ETV Bharat / bharat

ଦେଖିପାରିଲେନି ଭାଇ ବାହାଘର, ବରଯାତ୍ରୀ କାର ଦୁର୍ଘଟଣାରେ ଲିଭିଗଲା 5 ଜୀବନ ଦୀପ - Uttar Pradesh Accident

author img

By ETV Bharat Odisha Team

Published : Apr 21, 2024, 9:14 PM IST

Uttar Pradesh Accident
Uttar Pradesh Accident

Uttar Pradesh Accident: ଯମୁନା ଏକ୍ସପ୍ରେସ ଓ୍ବେରେ କାର ଦୁର୍ଘଟଣା । ବରଯାତ୍ରୀ କାର ଦୁର୍ଘଟଣାଗ୍ରସ୍ତ । ବରର ଭାଇ ସହ 5 ଜଣଙ୍କ ମୃତ୍ୟୁ, 3 ଗୁରୁତର । ଦୁର୍ଘଟଣା ପରେ ବିବାହ ଭାଙ୍ଗିଲେ ପରିବାର । ଅଧିକ ପଢନ୍ତୁ

ଲକ୍ଷ୍ମୌ: ଭାଇ ବାହାଘରରେ ଯୋଗ ଦେବାକୁ ଯାଇ ଭାଇର ମୃତ୍ୟୁ । ଉତ୍ତରପ୍ରଦେଶ ରାଜ୍ୟର ଯମୁନା ଏକ୍ସପ୍ରେସ- ଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ବରର ଭାଇ ସମେତ 5 ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟର ଗ୍ରେଟର ନୋଏଡାର ତିଗଡି ଅଞ୍ଚଳର ସନ୍ତୋଷଙ୍କ ଆଜି (ରବିବାର) ଦେବରିଆ ଠାରେ ବିବାହ ହେବାର ଥିଲା । ଶନିବାର ରାତିରେ ବର ସହିତ ବରଯାତ୍ରୀ ନୋଏଡାଠାରୁ 6ଟି କାରରେ ଦେବରିଆ ଯାଉଥିଲେ । ଏହି ସମୟରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲା । ସେହି ଦୁର୍ଘଟଣାଗ୍ରସ୍ତ କାରରେ 8 ଜଣ ବସିଥିଲେ । ସେମାନଙ୍କ ମଧ୍ୟରେ ବରର ଭାଇ ଗୌତମ ମଧ୍ୟ ଥିଲେ । ଗୌତମଙ୍କୁ ମିଶାଇ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଜଣେ ବରଯାତ୍ରୀଙ୍କ କହିବାନୁଯାୟୀ, ଯମୁନା ଏକ୍ସପ୍ରେସ ଓ୍ବେରେ ତୃତୀୟ ଟୋଲ ପାର କରିବା ପରେ କାରର ଗୋଟିଏ ଚକ ଫାଟି ଯାଇଥିଲା । ଯାହାପରେ କାରଟି ଅନିୟନ୍ତ୍ରିତ ହୋଇପଡିଥିଲା । ଦ୍ରୁତ ଗତିରେ ଯାଇ ରାସ୍ତାରେ ଥିବା ଏକ ଡିଭାଇଡର ସହ ପିଟି ହୋଇ ଗାଡିଟି ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା ।

ଏହାମଧ୍ୟ ପଢନ୍ତୁ..ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - Road Accident

ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଗୌତମ (ବରର ଭାଇ), 32 ବର୍ଷିୟ ଚନ୍ଦନ, 28 ବର୍ଷୀୟ ସୁଦେଶ, ପାଟନା ଅଞ୍ଚଳର ସଞ୍ଜୀବ ଶର୍ମା ଓ ପ୍ରବୀଣ । ଅନ୍ୟପଟେ କାରରେ ଥିବା ନୋଏଡା ଅଞ୍ଚଳ ରାହୁଲ, କୁଲଦୀପ ଓ ଗାଜିଆବାଦ ଅଞ୍ଚଳର ଅଜୟ କୁମାର ଗୁରୁତର ଆହତ ହୋଇଛନ୍ତି ।

ପୋଲିସ ସୁକନ୍ୟା ଶର୍ମାଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ଏସଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣା ପରେ ବିବାହ ବନ୍ଦ କରାଯାଇଥିବା ନେଇ ଜଣାପଡିଛି ।

ଏସିପି ସୁକନ୍ୟା ଆଉ ମଧ୍ୟ କହିଛନ୍ତି ଯେ, ପୋଲିସ କାରରେ ଫସିରହିଥିବା ଲୋକଙ୍କୁ ବହୁ କଷ୍ଟରେ ବାହାର କରିଥିଲା । ଦୁର୍ଘଟଣାଗ୍ରସ୍ତ କାରରୁ ମଦ ବୋତଲ ଜବତ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.