ETV Bharat / bharat

ବିଶ୍ବ ଶ୍ରମିକ ଦିବସ; ଆଜି ବି ସମ୍ମାନରୁ ଦୂରରେ, ହକ୍‌ରୁ ବଞ୍ଚିତ ଶ୍ରମିକ - Labour Day 2024

author img

By ETV Bharat Odisha Team

Published : May 1, 2024, 8:37 AM IST

Etv Bharat
Etv Bharat

International Labour Day: ଆଜି ଶ୍ରମିକଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ମେ' ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ରୂପେ ପାଳନ କରାଯାଏ । ଆମେରିକାରେ ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ଏହି ଶ୍ରମିକ ଦିବସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ହେଉଛି ବିଶ୍ବ ଶ୍ରମିକ ଦିବସ । ସମାଜ ପ୍ରତି କର୍ମଚାରୀ ଓ ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମିକ କଥା ପଡିଲେ ମନକୁ ଆସେ, ଶୁଖିଲା ମୁହଁ, ମୁଣ୍ଡରେ ଠେକା ଏବଂ ଝାଳ ଜୁଡୁବୁଡୁ ଗାମୁଛା । ଢୁ ଢୁ ଖରା ବର୍ଷା ଓ ହାଡଭଙ୍ଗା ଶୀତରେ କାମ କରୁଥିବା ମଣିଷଟିଏ । ପେଟ ପାଇଁ ସକାଳୁ ଖଟିବାକୁ ଯାଇ ସଞ୍ଜରେ ଘରକୁ ଫେରେ । ଆଜି ସେହି ଶ୍ରମିକଙ୍କ ପାଇଁ ଦିନଟିଏ । ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ । ୧୮୮୬ ମସିହାରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା ।

୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ଶ୍ରମିକ ଦିବସ: ଦିନ ଥିଲା, ବିଶ୍ବରେ ପୁଞ୍ଜପତି ଶ୍ରେଣୀ ଶ୍ରମିକମାନଙ୍କୁ ମନଇଚ୍ଛା ଖଟାଉଥିଲେ । କାମ କରିବାର କୌଣସି ସମୟ ନଥିଲା କି ପରିଶ୍ରମ ଅନୁଯାୟୀ ପ୍ରାପ୍ୟ ମିଳୁନଥିଲା । ଏହାକୁ ବିରୋଧ କରି ଏବଂ ଦୈନିକ ଆଠ ଘଣ୍ଟା କାର୍ଯ୍ୟ ଦାବିରେ ଆମେରିକାର ଶ୍ରମିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ । ୧୮୮୬ ମସିହା ମେ' ୧ ତାରିଖରେ ଆମେରିକାର ପାଖାପାଖି ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ଏହାର ୩ ବର୍ଷ ପରେ ୧୮୮୯ ମସିହାରେ ପ୍ୟାରିସ ଠାରେ ଅନ୍ତଃରାଷ୍ଟ୍ରୀୟ ସମାଜବାଦୀ ସମ୍ମେଳନ ହୋଇଥିଲା । ଏହି ସମ୍ମିଳନୀରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ମେ' ୧କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା । ଏହାପରଠୁ ସାରା ବିଶ୍ବରେ ମେ ୧କୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।

ପ୍ରଥମେ ମାଡ୍ରାସରେ ଶ୍ରମିକ ଦିବସ ପାଳିତ: ହିନ୍ଦୁସ୍ଥାନ ଲେବର କିସାନ ପାର୍ଟି ପ୍ରଥମ ଥର ଏହି ଦିବସର ଆୟୋଜନ କରିବା ସହ ଏହାର ପାଳନ କରିଥିଲା । ଭାରତରେ ୧୯୨୩ ମସିହାରେ ଏହି ଦିବସ ଲୋକପ୍ରିୟତା ପାଇଲା । ୧୯୨୩ ମସିହାରେ ମାଡ୍ରାସଠାରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ ହୋଇଥିଲା । ପରେ ଶ୍ରମିକ ଦିବସ ଦିନ ସରକାର ସମସ୍ତଙ୍କୁ ଜାତୀୟ ଛୁଟି ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହେଲା । ତା' ପରଠୁ ଭାରତରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଶ୍ରମିକ ପାଳନ ହେଉଛି । ସମାଜର ପ୍ରତି କର୍ମଚାରୀ ଓ ଶ୍ରମିକଙ୍କ ଅବଦାନ ଓ ସମର୍ପଣ ଭାବକୁ ଏହି ଦିବସ ସମ୍ମାନ ପ୍ରଦାନ କରେ ।

ଆଜି ବି ହକ୍‌ରୁ ବଞ୍ଚିତ: ସହରର ଚିକିମିକ୍ ସୁଉଚ୍ଚ ଅଟ୍ଟାଳିକା, ସପିଂ ମଲରୁ ମଲ୍ଟିପ୍ଲେକ୍ସ, କମ୍ପାନୀ କାରଖାନା, ରାଜରାସ୍ତାରୁ ଓଭରବ୍ରିଜ ସବୁଥିରେ ଥାଏ ଶ୍ରମିକର ଝାଳବୁହା ରକ୍ତ । ହେଲେ ଏସବୁ ବାଃ ବାଃ ନିଅନ୍ତି ରାଜନେତାଙ୍କ ଠାରୁ ଆରମ୍ଭ କରି ଇଞ୍ଜିନିୟର, ଠିକାଦାର ଓ ପୁଞ୍ଜିପତି । ସମସ୍ତେ ଭୁଲିଯାଆନ୍ତି ଶ୍ରମିକର ଅବଦାନକୁ । ଆଜି ବି ସମାଜରେ ଶ୍ରମିକଙ୍କ ଜୀବନ ଦୁର୍ବିସହ । ଆଜି ବି ତା'ର ହକ୍ ପାଇବାରୁ ବଞ୍ଚିତ । ଶ୍ରମିକୁ ତା'ର ହକ୍ ମିଳିଲେ ଏହା ହିଁ ତାଙ୍କ ପାଇଁ ହେବ ପ୍ରକୃତ ସମ୍ମନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.