ETV Bharat / opinion

ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ଚୀନ ନାଗରିକ ! ପୂର୍ବରୁ ବି ହୋଇଛି ବଡ ବଡ ଆକ୍ରମଣ - Attacks On Chinese Nationals

author img

By ETV Bharat Odisha Team

Published : Mar 27, 2024, 9:02 AM IST

ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ଚୀନ ନାଗରିକ
ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ଚୀନ ନାଗରିକ

Major Attacks On Chinese Nationals: ପାକିସ୍ତାନ ମାଟିରେ ବାରମ୍ବାର ଚୀନ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । କେତେବେଳେ ଆତ୍ମଘାତୀ ବିସ୍ଫୋରଣରେ ଚୀନ ଇଞ୍ଜିନିୟର ତ ଆଉ କେତେବେଳେ ଶ୍ରମିକମାନେ ଆଖି ବୁଜିଛନ୍ତି । ଗତକାଲି ପୁଣି ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ଜାଣନ୍ତୁ ଅତୀତରେ ସେଭଳି କିଛି ଆକ୍ରମଣ ସମ୍ପର୍କରେ

ହାଇଦ୍ରାବାଦ: ପାକିସ୍ତାନର ପଖତୁନଖ୍ବାରେ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ଏହି ଆକ୍ରମଣ ପ୍ରଥମ ଥର ନୁହେଁ, ଅତୀତରେ ଏଭଳି ଅନେକ ବଡ଼ ବଡ଼ ଆକ୍ରମଣର ନଜିର ରହିଛି । ପାକିସ୍ତାନ ଭିତରେ ବାରମ୍ବାର ଚୀନ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । କେତେବେଳେ ଆତ୍ମଘାତୀ ବିସ୍ଫୋରଣରେ ଚୀନ ଇଞ୍ଜିନିୟର ତ ଆଉ କେତେବେଳେ ଶ୍ରମିକମାନେ ଆଖି ବୁଜିଛନ୍ତି । ଏସବୁ ଆକ୍ରମଣ ପଛର କାରଣ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ବୋଲି କୁହାଯାଇପାରେ ।

ଚୀନ CPEC ଅଧୀନରେ ପାକିସ୍ତାନର ଖଣିଜ ସମୃଦ୍ଧ ପ୍ରଦେଶ ବେଲୁଚିସ୍ତାନରେ ଅନେକ ଗୁଡିଏ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ଏବଂ ଏହାର ସୁରକ୍ଷା ଦେଉଛି ପାକିସ୍ତାନ ସେନା । ଅନ୍ୟପଟେ ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ବାଧୀନତା ପାଇଁ ସଂଘର୍ଷ କରୁଥିବା ସ୍ଥାନୀୟ ନାଗରିକମାନେ CPECର ଦୃଢ ବିରୋଧ କରୁଛନ୍ତି । ଯାହାଫଳରେ ଅନେକ ସମୟରେ ଆତଙ୍କୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି ଚୀନ ନାଗରିକଙ୍କ ଉପରେ ଆକ୍ରମଣ କରୁଛି ।

ପାକିସ୍ତାନରେ ଚୀନ ନାଗରିକଙ୍କୁ ଆକ୍ରମଣର କିଛି ଘଟଣା:

୨୦.୦୩.୨୦୨୪ରେ ପାକିସ୍ତାନର ଗ୍ବାଦର ବନ୍ଦରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ବନ୍ଦର ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ବେଲୁଚିସ୍ତାନ ଲିବରେସନ ଆର୍ମିର ଆତଙ୍କୀମାନେ ବନ୍ଦରରେ ଆଖିବୁଜା ଗୁଳିଗୋଳା ମାଡ ସହ ବୋମା ବିସ୍ଫୋରଣ କରିଥିଲେ । ପାକ୍ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୭ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ୨୦୨୩ ଅଗଷ୍ଟ ୧୩ରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ ଇଞ୍ଜିନିୟରଙ୍କ କନଭୟ ଉପରେ ଆକ୍ରମଣ ହୋଇଥିଲା । ଆତଙ୍କୀଙ୍କ ସହ ଗୁଳି ବିନିମୟରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ଏବଂ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏଥିରେ କୌଣସି ଚୀନ ନାଗରିକ ମୃତାହତ ହୋଇନଥିଲେ ।

୨୬ ଏପ୍ରିଲ ୨୦୨୨ରେ କରାଚିରେ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ୩ ଜଣ ଚୀନ ଶିକ୍ଷକଙ୍କୁ ହତ୍ୟା କରିଥିଲା । ସେହିପରି ୨୦୨୧ ଜୁଲାଇ ୧୪ ତାରିଖରେ ଚୀନ ଶ୍ରମିକଙ୍କ ନେଇ ଯାଉଥିବା ଏକ ବସ୍‌ରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣ ଚୀନ ନାଗରିକଙ୍କ ବ୍ୟତୀତ ଆଉ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୨୦୨୦ ଜୁନ ୨୯ରେ ଏହି ଆକ୍ରମଣ ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କରିଥିଲା ।

୨୦୧୯ରେ ଗ୍ବାଦର ସ୍ଥିତ ପର୍ଲ କଣ୍ଟିନେଣ୍ଟାଲ ହୋଟେଲରେ ଚୀନ ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଥିଲା । ୨୦୧୮ ନଭେମ୍ବରରେ ୩ ଜଣ ବନ୍ଧୁକଧାରୀ କରାଚିରେ ଥିବା ଚୀନ ଦୂତାବସରେ ପଶି ଗୁଳିମାଡ କରିଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ପୋଲିସ କର୍ମୀଙ୍କ ସମେତ ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିଲେ । ଏହି ଆକ୍ରମଣ ମଧ୍ୟ ବେଲୁଚି ଆତଙ୍କବାଦୀ କରିଥିଲେ ।

୨୦୧୮ ଅଗଷ୍ଟରେ ବେଲୁଚିସ୍ତାନର ଦଲବନ୍ଦିନ ଅଞ୍ଚଳରେ ଚୀନ ଶ୍ରମିକଙ୍କୁ ଟାର୍ଗେଟ କରି ପ୍ରଥମ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ ଅତିକମରେ ୩ ଜଣ ଇଞ୍ଜିନିୟର ଆହତ ହୋଇଥିଲେ । ଜଣେ ୨୨ ବର୍ଷୀୟ ଯୁବକ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିଲା, ଯିଏକି ବେଲୁଚିସ୍ତାନ ଲିବରେସନ ଆର୍ମି(BLA) କମାଣ୍ଡର ଅସଲାମ ବାଲୁଚର ପୁଅ ଥିଲା ।

୨୦୧୮ ଫେବୃଆରୀରେ ପାକିସ୍ତାନର ଆର୍ଥିକ ହବ୍ କରାଚିରେ ଚୀନ ସିପିଂ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ଟାର୍ଗେଟ କିଲିଂ ଥିବା ପୋଲିସ କହିଥିଲା । ୨୦୦୭ ମେ'ରେ ଦୁଇ ଚୀନ ନାଗରିକଙ୍କୁ ଅପହରଣ ପରେ କ୍ବେଟାରେ ହତ୍ୟା କରାଯାଇଥିଲା ।

୨୦୦୭ ଜୁଲାଇରେ ପେଶାୱାର ନିକଟରେ କିଛି ଅଜ୍ଞାତ ବନ୍ଧୁକଧାରୀ ୩ ଚୀନ ଶ୍ରମିକଙ୍କୁ ହତ୍ୟା କରିଥିଲେ । ଏହା ଆତଙ୍କବାଦୀ ଆକ୍ରମଣ ଥିବା ପାକିସ୍ତାନ କହିଥିଲା । ସେହିପରି ୨୦୦୬ ଫେବୃଆରୀରେ ପାକିସ୍ତାନର ଏକ ସିମେଣ୍ଟ ଫ୍ୟାକ୍ଟିରେ କାର୍ଯ୍ୟରତ ଥିବା ୩ ଜଣ ଇଞ୍ଜିନିୟରଙ୍କୁ ଗୁଳି କରାଯାଇଥିଲା ।

୨୦୦୪ ମେ'ରେ ବେଲୁଚିସ୍ତାନ ଲିବରେସନ ଆର୍ମିର ଆତ୍ମଘାତୀ ବିସ୍ଫୋରଣରେ ୩ ଚୀନ ନାଗରିକଙ୍କ ଜୀବନ ଯାଇଥିଲା । ମୃତକମାନେ ଗ୍ବାଦର ପୋର୍ଟ ପ୍ରୋଜେକ୍ଟରେ ନିୟୋଜିତ ଥିଲେ । ପାକିସ୍ତାନ ଭିତରେ ଚୀନ ନାଗରିକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ଥିଲା ।

୨୦୦୬ ଏପ୍ରିଲ ୧୧ରେ କରାଚିରେ ସୁନି ମୁସଲମାନଙ୍କ ପ୍ରାର୍ଥନା ସଭାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୫୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୭ ଅକ୍ଟୋବର ୧୮ ତାରିଖରେ କରାଚିରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନାଜିର ଭୁଟ୍ଟୋଙ୍କୁ ଟାର୍ଗେଟ କରି ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୩୯ ଜଣ ଲୋକ ପ୍ରାଣ ହରାଇଥିଲେ ।

୨୦୧୦ ନଭେମ୍ବର ୫ରେ ଏକ ମସଜିଦରେ ଶୁକ୍ରବାର ପ୍ରାର୍ଥନା ବେଳେ ଆଉ ଆତ୍ମଘାତୀ ବିସ୍ଫୋରଣ ଘଟି ୬୮ ଜଣ ମୁସଲିମ ଶ୍ରଦ୍ଧାଙ୍କୁ ମୃତ୍ୟୁ ହୋଇଥିଲା । ସେହିଦିନ ଆଉ ଏକ ମସଜିଦରେ ଗ୍ରେନେଡ ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିଲେ । ୨୦୨୩ ସେପ୍ଟେମ୍ବର ୨୯ରେ ଦୁଇଟି ବିସ୍ଫୋରଣରେ ଡର୍ଜନରୁ ଅଧିକ ପାକିସ୍ତାନଙ୍କ ଜୀବନ ଯାଇଥିଲା । ଏମିତି ଅନେକ ସମୟରେ ଆତଙ୍କୀ ଆକ୍ରମଣରେ ରକ୍ତରଞ୍ଜିତ ହେଉଛି ପାକିସ୍ତାନ । ବିଶେଷକରି ବେଲୁଚିସ୍ତାନରେ ଅଧିକ ଆକ୍ରମଣ ଘଟଣା ସାମ୍ନାକୁ ସୁଛି ।

ବେଲୁଚିସ୍ତାନ ପାକିସ୍ତାନର ଏକ ଖଣିଜ ସମୃଦ୍ଧ ପ୍ରଦେଶ । ଏଠାରେ କପର, ସୁନା, ପ୍ରାକୃତିକ ଗ୍ୟାସ ଏବଂ କୋଇଲା ଭଳି ଖଣିଜ ସମ୍ବଳ ଭରପୁର ମାତ୍ରାରେ ଗଚ୍ଛିତ ଥିବାରୁ ଏହା ଉପରେ ଚୀନର ଲୋଲୁପ ଦୃଷ୍ଟ ରହିଛି । ୨୦୧୫ରେ ଚୀନ ବେଲୁଚିସ୍ତାନରେ CPEC (ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର)ର ଘୋଷଣା କରିଥିଲା । CPEC ଚୀନର ମହତ୍ତ୍ବକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଏକ ଅଂଶ । CPEC ଅଧିନରେ ଚୀନ ପାକିସ୍ତାନରେ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଏହି ଅର୍ଥନୈତିକ କରିଡର ଚୀନର ଶିନଜିଆଙ୍ଗ ପ୍ରଦେଶକୁ ଗ୍ବାଦର ପୋର୍ଟ ସହ ସଂଯୋଗ କରୁଛି ।

ବେଲୁଚିସ୍ତାନରେ ଚୀନ ୬୦ ବିଲିୟନ ଡଲାରର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରୁଛି । ନିର୍ମାଣ ସ୍ଥଳର ସୁରକ୍ଷା ପାଇଁ ପାକିସ୍ତାନର ହଜାର ହଜାର ଯବାନ ମୁତୟନ ହୋଇଛନ୍ତି । ଚୀନ ନିଜର ଦବଦବା ବଢାଇବାକୁ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ଯୋଜନା ଅନ୍ତର୍ଗତ CPEC ଅଧୀନରେ ରାସ୍ତାଘାଟ ନିର୍ମାଣ, ରେଳ ଏବଂ ତୈଳ ପାଇପଲାଇନ ପ୍ରକଳ୍ପ ପାଇଁ ଯୋଜନା କରୁଛି । କିନ୍ତୁ ବେଲୁଚ ନାଗରିକ ଆରମ୍ଭରୁ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ତୀବ୍ର ବିରୋଧ କରିଆସୁଛନ୍ତି । ଏହା ସେମାନଙ୍କ ସମ୍ବଳର ଶୋଷଣ ବୋଲି ଭାବୁଛନ୍ତି । ଯେଉଁଥିପାଇଁ ଏଠାରେ ବିଦ୍ରୋହ ଲାଗି ରହିଛି ଏବଂ ଚୀନ ସେନା ସେମାନଙ୍କର ଦମନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.