ETV Bharat / bharat

ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବନ୍ନା JDSରୁ ନିଲମ୍ବିତ - Prajwal Revanna

author img

By ETV Bharat Odisha Team

Published : Apr 30, 2024, 2:00 PM IST

ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବାନ୍ନା JDSରୁ ନିଲମ୍ବିତ
ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବାନ୍ନା JDSରୁ ନିଲମ୍ବିତ

Prajwal Revanna Suspended From JDS:ପ୍ରଜ୍ଜଳ ରେବନ୍ନା JDSରୁ ନିଲମ୍ବିତ । ତଦନ୍ତ ଶେଷ ନହେବା ଯାଏ ଦଳରୁ ନିଲମ୍ବିତ କଲା ଜେଡିଏସ । କୋରକମିଟି ବୈଠକ ପରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଆପତ୍ତିଜନକ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜଳ ରେବନ୍ନାଙ୍କୁ ଦଳ ନିଲମ୍ବିତ କରିଛି । ତାଙ୍କୁ ସମ୍ପୂର୍ଣ୍ଣ ନିଲମ୍ବିତ କରାଯାଇନି, ମାତ୍ର ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ତଙ୍କୁ ଜେଡିଏସର ପ୍ରାଥମିକ ସଦସ୍ୟ ପଦରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଆଜି ପୂର୍ବହ୍ନରେ ଦଳର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ଶେଷ ହେବା ପରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଜେଡିଏସ ନେତା ଏଚ.ଡି କୁମାରାସ୍ବାମୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଦଳ ଏହି ଘଟଣାକୁ ନିନ୍ଦା ମଧ୍ୟ କରିଛି । ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ମଧ୍ୟ ଦଳ ସ୍ବାଗତ କରୁଛି ବୋଲି କୁମାରାସ୍ବାମୀ କହିଛନ୍ତି ।

ପ୍ରଜ୍ଜଳ ବର୍ତ୍ତମାନର ସାଂସଦ ଥିବା ବେଳେ ଚଳିତ ନିର୍ବାଚନରେ ହାସନ ସଂସଦୀୟ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ହେଲେ ନିର୍ବାଚନର ଠିକ ପୂର୍ବରୁ ଏହି ଭିଡିଓ ଭାଇରାଲ ହେବା ପରେ ଜେଡିଏସ ଓ ବିଜେପିକୁ କଂଗ୍ରେସ ଟାର୍ଗେଟ କରିଛି । ପ୍ରଜ୍ଜଳଙ୍କ ଗିରଫଦାରୀ ନେଇ କଂଗ୍ରେସ ବେଙ୍ଗାଲୁରୁରେ ପ୍ରତିବାଦ କରିଥିବା ବେଳେ ସେ ଏବେ ବିଦେଶରେ ଥିବା ଜଣାପଡିଛି । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ସହ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଥିଲା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ଆଜି ଜେଡିଏସ ବୈଠକ ଡାକିବା ପରେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ପ୍ରଜ୍ଜଳଙ୍କୁ ଦଳରୁ ନିଲମ୍ବିତ କରିଛି । ଏପଟେ ନିଲମ୍ବିତ ହେବା ପରେ ପ୍ରଜ୍ଜଳଙ୍କ ପ୍ରାର୍ଥିତ୍ବର ବୈଧତା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ‘ଏପରି ଘଟଣା ବରଦାସ୍ତଯୋଗ୍ୟ ନୁହେଁ, କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ’: କଂଗ୍ରେସ ସରକାର କ’ଣ କରୁଛି ପ୍ରଶ୍ନ କଲେ ଶାହ - Amit Shah Targets Congress

କର୍ଣ୍ଣାଟକରେ ଜେଡିଏସ ଏବେ ବିଜେପି ନେତୃତ୍ବଧୀନ ‘ଏନଡିଏ’ ମେଣ୍ଟର ସହଯୋଗୀ ଦଳ ଥିବା ବେଳେ ପ୍ରଜ୍ଜଳ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏପରି ସମୟରେ ବିରୋଧୀ କଂଗ୍ରେସ ସିଧା ବିଜେପିର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଏହାକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୌହାଟୀରେ ପ୍ରେସମିଟ କରି କଂଗ୍ରେସ ଉପରେ ପାଲଟା ବର୍ଷିଛନ୍ତି । ଏପରି ଘଟଣା କେବେ ମଧ୍ୟ ଗ୍ରହଣୀୟ ନୁହେଁ ।ନାରିଶକ୍ତିର ଅପମାନ କେବେ ହେଲେ ଗ୍ରହଣୀୟ ନୁହେଁ । ମୋଦି ସରକାର ମହିଳା ସମ୍ମାନ ଓ ସୁରକ୍ଷା ପ୍ରତି ପ୍ରତିଶୃତିବଦ୍ଧ । କର୍ଣ୍ଣାଟକରରେ କଂଗ୍ରେସ ସରକାରରେ ଅଛି । ସେମାନେ କାହିଁକି ତଦନ୍ତ ନକରି ବିଜେପିକୁ ପାଲଟା ପ୍ରଶ୍ନ କରୁଛନ୍ତି ବୋଲି ଶାହ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.