ETV Bharat / bharat

ଦୁନିଆର ସବୁଠୁ ଛୋଟ ଗାଈ ପ୍ରଜାତି 'ପୁଙ୍ଗାନୁର', ଦିଏ ସୁନା କ୍ଷୀର - Smallest Cattle Breed

author img

By ETV Bharat Odisha Team

Published : Mar 31, 2024, 5:08 PM IST

Punganur Cow: ପୁଙ୍ଗନୁର ଗାଈକୁ ବିଶ୍ବର ସବୁଠୁ ଛୋଟ ଗାଈ ବୋଲି କୁହାଯାଏ । ଏହି ଗାଈର କ୍ଷୀରକୁ ସ୍ବର୍ଣ୍ଣିମ କ୍ଷୀର ବୋଲି ମଧ୍ୟ କୁହାଯାଏ । ତେବେ ଏପରି କାହିଁକି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Punganur Cow
Punganur Cow

ଭୋପାଳ: ପୁଙ୍ଗନୁର ଗାଈକୁ ଦୁନିଆର ସବୁଠୁ ଛୋଟ ଗାଈ ବୋଲି କୁହାଯାଏ । ଏହି ବିରଳ ପ୍ରଜାତିର ଗାଈକୁ ଗୃହପାଳିତ ପଶୁ ଭାବେ ଘର ଭିତରେ ମଧ୍ୟ ରଖାଯାଏ । ଏହି ଗାଈର ଉଚ୍ଚତା ମୁଖ୍ୟତଃ ଅଢେଇ ଫୁଟ୍ ହେବ । ଖାଲି ଯେ, ଉଚ୍ଚତାରେ ଛୋଟ ତାହା ନୁହେଁ, ବରଂ ଏହାର କ୍ଷୀରରେ ମଧ୍ୟ ରହିଛି ଔଷଧୀୟ ଗୁଣ । ସେଥିପାଇଁ ଏହି ଗାଈର କ୍ଷୀରକୁ ସ୍ବର୍ଣ୍ଣିମ କ୍ଷୀର (Golden Milk) ବୋଲି କୁହାଯାଏ । ଏହି ଗାଈ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଦେଖିବାକୁ ମିଳିଥାଏ । ଚିତ୍ତୋର ଜିଲ୍ଲାରେ ଥିବା ପୁଙ୍ଗନୁର ସହରରେ ଏହି ଗାଈ ଅଧିକ ମାତ୍ରାରେ ଦେଖାଯାଆନ୍ତି । ତେଣୁ ଏହି ପ୍ରଜାତି ଗାଈର ନାଁ 'ପୁଙ୍ଗନୁର' ବୋଲି ରଖାଯାଇଛି । ଏହା ପଛରେ ଏକ ଇତିହାସ ମଧ୍ୟ ରହିଛି ।

Punganur Cow
Punganur Cow

ବର୍ତ୍ତମାନ ପୁଙ୍ଗନୁର ଗାଈର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଦେଶର ଉତ୍ତର ଓ ମଧ୍ୟଭାଗରେ ମଧ୍ୟ ଏହି ଗାଈଙ୍କୁ ଏବେ ଦେଖିବାକୁ ମିଳିଲାଣି । ମଧ୍ୟପ୍ରଦେଶର ପାଣ୍ଢୁର୍ଣ୍ଣା ସ୍ଥିତ କଚ୍ଚିଢାନା ଗାଁର ସଞ୍ଜୀବ ଖଣ୍ଡେଲୱାଲ ନାମକ ଜଣେ ବ୍ୟକ୍ତି ଏହି ବିରଳ ପ୍ରଜାତିର ଗାଈ ଆନ୍ଧ୍ରପ୍ରଦେଶରୁ ଆଣିଛନ୍ତି । ଗାଈ ଏବଂ ବଦଳ ଯୋଡ଼ା ପିଛା ତାଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟ ଦେବାକୁ ପଡ଼ିଥିବା କହିଛନ୍ତି ସଞ୍ଜୀବ । ଗତ ମହାଶିବରାତ୍ରୀ ଦିନ ସେ ଏହି ଗାଈ ଓ ବଳଦଙ୍କୁ ମଧ୍ୟପ୍ରଦେଶ ଆଣିଥିଲେ । ଏହି ବିରଳ ପ୍ରଜାତିର ଗାଈକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା ।

Punganur Cow
Punganur Cow

ସୂଚନା ଅନୁସାରେ, ପୁଙ୍ଗନୁର ଗାଈ ପାଳନ କଲେ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଶୁଭ ବୋଲି ମାନିଥାନ୍ତି ଲୋକେ । ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରରେ ମଧ୍ୟ ଏହି ଗାଈର କ୍ଷୀର ଅର୍ପଣ କରାଯାଉଛି । ଗାଈର ଆକାର ଅତି ଛୋଟ ହୋଇଥିବାରୁ ଏହା ବେଡରୁମରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ କେଉଁଠି ବି ସହଜରେ ରହିପାରିବ । ପ୍ରାଣୀ ଚିକିତ୍ସିକ ଡାକ୍ତର ସୁରେନ୍ଦ୍ର ଚୌକସେ କହିଛନ୍ତି, "ପୁଙ୍ଗନୁର ଗାଈର ଉଚ୍ଚତା ମୁଖ୍ୟତଃ ଅଢେଇ ଫୁଟ୍ ହୋଇଥାଏ । ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଏହି ପ୍ରଜାତିଙ୍କୁ ଦେଖିବାକୁ ମିଳେ । ଏହାର କ୍ଷୀର ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର । ଏହି କ୍ଷୀରରେ ପାଖାପାଖି ୮ ପ୍ରତିଶତର ଫ୍ୟାଟ୍ସ ରହିଥାଏ, ଯେତେବେଳେ କି ଅନ୍ୟ ପ୍ରଜାତି ଗାଈରେ ଏହାର ପରିମାଣ ମାତ୍ର ୩ରୁ ୪ ପ୍ରତିଶତ ରହିଥାଏ ।"

ଏହା ମଧ୍ୟ ପଢନ୍ତୁ...ଦୀର୍ଘ ବର୍ଷ ପରେ ବାଲୁଖଣ୍ଡକୁ ଆସିବେ ନୂଆ ଅତିଥି, ବିରଳ କୃଷ୍ଣସାର ମୃଗ ଆଣିବାକୁ ଯୋଜନା

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଗାଈର କ୍ଷୀର ବ୍ୟତୀତ ମୁତ୍ର ମଧ୍ୟ ବିକ୍ରୟ ହୋଇଥାଏ । ଯେଉଁଥିରେ ଆଣ୍ଟି ବ୍ୟାକ୍ଟ୍ରେରିଆଲ କ୍ଷମତା ରହିଛି । ଏହାକୁ ଚାଷୀମାନେ କ୍ଷେତରେ ବ୍ୟବହାର କରନ୍ତି । ଫଳରେ ଏହା ଏକପ୍ରକାର କୀଟନାଶକ ଭାବେ କାର୍ଯ୍ୟ କରେ ।" ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଥିବା ଏହି ଗାଈ ସଂରକ୍ଷିତ କରି ରଖିବା ପାଇଁ ପ୍ରୟାସ କରାଯାଉଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.