ETV Bharat / bharat

ମରାଠାଙ୍କୁ 10 ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ପାରିତ ହେଲା ବିଲ୍‌

author img

By ETV Bharat Odisha Team

Published : Feb 20, 2024, 5:04 PM IST

ମରାଠାଙ୍କୁ ମିଳିବ 10 ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ପାରିତ ହେଲା ବିଲ୍‌
ମରାଠାଙ୍କୁ ମିଳିବ 10 ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ପାରିତ ହେଲା ବିଲ୍‌

Maharashtra Assembly unanimously clears 10% Maratha quota: ମରାଠାଙ୍କୁ ମିଳିବ 10 ପ୍ରତିଶତ ସଂରକ୍ଷଣ । ବିଧାନସଭାରେ ସିନ୍ଦେ ସରକାର ପାରିତ କଲେ ବିଲ୍‌ । ଦୀର୍ଘବର୍ଷ ଧରି ଜାରି ରହିଥିଲା ଆନ୍ଦୋଳନ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ପାରିତ ହେଲା ମରାଠା ସଂରକ୍ଷଣ ବିଲ । ଆଜି ପୂର୍ବାହ୍ନରେ ଏକନାଥ ସିନ୍ଦେ ସରକାର ଏହି ‘ମହାରାଷ୍ଟ୍ର ରାଜ୍ୟ ସାମାଜିକ-ଶିକ୍ଷାଗତ ପଛୁଆବର୍ଗ ସଂରକ୍ଷଣ ଅଧିନିୟମ-2024’ କୁ ବିଧାନସଭାରେ ଆଗତ କରିଥିଲେ । ଅପରାହ୍ନରେ ଏହି ବିଲ୍‌ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ‘ମରାଠା ପଛୁଆବର୍ଗ ଆୟୋଗ’ଙ୍କ ଅନୁଧ୍ୟାନରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ରିପୋର୍ଟ ଅନୁସାରେ, ରାଜ୍ୟରେ ମରାଠା ସମ୍ପ୍ରଦାୟ ଶିକ୍ଷାଗତ ଓ ସାମାଜିକ ଭାବେ ଅନ୍ୟ ବର୍ଗଠାରୁ ପଛୁଆ ଥିବା ଦର୍ଶାଯାଇଥିଲା । ତେଣୁ ଏମାନଙ୍କ ସାମାଜିକ ଉତ୍ଥାନ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ପୂର୍ବତନ ବିଚାରପତି ସୁନିଲ ଶୁକରେଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗରେ ଅନୁଧ୍ୟାନ କରି ସରକାରଙ୍କୁ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରଦାନ କରିଥିଲା । ସେହି ଆଧାରରେ ଆଜି ସଂରକ୍ଷଣ ବିଲ୍‌ ଗୃହରେ ପାରିତ ହୋଇଛି । ଯାହା ରାଜ୍ୟରେ ଶିକ୍ଷା ଓ କର୍ମନିଯୁକ୍ତି କ୍ଷେତ୍ରରେ ମରାଠାଙ୍କୁ 10 ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ନିଶ୍ଚିତ କରିବ ।

ଆଜି ଗୃହରେ ଏହି ବିଲ ଆଗତ କରିବା ବେଳେ ଏହାକୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସରକାର ସମସ୍ତ ସମ୍ପ୍ରଦାୟର ଅଧିକାର ପ୍ରତି ସମାନତାର ସହ ଦୃଷ୍ଟି ଦେଉଛନ୍ତି । ମରାଠା ସଂରକ୍ଷଣ ବିଲ ସମସ୍ତ ଆଇନଗତ ତର୍ଜମା ପରେ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଆଇନଗତ ସମସ୍ୟା ସୃଷ୍ଟି ହେଲେ ଏହା ବାଧାପ୍ରାପ୍ତ ହେବ ନାହିଁ ବରଂ ବୈଧ ସାବ୍ୟସ୍ତ ହେବ ବୋଲି ସିନ୍ଦେ କହିଛନ୍ତି ।

ତେବେ ଗୃହରେ ଆଗତ ହେବା ପୂର୍ବରୁ ବିରୋଧୀମାନେ ଏହି ପ୍ରସ୍ତାବିତ ବିଲ ସମ୍ପର୍କିତ ଏକାଧିକ ଦିଗକୁ ନେଇ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଚିଠି ଲେଖିଥିଲେ । ଏହି ବିଲର ଆଇନଗତ ବୈଧତା ଓ ଏହାର କାର୍ଯ୍ୟକାରିତା ଫଳରେ ପୂର୍ବରୁ ପ୍ରଚଳିତ ‘ଓବିସି ସଂରକ୍ଷଣ’ ବ୍ୟବସ୍ଥାରେ କୌଣସି ପ୍ରଭାବ ପଡିବ କି ନାହିଁ, ସେ ସମ୍ପର୍କରେ ବିରୋଧୀ ପ୍ରଶ୍ନ କରିଥିଲେ । ସେହିପରି ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ବ ନେଇଥିବା ସାମାଜିକକର୍ମୀ ମନୋଜ ଜରାଙ୍ଗେ ପାଟିଲଙ୍କ ସହ ମଧ୍ୟ ସରକାର ଆଲୋଚନା କରନ୍ତୁ ଓ ପୂର୍ବରୁ ମିଳିଥିବା ପ୍ରତିଶ୍ରୁତି ଉପରେ ଚର୍ଚ୍ଚା କରନ୍ତୁ ବୋଲି ବିରୋଧୀ ଲେଖିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଚଣ୍ଡିଗଡ଼ ମେୟର ନିର୍ବାଚନ: 8 ନାକଚ ଭୋଟକୁ ବୈଧ ଭାବେ ଗଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି ଗୃହରେ ଏହି ବିଲ୍‌ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ଏହା ଅନ୍ୟ କୌଣସି ସମ୍ପ୍ରଦାୟ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ । ଏହା ଆଇନଗତ ଭାବେ ମଧ୍ୟ ବୈଧ ଓ ଆଇନଗତ ତର୍ଜମାରେ ନିଜର ବୈଧତା ବଜାୟ ରଖିପାରିବ । ଏହି ବିଲ ପାରିତ ହେବା ପରେ ବିଧାନସଭା ବାହାରେ ଉତ୍ସବ ପାଳନ କରାଯାଇଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏହି ବିଲକୁ ସ୍ବାଗତ ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.