ETV Bharat / bharat

ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ' ଲେଖି ଫାଷ୍ଟ କ୍ଲାସରେ ପାସ୍ କଲେ ଛାତ୍ର - Jai Shree Ram on answer sheets

author img

By ETV Bharat Odisha Team

Published : Apr 27, 2024, 8:00 AM IST

Etv Bharat
Etv Bharat

Jai Shree Ram on answer sheets: ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ' ଲେଖି ପ୍ରଥମ ଶ୍ରେଣୀ ନମ୍ବର ସହ ପାସ୍ କଲେ ଛାତ୍ର । ଉତ୍ତର ଖାତାର ପୁନଃମୂଲ୍ୟାୟନ ପରେ ଜଣାପଡିଲା ପ୍ରକୃତ ଘଟଣା । ଅଧିକ ପଢନ୍ତୁ

ପରୀକ୍ଷା ଖାତାରେ ଜୟ ଶ୍ରୀରାମ

ଲକ୍ଷ୍ନୌ: ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ', 'ଜୟ ହନୁମାନ' ଲେଖି ପାସ୍ ହେଲେ ଛାତ୍ର । ତା' ପୁଣି ଫାଷ୍ଟ କ୍ଲାସରେ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ । ଏଠାରେ ଥିବା ବୀର ବାହାଦୂର ସିଂହ ବିଶ୍ବବିଦ୍ୟାଳୟର ଫାର୍ସାମୀ ବିଭାଗର କିଛି ଛାତ୍ରଙ୍କୁ ପରୀକ୍ଷା ଖାତାରେ ସଠିକ୍ ଉତ୍ତର ନଦେଇ ଜୟ ଶ୍ରୀରାମ ଲେଖିବା ସତ୍ତ୍ବେ ୬୦%ରୁ ଅଧିକ ନମ୍ବର ମିଳିଥିଲା । ଉତ୍ତରଖାତାର ପୁନଃମୂଲ୍ୟାୟନ କରାଯିବାରୁ ସେହି ପିଲା ଫେଲ୍ ନମ୍ବର ରଖିଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ବବିଦ୍ୟାଳୟର ଦୁଇ ଜଣ ପ୍ରଫେସର ବହିଷ୍କୃତ ହୋଇଛନ୍ତି ।

ପରୀକ୍ଷା ଖାତାରେ ଜୟ ଶ୍ରୀରାମ ଲେଖି ଫାଷ୍ଟ କ୍ଲାସରେ ପାସ୍ କଲେ ଛାତ୍ର
ପରୀକ୍ଷା ଖାତାରେ ଜୟ ଶ୍ରୀରାମ ଲେଖି ଫାଷ୍ଟ କ୍ଲାସରେ ପାସ୍ କଲେ ଛାତ୍ର

ଯାହା ଜଣାପଡିଛି, ଫାର୍ସାମୀ ବିଭାଗର ପ୍ରଥମ ବର୍ଷ ପରୀକ୍ଷାରେ ଅନେକ ଛାତ୍ର ଫ୍ଲାଷ୍ଟ କ୍ଲାସରେ ପାସ୍ କରିଥିଲେ । ବିଶ୍ବବିଦ୍ୟାଳୟର ଦୁଇ ପ୍ରଫେସର ଲାଞ୍ଚ ନେଇ ପିଲାଙ୍କୁ ପାସ୍ କରାଉଥିବା ଦିବ୍ୟାଂଶୁ ସିଂହ ନାମକ ଜଣେ ପୂର୍ବତନ ଛାତ୍ର ଅଭିଯୋଗ ଆଣିଥିଲେ । ସତ ଜାଣିବାକୁ ଦିବ୍ୟାଂଶୁ ଆରଟିଆଇ ଜରିଆରେ ପ୍ରଥମ ବର୍ଷର ୧୮ ଜଣ ପିଲାଙ୍କ ପରୀକ୍ଷା ଖାତା ମଗାଇଥିଲେ । ଏହାର ଯାଞ୍ଚ କରାଯିବାରୁ ଅନେକ ଛାତ୍ର ଉତ୍ତରଖାତାରେ ଜୟ ଶ୍ରୀରାମ, ଜୟ ହନୁମାନ, କ୍ରିକେଟରଙ୍କ ନାଁ ଭଳି ଏମିତି ଅନେକ ଅଜବ ଗଜବ ଉତ୍ତର ଲେଖିଥିବା ଦେଖାଯାଇଥିଲା । ତଥାପି ସେହି ଛାତ୍ରୀଙ୍କୁ ଭଲ ନମ୍ବର ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପରୀକ୍ଷା ଦେବା ବେଳେ ପ୍ରସବ ଯନ୍ତ୍ରଣା, ଶିଶୁକୁ ଜନ୍ମ ଦେଲେ ମହିଳା

ଦିବ୍ୟାଂଶୁ ସିଂହ ଅଭିଯୋଗ କରିଛନ୍ତି ଯେ, ପ୍ରଫେସର ବିନୟ ବର୍ମା ଏବଂ ଆଶିଷ ଗୁପ୍ତା ପିଲାଙ୍କୁ ପରୀକ୍ଷାରେ ପାସ୍ କରିବାକୁ ଲାଞ୍ଚ ନେଇଥିଲେ । ଉତ୍ତରଖାତାର ପୁନଃମୂଲ୍ୟାୟନ କରାଯିବାରୁ ଏହା ଜଣାପଡିଥିଲା । ପ୍ରକୃତରେ ସେହି ପିଲାମାନେ ଫେଲ୍ ନମ୍ବର ରଖିଥିଲେ । ଏନେଇ ସେ ସମସ୍ତ ପ୍ରମାଣ ସହ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଜଭବନ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଘଟଣାରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ସମ୍ପୃକ୍ତ ଦୁଇ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବନ୍ଦନା କହିଛନ୍ତି ଯେ, ଡି-ଫାର୍ମାର ପ୍ରଥମ ବର୍ଷ ଛାତ୍ରଙ୍କୁ ଅଧିକ ନମ୍ବର ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଏକ କମିଟି ଗଠନ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚରୁ କିଛି ପିଲାଙ୍କୁ ଅଧିକ ନମ୍ବର ଦିଆଯାଇଥିବା ଜଣାପଡିଥିଲା । ତେବେ ଉତ୍ତର ଖାତାରେ ଜୟ ଶ୍ରୀରାମ ଲେଖାଯିବା ସମ୍ପର୍କରେ କୁଳପତି କହିଛନ୍ତି, ସମ୍ପୃକ୍ତ ଛାତ୍ରଙ୍କ କପିରେ ସ୍ପଷ୍ଟ ଲେଖା ହୋଇନଥିଲା, ଯାହାକୁ ପଢି କିଛି ବୁଝାପଡିବ ଏବଂ ନମ୍ବର ଦିଆଯିବ । ତେବେ ଘଟଣାରେ ପ୍ରଫେସର ମନୀଷ ଗୁପ୍ତା ଓ ବିନୟ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.