ETV Bharat / bharat

ଆଜି ଭୂସ୍ବର୍ଗ ଗସ୍ତ କରିବେ ମୋଦି, ଭେଟି ଦେବେ 6,400 କୋଟିର ପ୍ରକଳ୍ପ

author img

By ETV Bharat Odisha Team

Published : Mar 7, 2024, 7:08 AM IST

PM Modi To Visit Kashmir
PM Modi To Visit Kashmir

PM Modi Kashmir Visit: ଆଜି ଜମ୍ମୁ କାଶ୍ମୀର ଗସ୍ତ କରି 6,400 କୋଟିର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଶ୍ରୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ 6,400 କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀନଗରରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧିତ କରିବେ। ବକ୍ସି ଷ୍ଟାଡିୟମରେ ସମାବେଶର ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମୋଦି ଶ୍ରୀନଗରର ଷ୍ଟାଡିୟମରେ 'ବିକଶିତ ଭାରତ ବିକଶିତ ଜମ୍ମୁ କାଶ୍ମୀର' କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ 5000 କୋଟି ଟଙ୍କା ମୂଲ୍ୟରେ 'ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ'କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଧାରା 370 ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ କହିବା ପରେ ଚଳିତ ବର୍ଷ ସେପ୍ଟେମ୍ବର 30 ସୁଦ୍ଧା ଏଠାରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବବହନ କରୁଛି ।

ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନା ଅଧୀନରେ 1,400 କୋଟିରୁ ଅଧିକ ମୂଲ୍ୟର ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ, ଶ୍ରୀନଗର ସ୍ଥିତ ହଜରତବଲ ଧାର୍ମିକ ସ୍ଥଳୀର ବିକାଶ ମଧ୍ୟ ସାମିଲ୍ ଅଟେ । ମୋଦି 'ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ଟୁରିଷ୍ଟ ଡେଷ୍ଟିନେସନ୍ ପୋଲ୍‌' ଏବଂ 'ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା କ୍ୟାମ୍ପେନ୍‌'ର ମଧ୍ୟ ଶୁଭାରମ୍ଭ କରିବେ ।

ଏହା ମଧ୍ୟ ପଢନ୍ତୁ-ବଦଳିବ ଦେଶର 553ଟି ରେଳ ଷ୍ଟେସନର ରୂପରେଖ, ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜମ୍ମୁ ଏବଂ କାଶ୍ମୀରର ପ୍ରାୟ ଏକ ହଜାର ନୂଆ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଯେଉଁଥିରେ ମହିଳା, ଲକ୍ଷପତି ଦିଦି, କୃଷକ, ଉଦ୍ୟୋଗୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଆଜି ଜମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୩ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ଯାହା ପୁରା ଦେଶରେ ବିଭିନ୍ନ ତୀର୍ଥ ଏବଂ ପର୍ଯ୍ୟଟନ ସ୍ଥଳୀର ଏକ ବିସ୍ତୃତ ଶୃଙ୍ଖଳାର ବିକାଶ କରିବ । ହଜରତବାଲ ଶ୍ରୀକ୍ଷେତ୍ର ପ୍ରକଳ୍ପ ବ୍ୟତୀତ ମେଘାଳୟର ଉତ୍ତର-ପୂର୍ବ ସର୍କିଟରେ ପର୍ଯ୍ୟଟନ ସୁବିଧା, ବିହାର ଏବଂ ରାଜସ୍ଥାନରେ ଆଧ୍ୟାତ୍ମିକ ସର୍କିଟ, ବିହାରର ଗ୍ରାମୀଣ ଏବଂ ତିର୍ତ୍ତନକର ସର୍କିଟ ଏବଂ ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ମଧ୍ୟ କେତେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ଚ୍ୟାଲେଞ୍ଜ ବେସ୍ଡ ଡେଷ୍ଟିନେସନ ଡେଭଲପମେଣ୍ଟ ଯୋଜନାରେ ଚୟନ ହୋଇଥିବା ୪୨ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ଘୋଷଣା କରିବେ ମୋଦି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନ ସ୍ଥଳୀର ବିକାଶକୁ ପ୍ରୋତ୍ସାହିତ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା । ସେହିପରି 'ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା ଅଭିଯାନ'ର ଶୁଭାରମ୍ଭ କରିବେ ମୋଦି । ଏହା ଦ୍ବାରା ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କୁ ଅତି କମ୍‌ରେ ୫ ଜଣ ଲେଖାଏଁ ଅଣ ଭାରତୀୟ ବନ୍ଧୁଙ୍କୁ ଭାରତ ଭ୍ରମଣ ପାଇଁ ଉତ୍ସାହିତ କରନ୍ତୁ ବୋଲି ମୋଦି ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.