ETV Bharat / bharat

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୬୦ ଗୁରୁତର

author img

By ETV Bharat Odisha Team

Published : Feb 6, 2024, 1:45 PM IST

Updated : Feb 6, 2024, 2:59 PM IST

Explosion in firecracker factory
ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

Explosion in firecracker factory : ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଆଖାପାଖର 50 ଘରେ ଲାଗିଲା ନିଆଁ । ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି । ନିଆଁ ଲିଭା କାର୍ଯ୍ୟରେ ୪୦ଟି ଟିମ୍ । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ କାରଖାନା ସମେତ ଆଖପାଖର 50ଟି ଘରେ ନିଆଁ ଲାଗିଯାଇଥିବା ବେଳେ ଅନେକ ବାଇକ ମଧ୍ୟ ଜଳିଯାଇଛି । ବିସ୍ଫୋରଣର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ କାରଖାନାରେ ବାଣ ତିଆରି ପାଇଁ ଗଚ୍ଛିତ ଥିବା ବାରୁଦରେ ନିଆଁ ଲାଗି ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ୬୦ରୁ ଅଧିକ ଆହତ ହୋଇଛନ୍ତି । କାରଖାନା ମଧ୍ୟରେ କିଛି କର୍ମଚାରୀ ରହିଯାଇଥିବା ଅନୁମାନ କରାଯାଉଛି । ତେବେ ଅନେକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜରୁରୀ ବୈଠକ ଡାକି ଅଗ୍ନିକାଣ୍ଡର ସମୀକ୍ଷା କରିଛନ୍ତି ।

ବେଆଇନ ବାଣ କାରଖାନାରେ ବିସ୍ଫୋରଣ: ପ୍ରାଥମିକ ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ମଧ୍ୟପ୍ରଦେଶ ହରଦା ଜିଲ୍ଲାର ମଗରଧା ଅନ୍ତର୍ଗତ ବୈରାଗଡ ଗାଁରେ ଏକ ବେଆଇନ ବାଣ କାରଖାନାରେ ହଠାତ ବିସ୍ଫୋରଣ ହୋଇଥିଲା । ଏହି କାରଖାନାରେ ବାଣ ତିଆରି ନିମନ୍ତେ ବିପୁଳ ପରିମାଣର ବାରୁଦ ଗଚ୍ଛିତ ଥିବା ବେଳେ ଏହି ବାରୁଦରେ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହାର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ବିସ୍ଫୋରଣରେ କାରଖାନା ସମେତ 50 ଘରେ ଲାଗିଲା ନିଆଁ: ଏହି ବିସ୍ଫୋରଣରେ ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖରେ ଥିବା ପାଖାପାଖି 50ରୁ ଅଧିକ ଘରେ ନିଆଁ ଲାଗି ଯାଇଛି । କାରଖାନା ନିକଟରେ ଥିବା ଗାଡିଗୁଡିକ ଜଳି ନଷ୍ଟ ହୋଇଯାଇଛି । ବିସ୍ଫୋରଣରେ ଏକାଧିକ ଜଣ ଗଭୀର ଭାବେ ଆହତ ହୋଇଥିବା ଖବର ମିଳିଛି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

7 ଜିଲ୍ଲାର ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ : ଏହି ଭୟଙ୍କର ବିସ୍ଫୋରଣରେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ଏହି ଧୂଆଁ ଅନେକ କିଲୋମିଟର ଦୂରରୁ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ବିସ୍ଫୋରଣ ନେଇ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । 7 ଜିଲ୍ଲାର ପାଖାପାଖି 40ଟି ଅଗ୍ନିଶମ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ବିସ୍ଫୋରଣରେ ଗଭୀର ଭାବେ ଆହତ ହୋଇଛନ୍ତି । କିଛି ଲୋକଙ୍କ ମୃତଦେହ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଏନେଇ ସରକାରୀ ସୂଚନା ମିଳିପାରିନାହିଁ ।

ସୋସିଆଲ ମିଡିଆରେ ବିସ୍ଫୋରଣ ସମୟର ଭିଡିଓ: ସୋସିଆଲ ମିଡିଆରେ ଏହି ବିସ୍ଫୋରଣ ସମୟର ଭିଡିଓ ସାମ୍ନାକୁ ଆସିଛି । ଅଘଟଣ ପରେ ଲୋକମାନେ ଜୀବନ ବଞ୍ଚାଇ ଦୌଡିଥିବା ବେଳେ କିଛି ଭିଡିଓରେ ଲୋକମାନଙ୍କୁ ହସ୍ପିଟାଲ ନିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି । ଏବେସୁଦ୍ଧା ମୃତାହତ କିମ୍ବା ଆହତଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 6, 2024, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.