ETV Bharat / health

9ରୁ 14 ବର୍ଷର ବାଳିକାଙ୍କୁ ଦିଆଯିବ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟିକା, ଜାଣନ୍ତୁ ରୋଗର କାରଣ-ନିରାକରଣ

author img

By ETV Bharat Odisha Team

Published : Feb 2, 2024, 7:18 PM IST

ଗର୍ଭାଶୟ କର୍କଟ
Cervical Cancer

Cervical Cancer: ଗର୍ଭାଶୟ କର୍କଟରେ ଆଖି ବୁଜିଛନ୍ତି ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେ । ତେବେ ଜାଣନ୍ତୁ କଣ ଏହି କର୍କଟ ଏବଂ ଏହାର ଲକ୍ଷଣ

ହାଇଦ୍ରାବାଦ: ସର୍ଭାଇକଲ କ୍ୟାନ୍ସରକୁ ଗର୍ଭାଶୟ ବା ଜରାୟୁ କର୍କଟ କୁହାଯାଏ । ଭାରତରେ ଗର୍ଭାଶୟ କର୍କଟ ଉଦବେଗଜନକ ସ୍ଥିତିରେ ରହିଛି। ସର୍ଭାଇକଲ କ୍ୟାନସର ତଥା ଗର୍ଭାଶୟ କର୍କଟ ମହିଳାମାନଙ୍କଠାରେ ଏକ ଗୁରୁତର ସମସ୍ୟା ଭାବରେ ଦେଖାଯାଏ । କେବଳ ଭାରତ ନୁହେଁ, ବିଶ୍ୱର ବହୁ ସଂଖ୍ୟକ ମହିଳା ଏହାର ଶିକାର ହୁଅନ୍ତି । ଏହି କାରଣରୁ ପ୍ରତିବର୍ଷ ଲକ୍ଷାଧିକ ମହିଳା ପ୍ରାଣ ହରାଉଛନ୍ତି । ଗତକାଲି(ଗୁରୁବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଥିବା ବେଳେ 9ରୁ 14 ବର୍ଷର ବାଳିକାଙ୍କୁ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟିକା ଦିଆଯିବା ନେଇ ଘୋଷଣା କରିଥିଲେ । ଏହାରି ଭିତରେ ଆଜି ଗର୍ଭାଶୟ କର୍କଟରେ ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗର୍ଭାଶୟ କର୍କଟ ବିଷୟରେ ସମସ୍ତ ମହିଳା ଅବଗତ ହେବା ଆବଶ୍ୟକ ।

ଗର୍ଭାଶୟ କର୍କଟ କାହିଁକି ହୁଏ ? - ଗର୍ଭାଶୟ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଙ୍ଘାତିକ କର୍କଟ ପ୍ରକାର, ଯାହାକି ବିଶ୍ୱର ମହିଳାମାନଙ୍କ ମଧ୍ୟରେ ଚତୁର୍ଥ ସର୍ବାଧିକ କର୍କଟ । ଅନ୍ୟପକ୍ଷରେ, ଯଦି ଆମେ ଭାରତ ବିଷୟରେ କହିବା, ତେବେ ଏହା ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସାଧାରଣ କର୍କଟ ଅଟେ । ଗର୍ଭାଶୟର କର୍କଟ ପ୍ରଥମେ ଗର୍ଭାଶୟର କୋଷଗୁଡ଼ିକରେ ବୃଦ୍ଧିପାଏ । ଗର୍ଭାଶୟ ଯୋନୀ ସହ ସଂଯୁକ୍ତ ଥାଏ । ଏହି ସଂକ୍ରମଣ ଏକ ୱାର୍ଟ ଆକାରରେ ଆରମ୍ଭ ହୁଏ ଯାହା ପରେ କର୍କଟ କୋଷରେ ପରିଣତ ହେବାକୁ ଲାଗେ ମହିଳାଙ୍କ ଗର୍ଭାଶୟ ବା ଜରାୟୁରେ ଗର୍ଭାଶୟ କର୍କଟ ହୁଏ ଏବଂ ଏଥିପାଇଁ ମୁଖ୍ୟତଃ କେତେକ ପ୍ରକାରର ହ୍ୟୁମାନ୍ ପାପିଲୋମା ଭାଇରସ୍(HPV) ଦାୟୀ ବୋଲି ବିବେଚନା କରାଯାଏ ।

ବାସ୍ତବରେ, HPV ଏକ ଯୌନ ସଂକ୍ରମିତ ଭୂତାଣୁ ଏବଂ ସାଧାରଣତଃ ସଂକ୍ରମଣ ହେତୁ ଏହାର ତୀବ୍ର ଲକ୍ଷଣ ଶୀଘ୍ର ଦେଖାଯାଏ ନାହିଁ । ବିଳମ୍ବରେ ଲକ୍ଷଣ ହେତୁ ଏହା ଶୀଘ୍ର ବ୍ୟାପି ଯାଇଥାଏ । ଏହି କର୍କଟ ହେବା ପରେ ଅନ୍ୟ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ । ଗର୍ଭାଶୟ କର୍କଟ ପାଇଁ କେବଳ କିଛି ପ୍ରକାରର HPV ଦାୟୀ, କିନ୍ତୁ ପ୍ରାରମ୍ଭରେ ସଂପୃକ୍ତ ଭୂତାଣୁ ପ୍ରଭାବରେ ଆସିବା ପରେ ଅନ୍ୟ କେତେକ କାରଣ ଅଛି, ଯାହା କର୍କଟ ରୋଗର ଆଶଙ୍କା ବଢାଇଥାଏ । ଏଥିମଧ୍ୟରୁ ଏକ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଏକ ପ୍ରମୁଖ କାରଣ ହୋଇଥାଏ । ଉଦାହରଣ ସ୍ୱରୂପ, HPV ସଂସ୍ପର୍ଶରେ ଆସିବା ପରେ ମଧ୍ୟ ସାଧାରଣ ପ୍ରତିରକ୍ଷା ପ୍ରଣାଳୀ ଥିବା ମହିଳାମାନଙ୍କ ମଧ୍ୟରେ ଗର୍ଭାଶୟ କର୍କଟ ରୋଗର ବିକାଶ ପାଇଁ 15ରୁ 20 ବର୍ଷ ଲାଗେ, କିନ୍ତୁ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ମହିଳାମାନଙ୍କଠାରେ ଏହି କର୍କଟ ମାତ୍ର 5ରୁ 10 ବର୍ଷ ମଧ୍ୟରେ ବ୍ୟାପିପାରେ ।

ଏହା ମଧ୍ୟ ପଢନ୍ତୁ: ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ

ଲକ୍ଷଣ: ଗର୍ଭାଶୟ କର୍କଟ ରୋଗୀଙ୍କ କ୍ଷେତ୍ରରେ ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏ ନାହିଁ । ଫଳରେ ପ୍ରଥମ ଷ୍ଟେଜରେ ରୋଗ ଚିହ୍ନିବା କଷ୍ଟକର ହୋଇଥାଏ । ଯୌନାଙ୍ଗରୁ ଅସ୍ବାଭାବିକ ରକ୍ତସ୍ରାବ ହେବା, ଅଧିକ ରକ୍ତସ୍ରାବ, ଯୌନାଙ୍ଗରୁ ଦୁର୍ଗନ୍ଧ, ଯୋନୀରେ ଗୋଟାଳିଆ ଲାଗିବା, ତଳିପେଟରେ ଯନ୍ତ୍ରଣା ମଧ୍ୟ ଜରାୟୁ କର୍କଟର ଲକ୍ଷଣ ହୋଇଥାଏ । କେତେକ କ୍ଷେତ୍ରରେ ପରିସ୍ରା କରିବା ସମୟରେ ଅସୁବିଧା ହେବା, ଗୋଡହାତ ଫୁଲିଯିବା ଭଳି ଲକ୍ଷଣ ଦେଖାଯାଇଥାଏ ।

ଗର୍ଭାଶୟ କର୍କଟ ପ୍ରତିରୋଧୀ ଟିକା: 9ରୁ 14 ବର୍ଷର ବାଳିକାଙ୍କୁ ଦିଆଯିବ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟିକା ଦିଆଯିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ତଥ୍ୟ ଅନୁସାରେ, ଲିଭ୍-ଇନ୍-ରିଲେସିନ୍‌ସିପ୍ କାରଣରୁ ଏକାଧିକ ଯୌନ ସମ୍ପର୍କ ସ୍ଥାପନ ବୃଦ୍ଧି ଘଟୁଛି । ଫଳରେ ମହିଳାମାନଙ୍କ ଜରାୟୁ କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟ ଦେଶରେ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯୌନ ସମ୍ପର୍କକୁ ଆସିବା ପୂର୍ବରୁ 9ରୁ 14 ବର୍ଷ ବୟସର ଝିଅମାନଙ୍କୁ ଟିକା ଦିଆଯିବା ଦ୍ବାରା ସେମାନଙ୍କ କ୍ଷେତ୍ରରେ ଗର୍ଭାଶୟ କର୍କଟ ବିସ୍ତାର ରୋକିବାରେ 99% ସଫଳତା ପାଇପାରିବେ । ଏହି ଟିକାକୁ ମାତ୍ ଦେବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ HPV(ହ୍ୟୁମାନ୍ ପାପିଲୋମଭାଇରସ୍ ଭ୍ୟାକ୍ସିନ୍) ଟିକା ପ୍ରସ୍ତୁତ କରିଛି ।

କେବଳ ଗର୍ଭାଶୟ ନୁହେଁ ବରଂ ଭଲଭର୍ କିମ୍ବା ଅନ୍ୟାନ୍ୟ ଯୌନାଙ୍ଗ ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗକୁ ରୋକିବାରେ HPV ଟିକା ଉପକାରୀ ବୋଲି ବିବେଚନା କରାଯାଏ । ତେବେ ଅପରେସନ, ରେଡିଏସନ ଥେରାପି, କେମୋଥେରାପି, ହରମୋନ ଥେରାପି, ଟାରଗେଟେଡ ଥେରାପି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ । ତଥ୍ୟ ଅନୁସାରେ, ରୋଗ ଚିହ୍ନଟ ହେବା ପରେ 80 ପ୍ରତିଶତ ରୋଗୀ 5 ବର୍ଷରୁ ଅଧିକ ବର୍ଷ ବଞ୍ଚିବାର ସମ୍ଭାବନା ଅଧିକ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.