ETV Bharat / bharat

ଉତ୍ତର ପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ: ଦୁଇ ବିଜେପି ବିଧାୟକଙ୍କ ସମେତ 4 ନୂଆ ମନ୍ତ୍ରୀ ନେଲେ ଶପଥ

author img

By ETV Bharat Odisha Team

Published : Mar 5, 2024, 7:38 PM IST

ଉତ୍ତର ପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ: ଦୁଇ ବିଜେପି ସହ 4 ନୂଆ ମନ୍ତ୍ରୀ ନେଲେ ଶପଥ
ଉତ୍ତର ପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ: ଦୁଇ ବିଜେପି ସହ 4 ନୂଆ ମନ୍ତ୍ରୀ ନେଲେ ଶପଥ

UP Cabinet Expansion: ଯୋଗୀ କ୍ୟାବିନେଟରେ ସାମିଲ ହେଲେ 4 ମନ୍ତ୍ରୀ । ଦୁଇ ବିଜେପି ଓ ଅନ୍ୟ ଦୁଇ SBSP ଓ RLD ବିଧାୟକ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶରେ ଯୋଗୀ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି । ଆଜି 4ନୂଆ ମନ୍ତ୍ରୀଙ୍କୁ ଯୋଗୀ ସରକାରରେ ଦାୟିତ୍ବ ମିଳିଛି । ମୁଖ୍ୟ ଶାସକ ଦଳ ଭାରତୀୟ ଜନତା ପାର୍ଟିରୁ ଦୁଇ ମନ୍ତ୍ରୀ ଥିବା ବେଳେ ଅନ୍ୟ ଦୁଇ ମନ୍ତ୍ରୀ ପଦ ‘ଏସବିଏସପି’ ଓ ‘ଆରଏଲଡି’ ଖାତାକୁ ଯାଇଛି । ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏହି ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ମନ୍ତ୍ରୀ ଭାବେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ମୁଖ୍ୟ ଓମପ୍ରକାଶ ରାଜଭାରଙ୍କ ସମେତ ଚାରିଜଣ ନୂତନ ବିଧାୟକ ଶପଥ ନେଇଛନ୍ତି । ଏହି କ୍ୟାବିନେଟ ବିସ୍ତାରରେ ଆରଏଲଡି ବିଧାୟକ ଅନୀଲ କୁମାର ମଧ୍ୟ ମନ୍ତ୍ରୀ ପଦ ପାଇଛନ୍ତି । ମାର୍ଚ୍ଚ ୨ ତାରିଖରେ ‘ଆରଏଲଡି’ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ଯୋଗ ଦେଇଥିଲା । ସେହିପରି ଦୁଇ ବିଜେପି ନେତାଙ୍କ ମଧ୍ୟରେ ଦାରା ସିଂ ଚୌହାନ ଏବଂ ସୁନୀଲ କୁମାର ଶର୍ମା ମଧ୍ୟ ରାଜ୍ୟ କ୍ୟାବିନେଟରେ ପ୍ରବେଶ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ କ୍ୟାବିନେଟର ଚାରି ଜଣ ନୂତନ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

SBSP, ସମାଜବାଦୀ ପାର୍ଟି (ଏସପି) ସହଯୋଗରେ 2022 ରାଜ୍ୟ ବିଧାନସଭା ନିର୍ବାଚନରେ ​​ଲଢିଥିଲା । କିନ୍ତୁ ପରେ ଉଭୟ ଦଳ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା । ଉତ୍ତର ପ୍ରଦେଶ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏସବିଏସପି ମୁଖ୍ୟ ଓମପ୍ରକାଶ ରାଜଭାର କହିଛନ୍ତି, ‘‘ଆମେ ଗରିବଙ୍କ ସେବା କରିବାର ଲକ୍ଷ୍ୟ ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ । ସେହି ଲକ୍ଷ୍ୟ ପୂରଣ କରିବା ପାଇଁ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ 7 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଦଙ୍ଗା ହୋଇନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରିଛି ।’’

ଏହା ମଧ୍ଯ ପଢନ୍ତୁ :- ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ଜଷ୍ଟିସ ଅଭିଜତ ଗଙ୍ଗୋପାଧ୍ୟାୟ, 7ରେ BJPରେ ହେବେ ସାମିଲ

ତେବେ ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ ମୋଟ 51 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସ୍ମୃତି ଇରାନୀ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢୁଛନ୍ତି । ଏହି 80 ଆସନ ବିଶିଷ୍ଟ ରାଜ୍ୟରେ ବିଜେପି କ୍ଲିନସ୍ବିପ କରିବା ଲକ୍ଷ୍ୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.