍ଷ ପଦପଦବୀ ମୋ ପାଖକୁ ଆସିଥିଲା ।'' ବୋଧହୁଏ ଏମିତି କ୍ବଚିତ୍ ରାଜନେତା ଥିବେ, ଯିଏକି କୌଣସି ପଦ ନମିଳିବା ନେଇ ନିଜର ଅସନ୍ତୋଷ ଏପରି ଖୋଲାଖୋଲି ଜାହିର୍ କରିଥିବେ ।

କାହାକୁ ନା କୁହନି: ମୁଖ୍ୟମନ୍ତ୍ରୀ ଥିବାବେଳେ ଥରେ ଦେଶର ଜଣେ ବଡ଼ ନେତା ମନୋହର ଯୋଶୀଙ୍କୁ କିଛି କାମ କରିବାକୁ କହିଥିଲେ । ଅବଶ୍ୟ ସେହି କାମ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସ୍ବାର୍ଥ ସମ୍ବଳିତ ଥିଲା । ଯୋଶୀ ସାର୍ ସେହି ନେତାଙ୍କୁ ଆଶ୍ବସନା ଦେଇଥିଲେ, ଆପଣଙ୍କ କାମ ହୋଇଯିବ, କିନ୍ତୁ ସେ କାମ ଯେମିତି ନ ହୋଇପାରିବ ସେ (ଯୋଶୀ) ସୁନିଶ୍ଚିତ କରିଥିଲେ । ଅର୍ଥାତ୍ ସେ ସେହି ପ୍ରଭାବଶାଳୀ ରାଜନେତାଙ୍କୁ ମନା କରି ତାଙ୍କର ଆକ୍ରୋଶର ଶିକାର ନହୋଇ ନିଜ କୂଟନୀତିର ବ୍ୟବହାର କରିଥିଲେ ।

ଯୋଶୀଙ୍କୁ ରାଜନୀତିର ଚାଣକ୍ୟ କୁହାଯାଏ । ତାଙ୍କର ବୁଦ୍ଧିମତା, ସ୍ମୃତିଶକ୍ତି, ସ୍ପଷ୍ଟବାଦୀ ସ୍ବଭାବର ପୁରା ଦିଲ୍ଲୀରେ ପ୍ରଶଂସା କରାଯାଏ । ସେ ସମସ୍ତଙ୍କୁ ସହ ମିତ୍ରତା ବଜାୟ ରଖୁଥିଲେ । ଯେଉଁଥିପାଇଁ ବିଜେପି ଶିବସେନାକୁ ସୁଯୋଗ ଦେଇଥିଲା ଏବଂ ତତ୍କାଳୀନ ଲୋକସଭା ବାଚସ୍ପତି ଜିଏମସି ବାଲଯୋଗୀଙ୍କ ନିଧନ ପରେ ଶିବସେନା ନେତା ମନୋହର ଯୋଶୀଙ୍କୁ ବାଚସ୍ପତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.