ETV Bharat / international

ଋଷ ଅଧିକୃତ ଡୋନେଟସ୍କରେ ୟୁକ୍ରେନର ଆକ୍ରମଣ ! 27ରୁ ଊର୍ଦ୍ଧ୍ୱ ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Jan 22, 2024, 7:28 AM IST

Attack on Donetsk: ଋଷ ଅଧିକୃତ ଡୋନେଟ୍‌ସ୍କ୍‌ରେ ବିସ୍ଫୋରଣ ।ଏଥିରେ 27ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

ଋଷ ଅଧିକୃତ ଡୋନେଟ୍‌ସ୍କ୍‌ରେ ୟୁକ୍ରେନର ଆକ୍ରମଣ
ଋଷ ଅଧିକୃତ ଡୋନେଟ୍‌ସ୍କ୍‌ରେ ୟୁକ୍ରେନର ଆକ୍ରମଣ

ଡୋନେଟ୍‌ସ୍କ୍: ଋଷ ଅଧିକୃତ ଡୋନେଟ୍‌ସ୍କ୍‌ରେ ଭୟଙ୍କର ବିସ୍ଫୋରଣ । ରବିବାର ଦିନ ଡୋନେଟ୍‌ସ୍କ୍‌ରେ ଏକ ବଜାରରେ ଜନ ଗହଳୀପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଓ ଗୁଳିବର୍ଷା ହୋଇଛି । ଏଥିରେ 27ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରମଣ ୟୁକ୍ରେନ ପକ୍ଷରୁ କରାଯାଇଥିବା ଋଷ ପକ୍ଷରୁ ଦାବି କରାଯାଉଥିବା ବେଳେ ୟୁକ୍ରେନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇନାହିଁ ।

ମସ୍କୋ ଦ୍ୱାରା ଡୋନେଟ୍‌ସ୍କ୍‌ରେ ନିଯୁକ୍ତ ଜଣେ ଅଧିକାରୀ ଡେନିସ ପୁସିଲିନ୍ ଏହି ଆକ୍ରମଣ ପାଇଁ ୟୁକ୍ରେନ ମିଲିଟାରୀକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଡ୍ରୋନ ସହାୟତାରେ ୟୁକ୍ରେନ ମିଲିଟାରୀ ବୋମା ଓ ଗୁଳିମାଡ କରିଛନ୍ତି । ଫଳରେ ବଜାରରେ ଅନେକ ଘର ଧ୍ୱଂସ ପାଇଯାଇଛି । ଏହି ଆକ୍ରମଣକୁ ନିନ୍ଦା କରିବା ସହ ସୋମବାର ଦିନ ଦିନିକିଆ ଶୋକ ଦିବସ ପାଳନ କରିବା ପାଇଁ ଘୋଷଣା କରିଛନ୍ତି ।

ଋଷ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଡୋନେଟ୍‌ସ୍କ୍‌ରେ କିଭ ପକ୍ଷରୁ ହୋଇଥିବା ଏହି ଆତଙ୍କୀ ଆକ୍ରମଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଦେଶରେ ଶାନ୍ତି ରକ୍ଷା କରିବା ପାଇଁ ତଥା କୁଟନୈତିକ ଉପାୟରେ ବିବାଦର ସମାଧାନ କରିବା ଦିଗରେ କିଭ ପ୍ରଶାସନର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି ।

ଏହାମଧ୍ୟ ପଢନ୍ତୁ.. ଆମେରିକା ଏୟାରବେସ ଉପରେ ମିସାଇଲ ଷ୍ଟ୍ରାଇକ୍, ଏକାଧିକ ଆହତ

ଅନ୍ୟପଟେ ୟୁକ୍ରେନ ପକ୍ଷରୁ ଆକ୍ରମଣ ନେଇ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍‌ସ୍କି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ତେବେ ଏହି ବାର୍ତ୍ତାରେ ଡୋନେଟ୍‌ସ୍କ୍‌ରେ ହୋଇଥିବା ଆକ୍ରମଣ ବିଷୟରେ ପ୍ରତ୍ୟକ୍ଷ ଭାବେ କୌଣସି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଋଷ ଆକ୍ରମଣ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଋଷ ୟୁକ୍ରେନରେ ଗୋଟିଏ ଦିନରେ 100ଟି ସହର, ଗାଁ ଓ 9ଟି ଅଞ୍ଚଳ ଉପରେ ଆକ୍ରମଣ କରିଥିଲା । ତେବେ ଡୋନେଟ୍‌ସ୍କ୍‌ରେ ହୋଇଥିବା ଆକ୍ରମଣ ବେଶ ଗୁରୁତର ବୋଲି କହିଛନ୍ତି ।

ଅନ୍ୟପଟେ ରବିବାର ଦିନ ଋଷର ଲେନିନଗ୍ରାଡ ଅଞ୍ଚଳରେ ଥିବା ଉଷ୍ଟ-ଲୁଗା ବନ୍ଦରରେ ଥିବା କେମିକାଲ ଟ୍ରାନ୍ସପୋର୍ଟ ଟର୍ମିନାଲରେ 2ଟି ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଟର୍ମିନାଲ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ଏହା ହେଉଛି ଋଷର ଦ୍ୱିତୀୟ ସର୍ବବୃହତ ପ୍ରାକୃତିକ ଗ୍ୟାସ ଉତ୍ପାଦକ ନୋଭାଟେକର ଏକ ପ୍ରମୁଖ ଟର୍ମିନାଲ । ତେବେ ଏଥିରେ ମୃତାହତ ନେଇ କୌଣସି ଖବର ଏବେସୁଦ୍ଧା ମିଳିନାହିଁ । ସମଗ୍ର ଅଞ୍ଚଳରେ ଏନେଇ ହାଇଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ଋଷର ଜରୁରୀକାଳୀନ ମନ୍ତ୍ରାଳୟ ଓ ସ୍ଥାନୀୟ ଫାୟାର ଫାଇଟର୍ସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.