ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ: ଲକ୍ଷ୍ନୌରେ 144 ଧାରା, ଅଯୋଧ୍ୟାରେ 4 ହଜାର ପୋଲିସ କର୍ମୀ ମୁତୟନ

author img

By ETV Bharat Odisha Team

Published : Jan 21, 2024, 10:02 AM IST

ଲକ୍ଷ୍ନୌରେ 144 ଧାରା
144 imposed in up

Section 144 imposed in Lucknow: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଲକ୍ଷ୍ନୌରେ 144 ଜାରି । ଅଯୋଧ୍ୟାରେ 4 ହଜାର ପୋଲିସ କର୍ମଚାରୀ ନିୟୋଜିତ । ଅଧିକ ପଢନ୍ତୁ

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉତ୍ତରପ୍ରଦେଶ । ସୋମବାର ଏହି ଭବ୍ୟ ସମାରୋହ ରହିଥିବା ବେଳେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲକ୍ଷ୍ନୌରେ ପୋଲିସ ଛାଉଣି ହେବା ସହ 144 ଧାରା ଲାଗୁ କରାଯାଇଛି । ସେହିପରି ବିନା ଅନୁମତିରେ କୌଣସି ବି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସୋମବାର ସାଧାରଣ ଜନତାଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ । ପରେ ଶ୍ରଦ୍ଧାଳୁମାନେ ଅଯୋଧ୍ୟା ଆସି ଦର୍ଶନ କରିପାରିବେ । ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ 4 ହଜାରରୁ ଅଧିକ ପୋଲିସ କର୍ମୀ ମୁତୟନ ହୋଇଛନ୍ତି ।

ଏହା ବ୍ୟତୀତ ଲକ୍ଷ୍ନୌର 25ଟି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ସହ ଆଗକୁ ୟୁପିରେ ହଜରତ ଅଲିଙ୍କ ଜନ୍ମ ବାର୍ଷିକୀ, ଗଣତନ୍ତ୍ର ଦିବସ, ବସନ୍ତ ପଞ୍ଚମୀ, ବିଭିନ୍ନ ପ୍ରବେଶିକା ପରୀକ୍ଷା ଓ ଲୋକସବା ନିର୍ବାଚନ ମଧ୍ୟ ରହିଛି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଲକ୍ଷ୍ନୌ ପୋଲିସ କମିଶନର ସହରରେ 144 ଧାରା ଲାଗୁ କରିଛନ୍ତି ।

ଧାର୍ମିକ ସ୍ଥାନରେ ଉଚ୍ଚ ସ୍ବରରେ ବାଜି ପାରିବନି ଲାଉଡ ସ୍ପିକର: ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ କୌଣସି ବି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଉଚ୍ଚ ସ୍ବରରେ ବାଜିପାରିବ ନାହିଁ । ଯଦି ଆବଶ୍ୟକ ପଡେ ତେବେ ପୋଲିସର ଅନୁମତି ନେବାକୁ ପଡ଼ିବ । ଶୋଭାଯାତ୍ରା କିମ୍ବା ଅନ୍ୟାନ୍ୟ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ଏବଂ ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାରକୁ ବରାଣ କରାଯାଇଛି । ସେହିପରି ଲକ୍ଷ୍ନୌରେ ଥିବା ଦୋକାନଗୁଡିକରେ ଚାଇନିଜ ମାଞ୍ଜା ସୂତା ବିକ୍ରୟ ଉପରେ କଟକଣା ଲାଗିଛି । ପୋଲିସର ବିନା ଅନୁମତିରେ ପାଞ୍ଚ କିମ୍ବା ଅଧିକ ବ୍ୟକ୍ତି କୌଣସି ପ୍ରକାରର ପଦଯାତ୍ରା କରିପାରିବେ ନାହିଁ ।

ଲକ୍ଷ୍ନୌର 25ଟି ସମ୍ବେଦନଶୀଳ ସ୍ଥାନରେ ପୋଲିସ ନିୟୋଜିତ: ଅଯୋଧ୍ୟାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ 25ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ 300 ପୋଲିସ କର୍ମଚାରୀ କଡ଼ା ପ୍ରହରା ଦେଉଛନ୍ତି । ଏହା ବ୍ୟତୀତ ଲକ୍ଷ୍ନୌ- ଅଯୋଧ୍ୟା ରାସ୍ତା, ବସଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ସପିଂ ମଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି (ରବିବାର) ରାତି 8ଟାରୁ ଅଯୋଧ୍ୟାକୁ ଯାଉଥିବା ଭାରି ଯାନ ପାଇଁ ଡାଇଭର୍ସନ କରାଯାଇଛି । ଲକ୍ଷ୍ନୌ ଦେଇ ଅଯୋଧ୍ୟା, ଗୋରଖପୁର, ଆଜମଗଡକୁ ଯାଉଥିବା ଯାନ ପାଇଁ ଡାଇଭର୍ସନ ସ୍ଥିର କରାଯାଇଛି ।

ବସ୍ ଷ୍ଟାଣ୍ଡ ଏବଂ ସପିଂ ମଲ୍ ଉପରେ କଡା ନଜର: ପୋଲିସର ସୂଚନା ଅନୁସାରେ, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଜିଠାରୁ ସୋମବାର ପର୍ଯ୍ୟନ୍ତ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ସପିଂ ମଲ୍ ଏବଂ ରେଳ ଲାଇନର 100 ମିଟର ସୀମା ମଧ୍ୟରେ ଯାଞ୍ଚ ଚାଲିଛି । ସମ୍ବେଦନଶୀଳ ସ୍ଥାନଗୁଡିକ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରାଯିବ । ପୋଲିସ ଷ୍ଟେସନରୁ ପୋଲିସ ଏକ ରୋଡ୍ ମାର୍ଚ୍ଚ କରିବ ଯାହାଦ୍ୱାରା ଗଣ୍ଡଗୋଳ ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ । ପୋଲିସ ମଧ୍ୟ ରାସ୍ତାରେ କଡା ପ୍ରହରା ଦେବ ।

ଲକ୍ଷ୍ନୌରେ 144 ଧାରା ଲାଗୁ : ଜାନୁୟାରୀ 22ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ, 25 ଜାନୁଆରୀରେ ହଜରତ ଅଲିଙ୍କ ଜନ୍ମଦିନ, 26ରେ ଗଣତନ୍ତ୍ର ଦିବସ, 14 ଫେବୃଆରୀରେ ବସନ୍ତ ପାଞ୍ଚମୀ, 26 ଫେବୃଆରୀରେ ଶାହବ-ଇ-ବାରାତ, 8 ମାର୍ଚ୍ଚରେ ମହାଶିବରାତ୍ରୀ, ପ୍ରତିଯୋଗୀତମୂଳକ ପରୀକ୍ଷା ଏବଂ ଆଗକୁ ଲୋକସଭା ନିର୍ବାଚନର ରହିଥିବାରୁ ଲକ୍ଷ୍ନୌରେ ସୁରକ୍ଷା ଦୃଷ୍ଟିରୁ ଧାରା 144 ଲାଗୁ କରାଯାଇଛି । ନୋଏଡା ଓ ଗ୍ରେଟର ନୋଏଡାରେ ମଧ୍ୟ 144 ଧାରା ଲାଗୁ ହୋଇଛି । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ବର୍ତ୍ତମାନ ବିନା ଅନୁମତିରେ, ବିଧାନସଭାଠାରୁ ଏକ କିଲୋମିଟର ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ । ଡ୍ରୋନ୍ ଉଡ଼ାଣ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ଉପରେ ରୋକ ଲଗାଯାଇଛି । ଆଦେଶ ଉଲ୍ଲଂଘନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଉତ୍ସବମୁଖର ଅଯୋଧ୍ୟା; ନବବଧୂ ପରି ସଜେଇ ହୋଇଛି ରାମ ମନ୍ଦିର, ଫଟୋରେ ଦେଖନ୍ତୁ ଅପୂର୍ବ ଝଲକ

ଗ୍ରୀନ କରିଡରର ବ୍ୟବସ୍ଥା: ଆଜିଠୁ ଆସନ୍ତାକାଲି ପର୍ଯ୍ୟନ୍ତ ଶହୀଦପଥ, କାମଟା, ଅଯୋଧ୍ୟା ମାର୍ଗ, ସୁଲତାନପୁର ରୋଡରୁ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଏବଂ କିସାନ ପଥ ପର୍ଯ୍ୟନ୍ତ ଆମୋସି ବିମାନବନ୍ଦରକୁ ଗ୍ରୀନ କରିଡର କରାଯାଇଛି । ଏହି ମାର୍ଗରେ ଇ-ରିକ୍ସା ଚାଳନକୁ ବାରଣ କରାଯାଇଛି । ଏଥିସହ ଗ୍ରୀନ କରିଡରରେ ଅଟୋ, ବସ୍ ସମେତ କୌଣସି ଯାତ୍ରୀବାହୀ ଯାନ ପାର୍କିଂ ନକରିବାକୁ କୁହାଯାଇଛି । ଏହି ତିନୋଟି ମାର୍ଗରେ କ୍ରେନ୍ ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଯଦି ଅଘଟଣ ଘଟେ ତେବେ ଏହାକୁ ତୁରନ୍ତ କ୍ରେନ୍ ଦ୍ୱାରା ହଟାଇ ଦିଆଯିବ ।

ଏହି ସ୍ଥାନ ଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା: ସାଦତଗଞ୍ଜ, ଠାକୁରଗଞ୍ଜ, ଘଣ୍ଟାଗର, ଡୁବଗଗାଁ, ୱାଜିରଗଞ୍ଜ, ଅମିନାବାଦ, ମୌଲଭିଗଞ୍ଜ, କେସରବାଗ, କାକୋରୀ, ମହିଲାବାଦ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ । ଅଯୋଧ୍ୟାକୁ ଯାଉଥିବା ମାର୍ଗରେ ଥିବା ଦୋକାନ ବାହାରେ କୌଣସି ଯାନ ରହିବ ନାହିଁ । ପୋଲିସ କର୍ମଚାରୀମାନେ ଏହି ମାର୍ଗଗୁଡ଼ିରେ ନିରନ୍ତର ପାଟ୍ରୋଲିଂ କରିବେ । ଯଦି କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଯୋଧ୍ୟା ମାର୍ଗରେ 4 ହଜାର ପୋଲିସ କର୍ମୀ ନିୟୋଜିତ: 4ଜଣ ଡିସିପି, 6ଜଣ ଏଡିସିପି, 14 ଏସିପି, 90 ଇନ୍ସପେକ୍ଟର, 580 ସବ୍ ଇନ୍ସପେକ୍ଟର, 2181 ହେଡ୍ କନଷ୍ଟେବଳ, 189 ଲେଡି କନଷ୍ଟେବଳ, 4 ମୋବାଇଲ୍ ପୋଲିସ୍ ଯାନ, 70 ବାଇକ୍ ନିୟୋଜିତ କରାଯାଇଛି । ଅତିରିକ୍ତ ଫୋର୍ସରେ 3 ଅତିରିକ୍ତ ଏସପି, 16 ଇନ୍ସପେକ୍ଟର 56 ସବ୍ ଇନ୍ସପେକ୍ଟର, 750 ଟ୍ରେନିଂ ସବ୍ ଇନ୍ସପେକ୍ଟର, 320 ହେଡ କନଷ୍ଟେବଳ ଓ 18 ମହିଳା କନଷ୍ଟେବଳ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.