ETV Bharat / bharat

ଉତ୍ତରାଖଣ୍ଡ UCC ବିଲ: ବିଭିନ୍ନ ଦଳରୁ ପ୍ରତିକ୍ରିୟା ଜାରି, ବିରୋଧୀଙ୍କ ଭୋଟର ଧ୍ରୁବିକରଣ ଅଭିଯୋଗ

author img

By ETV Bharat Odisha Team

Published : Feb 6, 2024, 10:53 PM IST

ଉତ୍ତରାଖଣ୍ଡ UCC ବିଲ: ବିଭିନ୍ନ ଦଳରୁ ପ୍ରତିକ୍ରିୟା ଜାରି, ବିରୋଧୀଙ୍କ ଭୋଟର ଧ୍ରୁବିକରଣ ଅଭିଯୋଗ
ଉତ୍ତରାଖଣ୍ଡ UCC ବିଲ: ବିଭିନ୍ନ ଦଳରୁ ପ୍ରତିକ୍ରିୟା ଜାରି, ବିରୋଧୀଙ୍କ ଭୋଟର ଧ୍ରୁବିକରଣ ଅଭିଯୋଗ

Uniform Civil Code Uttarakhand 2024: ବିଜେପି ଓ ଏହାର ସହଯୋଗୀ ଦଳଙ୍କ ସ୍ବାଗତ । ବିରୋଧୀ କହିଲେ ଭୋଟର ଧ୍ରୁବୀକରଣ ଓ ସମ୍ବିଧାନ ବିରୋଧୀ । ଅଧିକ ପଢନ୍ତୁ

ଡେରାଡୁନ: ଆଜି ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମି ସରକାର ଗୃହରେ ‘ଏକକ ନାଗରିକ ସଂହିତା ବିଲ 2024’ ଆଗତ କରିଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ‘ୟୁନିଫର୍ମ ସିଭିଲ କୋଡ-2024’ ବିଲକୁ ଆଗତ କରାଯାଇଛି । ପୂର୍ବାହ୍ନରେ ଏହା ଆଗତ ହେବା ପରେ ଗୃହରେ ଏହାକୁ ନେଇ ସରଗରମ ଚର୍ଚ୍ଚା ମଧ୍ୟ ହୋଇଛି । ଏହି ଚର୍ଚ୍ଚା କାଲି ମଧ୍ୟ ଜେରା ରହିବା ସହ ଭୋଟିଂ ହେବ । ଆଜି ଗୃହରେ ଏହି ବିଲ ଆଗତ ହେବା ପରେ ଗଣମାଧ୍ୟମରେ ଦିନ ସାରା ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା । ବିରୋଧୀମାନେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି । ଗୋଟିଏ ପଟେ ବିଜେପି ‘ୟୁସିସି’କୁ ଧାମି ସରକାର ଏକ ଐତିହାସିକ ପଦକ୍ଷେପ ବୋଲି କହୁଥିବା ବେଳେ ଅନ୍ୟପଟେ ବିରୋଧୀମାନେ ଏହାକୁ ସମ୍ବିଧାନ ବିରୋଧୀ ଓ ଭୋଟରଙ୍କୁ ଧ୍ରୁବିକରଣ କରିବାର ପ୍ରୟାସ ବୋଲି କହି ତର୍କ ବାଢୁଛନ୍ତି ।

ରାଜସ୍ଥାନ ବିଜେପି ବିଧାୟକ ସ୍ବାମୀ ବାଳମୁକୁନ୍ଦାଚାର୍ଯ୍ୟ ଉତ୍ତରାଖଣ୍ଡରେ ଏହି ୟୁସିସି ବିଲକୁ ସ୍ୱାଗତ କରିଛନ୍ତି । ଏହା ଏକ ଭଲ ଆରମ୍ଭ ବୋଲି ସେ କହିଛନ୍ତି । ସେ ନିଶ୍ଚିତ ଯେ, ରାଜସ୍ଥାନରେ ମଧ୍ୟ ଏହି ଏକକ ନାଗରିକ ସଂହିତା ବିଲ ମଧ୍ୟ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବ । ରାଜସ୍ଥାନରେ ଏହାକୁ ଲାଗୁ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ଆସାମ ସାଂସଦ ତଥା ‘ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ’ ଅଧ୍ୟକ୍ଷ ବଦରୁଦ୍ଦିନ ଅଜମଲଙ୍କୁ ପଚରାଯିବାରୁ, ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁସି କରିବା ଓ ଆଉ କିଛି ଦିନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଗାଦିରେ ତିଷ୍ଠି ରହିବା ପାଇଁ ଧାମି ଏହି ବିଲ ଆଗତ କରିଛନ୍ତି । ଏହି ବିଲର କୌଣସି ଅର୍ଥ ନାହିଁ । ଏହି ବିଲକୁ ଡଷ୍ଟବିନରେ ଫିଙ୍ଗି ଦେବା ଉଚିତ ।

ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହି ବିଲ ଆଗତ କରିଥିବାରୁ ଉତ୍ତରାଖଣ୍ଡର ଧାମି ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୌର୍ଯ୍ୟ କହିଛନ୍ତି, ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ହେଉ କିମ୍ବା ଧାରା-370 ଉଚ୍ଛେଦ ପ୍ରସଙ୍ଗ, ବିଜେପି ତାର ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଜାରି ରଖିଛି । ଆଗାମୀ ସମୟରେ ଏହି ବିଲ୍‌ ସମସ୍ତ ରାଜ୍ୟ ଓ ଦେଶରେ ମଧ୍ୟ ଲାଗୁ ହେବ । ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ନିୟମ ରହିବ ।

ମହାରାଷ୍ଟ୍ର କଂଗ୍ରେସ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରତାପଗଡୀ କହିଛନ୍ତି, ନାରୀ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରି ସମସ୍ତ ପ୍ରସଙ୍ଗରେ ଉତ୍ତରାଖଣ୍ଡର ଧାମି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ସବୁ ପ୍ରସଙ୍ଗକୁ ଏଡାଇବା ପାଇଁ ବିଜେପି ସେଠାରେ ଏହି ଏକକ ନାଗରିକ ସଂହିତା ପ୍ରସଙ୍ଗ ଉଠାଇଛି । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ବିଜେପିକୁ ସେପରି ଆଶାନୁରୂପକ ଲାଭ ମିଳିବ ନାହିଁ । ଲୋକସଭା ନିର୍ବାଚନରେ ​​ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିବ । ସେହିପରି ଆସାମର କଂଗ୍ରେସ ସାଂସଦ ଅବଦ୍ଦୁଲ ଖାଲିକ କହିଛନ୍ତି, ବିଜେପି କେବଳ ଧ୍ରୁବିକରଣ ପାଇଁ ଏହି ବିଲ୍‌ ଆଗତ କରିଛି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ।

ଅନ୍ୟପଟେ ତମାମ ବିଜେପି ନେତାମାନେ ଏହାକୁ ସ୍ବାଗତ କରିବା ସହ ଧାମି ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଦଳର ସାଂସଦ ହେମା ମାଳିନି ୟୁସିସି ବିଲକୁ ସ୍ୱାଗତ କରିଛନ୍ତି । ହେମା କହିଛନ୍ତି, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ କିମ୍ବା ଶିଖ ମହିଳାଙ୍କ ପାଇଁ ଏହା ଏକ ଖୁସି ଖବର ନିଶ୍ଚିତ । ଗତ ଅନେକ ବର୍ଷ ଧରି ମହିଳାମାନେ ଅନେକ କ୍ଷେତ୍ରରେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ । ଏବେ ସେମାନେ ସେମାନଙ୍କର ଅଧିକାର ପାଇବେ ।

ଏହା ମଧ୍ୟ ପଢନ୍ତୁ :- ଭଗବତ ଗୀତା ପାଠ କରି ଶପଥ ନେଲେ ଅଷ୍ଟ୍ରେଲିଆର ଭାରତୀୟ ବଂଶଜ ସିନେଟର

ସମାଜବାଦୀ ପାର୍ଟି ସାଂସଦ ଏସ.ଟି ହାସନ ମଧ୍ୟ ୟୁସିସି ବିଲ ଉତ୍ତରାଖଣ୍ଡ ଉପରେ ନିଜର ପ୍ରତିକ୍ରିୟା ରଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏହି ବିଲକୁ କୋରନ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି । କୌଣସି ଆଇନ ଯଦି କୋରାନର ନୀତି ବିରୁଦ୍ଧ ଥାଏ, ତେବେ ସେ ଏଥିରେ ଆଦୌ ସହମତ ହୋଇପାରିବେ ନାହିଁ । ବିଜେପିକୁ ଟାର୍ଗେଟ କରି ହାସନ କହିଛନ୍ତି, ଭୋଟର ଧ୍ରୁବିକରଣକୁ ନେଇ ଜନସାଧାରଣ ଅତିଷ୍ଠ ହୋଇସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.