ETV Bharat / entertainment

ହୃଦଘାତରେ ଆଖିବୁଜିଲେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସଙ୍ଗୀତ ଶିବନ - Sangeeth Sivan Passes Away

author img

By ETV Bharat Odisha Team

Published : May 9, 2024, 10:03 AM IST

Updated : May 9, 2024, 10:31 AM IST

ହୃଦଘାତରେ ଆଖି ବୁଜିଲେ ଲୋକପ୍ରିୟ ନିର୍ଦ୍ଦେଶକ ସଙ୍ଗୀତ ଶିବନ
ହୃଦଘାତରେ ଆଖି ବୁଜିଲେ ଲୋକପ୍ରିୟ ନିର୍ଦ୍ଦେଶକ ସଙ୍ଗୀତ ଶିବନ ((Photo: IANS/ETV Bharat Odisha))

Sangeeth Sivan Passes Away: ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ମାଲାୟାଲମ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ନିର୍ଦ୍ଦେଶକ ସଙ୍ଗୀତ ଶିବନଙ୍କ ଦେହାନ୍ତ ହୋଇଛି । ୬୫ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଛନ୍ତି ନିର୍ଦ୍ଦେଶକ । ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦୁନିଆକୁ ଅଲବିଦା କହିଛନ୍ତି ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ଅନେକ ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ସଂଗୀତ ଶିବନ । ୬୫ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଭାଇ ତଥା ସିନେମାଟୋଗ୍ରାଫର ସନ୍ତୋଷ ଶିବନ ସଙ୍ଗୀତଙ୍କ ଦେହାନ୍ତ ଖବରର ସୂଚନା ଦେଇଛନ୍ତି । ସନ୍ତୋଷ କହିଛନ୍ତି ଯେ, ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ବୁଧବାର (ଏପ୍ରିଲ ୭) ହୃଦଘାତର ଶିକାର ହୋଇଥିଲେ ସଙ୍ଗୀତ ଶିବନ । ଯାହାପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି (ଗୁରୁବାର ଦିନ) ମୁମ୍ବାଇରେ ଓଶିୱାରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ତେବେ ସଂଗୀତ ଶିବନଙ୍କ ଦେହାନ୍ତ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିବା ବେଳେ ରିତେଶ ଦେଶମୁଖ ଏବଂ ତୁଷାର ଭଳି ତାରକା ଦୁଃଖପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରିତେଶ ଦେଶମୁଖ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ସଙ୍ଗୀତ ଶିବନ ସାରଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ଏବଂ ମୋତେ ଚକିତ କରିଛି । ଆଜି ମୋର ହୃଦୟ ଭାଙ୍ଗି ଯାଇଛି । ସେ ପ୍ରକୃତରେ ଜଣେ ଭଲ ମଣିଷ ଥିଲେ । ତାଙ୍କୁ 'କ୍ୟା କୁଲ ହେ ହମ୍', 'ଅପନା ସପ୍ନା ମନି ମନି' ପାଇଁ ଯେତେ ଧନ୍ୟବାଦ ଜଣାଇବି ସେତେ କମ ହେବ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ତାଙ୍କର ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି ।''

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ 'ଟାଇଟନିକ' ଫେମ ଅଭିନେତା ବର୍ଣ୍ଣାଡ ହିଲ

ସଂଗୀତ ଶିବନଙ୍କ କ୍ୟାରିଅର

ସଙ୍ଗୀତ ଶିବନ ଫଟୋଗ୍ରାଫର ତଥା ସିନେମାଟୋଗ୍ରାଫର ଶିବନଙ୍କ ବଡ଼ ପୁଅ ଏବଂ ସଞ୍ଜୀବ ଶିବନ ଏବଂ ସନ୍ତୋଷ ଶିବନଙ୍କ ଭାଇ ଥିଲେ । ସେ ୧୯୯୦ରେ ରଘୁବରଣ ଏବଂ ଉର୍ବଶୀଙ୍କ ଅଭିନୀତ ମାଲାୟାଲମ୍ ଚଳଚ୍ଚିତ୍ର 'ଭ୍ୟୁହମ' ସହ ତାଙ୍କର ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିଥିଲେ । ମୁଖ୍ୟତଃ ସଙ୍ଗୀତ ଯୋଦ୍ଧା, ଗନ୍ଧବରମ ଏବଂ ନିର୍ଣ୍ଣୟମ ଭଳି ମାଲାୟାଲମ ସିନେମାରେ ନିର୍ଦ୍ଦେଶନା ଦେଇଥିବା ବେଳେ ଶିବନ ହିନ୍ଦୀ ସିନେମାରେ 'କ୍ୟା କୁଲ ହେ ହମ୍', 'ଅପନା ସପ୍ନା ମନି ମନି' ଏବଂ 'ୟାମଲା ପଗଲା ଦିୱାନା ୨' ଭଳି ହିଟ ଚଳଚ୍ଚିତ୍ର ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ନିର୍ଦ୍ଦେଶନା ଏବଂ ସିନେମାଟୋଗ୍ରାଫି ବ୍ୟତୀତ କିଛି ଚଳଚ୍ଚିତ୍ରର ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି ।

Last Updated :May 9, 2024, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.