ETV Bharat / bharat

ଜୀବନ ହାରିଲେ ସଚିନ ତେନ୍ଦୁଲକରଙ୍କ ବଡିଗାର୍ଡ - Sachin Tendulkar Guard Suicide

author img

By ETV Bharat Odisha Team

Published : May 15, 2024, 5:50 PM IST

Sachin Tendulkar Guard Suicide: ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷା କର୍ମୀ ପ୍ରକାଶଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ପୈତୃକ ଘରେ ବିଳମ୍ବିତ ରାତି ୧ଟା ସମୟରେ ସେ ଜୀବନ ହାରିଛନ୍ତି ।

Sachin Tendulkar Guard Suicide
Sachin Tendulkar Guard Suicide (ETV Bharat)

ମୁମ୍ବାଇ: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ସର୍ଭିସ ରିଭଲଭରରେ ଗୁଳି ଫୁଟାଇ ଜୀବନ ହାରିଛନ୍ତି ସୁରକ୍ଷା କର୍ମୀ । ମୃତ ସୁରକ୍ଷା କର୍ମୀଙ୍କ ନାଁ ପ୍ରକାଶ ଗୋବିନ୍ଦ କାପଡେ ବୋଲି ଜଣାପଡିଛି । ମହାରାଷ୍ଟ୍ରର ଜାମନେର ସହରରେ ଥିବା ନିଜର ପୈତୃକ ଘରେ ବିଳମ୍ବିତ ରାତି ୧ଟା ସମୟରେ ସେ ଜୀବନ ହାରିଥିବା ଜଣାପଡିଛି । ପ୍ରକାଶଙ୍କର ଆତ୍ମହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ଥିବା ବେଳେ ପୋଲିସ ମାମଲାର ଯାଞ୍ଚ କରୁଛନ୍ତି ।

ସୂଚନା ଅନୁସାରେ ୩୭ ବର୍ଷୀୟ ପ୍ରକାଶ କାପଡେ ଜାମନେର ସହରର ଜସଗାଓଁ ରୋଡ଼ ସ୍ଥିତ ଗଣପତି ନଗରରେ ସପରିବାର ରହୁଥିଲେ । ପ୍ରକାଶ କାପଡେ ଏସଆରପିଏଫରେ ନିଯୁକ୍ତି ହୋଇଥିଲେ । ଏହା ପରେ ତାଙ୍କୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ବାସଭବନରେ ଚାକିରି ମିଳିଥିଲା ଓ ସେ ସଚିନଙ୍କର ବଡିଗାର୍ଡ ଭାବେ ନିଯୁକ୍ତ ହୋଇଥିଲେ ।

ପୋଲିସର ସୂଚନା ମୁତାବକ, ଜସଗାଓଁ ରୋଡ଼ ସ୍ଥିତ ଗଣପତି ନଗରରେ ଥିବା ପୈତୃକ ଘରେ ପରିବାର ଲୋକ ଶୋଇଥିବା ବେଳେ ଛାତକୁ ଯାଇ ଜୀବନ ହାରିଛନ୍ତି । ତେବେ ଆତ୍ମହତ୍ୟା ଜନିତ ମୃତ୍ୟୁର ସୂଚନା ପାଇ ଜାମନେର ପୋଲିସ ଥାନା ଅଧିକାରୀ କିରଣ ସିନ୍ଦେ ନିଜର ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏଥି ସହିତ ପୋଲିସ ବ୍ୟବହୃତ ସର୍ଭିସ ରିଭଲଭରକୁ ଜବତ କରିଛି । ଏହା ପରେ ମୃତକ ପ୍ରକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ .... ଅନୁଜ ଥାପନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର, ସିବିଆଇ ଯାଞ୍ଚ ଦାବି - ANUJ THAPAN DEATH CBI PROBE

ମୃତକ ପ୍ରକାଶଙ୍କ ପରିବାରରେ ତାଙ୍କର ପିତା, ମାତା, ସ୍ତ୍ରୀ ଓ ୨ଟି ପିଲା ଅଛନ୍ତି । ପୂର୍ବରୁ ପ୍ରକାଶ କାପଡେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଛଗନ ଭୁଜବଳ ଓ ନାରାୟଣ ରାଣେଙ୍କ ବଡିଗାର୍ଡ ଭାବେ କାମ କରିଛନ୍ତି । ପୋଲିସ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ତାଙ୍କର ପରିବାରବର୍ଗ ତଥା ଚିହ୍ନା ପରିଚିତ ଲୋକଙ୍କୁ ପଚାରାଉଚରା ଜାରି ରଖିଛି । ଏଭଳି ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳେ ଶୋକର ଛାୟା ଖେଳିଯାଇଛି ।

ସେହିଭଳି ୧୫ ଦିନ ପୂର୍ବରୁ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ ଜୀବନ ହାରିଥିଲେ । ଏପ୍ରିଲ ୨୭ରେ ବିହାରର ଭାଗଲପୁର ଜୋଗସର ପୋଲିସ ଷ୍ଟେସନ ପରିସରରେ ଥିବା ତାଙ୍କ ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଖବର ପାଇବା ମାତ୍ରେ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ତେବେ ଅମୃତା ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିନେତ୍ରୀଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.