ETV Bharat / bharat

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

author img

By ETV Bharat Odisha Team

Published : Feb 23, 2024, 6:48 AM IST

Updated : Feb 23, 2024, 7:00 AM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ
ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

Former Maharashtra CM Manohar Joshi Passes Away: ଆଖି ବୁଜିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ । ହୃଦଘାତ ଯୋଗୁଁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ । ଆଜି(ଶୁକ୍ରବାର) ଭୋର୍ ୩ଟା ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ବୁଧବାର ଦିନ ଯୋଶୀଙ୍କୁ ହୃଦଘାତ ଆସିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ ଶେଷରେ ଆଜି ଭୋର୍ ସମୟରେ ତାଙ୍କର ପରଲୋକ ଘଟିଥିବା ଖବର ଆସିଛି ।

ସୂଚନା ମୁତାବକ, ଗତ ୨୧ ତାରିଖ ଦିନ(ବୁଧବାର) ହଠାତ୍ ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ହୃଦଘାତ ଆସିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ଏହି ଖବର ପାଇ ଶିବସେନା ନେତା ଉଦ୍ଧବ ଠାକରେ ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଯୋଶୀଙ୍କ ରାଜନୈତିକ ଜୀବନ ଖୁବ୍ ଲମ୍ବା ରହିଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(RSS) କାର୍ଯ୍ୟକର୍ତ୍ତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ଶିବସେନାରେ ଯୋଗ ଦେଇଥିଲେ । ୧୯୯୫ ମସିହାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଯୋଶୀ । ଏହାପୂର୍ବରୁ ସେ ମୁମ୍ବାଇ ନଗର ନିଗମର ନଗରସେବକ, ବିଧାନ ପରିଷଦ ସଦସ୍ୟ, ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ହେଲେ ବିଗତ କିଛି ଦିନ ହେଲା ସେ ରାଜନୀତିରେ ସକ୍ରିୟ ନଥିଲେ ।

ଏହା ମଧ୍ୟ ପଢନ୍ତୁ: ପୂର୍ବତନ ASG ଫଲି ଏସ ନରିମନଙ୍କ ପରଲୋକ, 95 ବର୍ଷ ବୟସରେ ବୁଜିଲେ ଆଖି


ତାଙ୍କର ପୁଅ ଉନମେଶ ଯୋଶୀ କହିଛନ୍ତି ଯେ, ଗତ ବୁଧବାର ଦିନ ତାଙ୍କୁ(ମନୋହର ଯୋଶୀ) ହୃଦଘାତ ଆସିଥିଲା । ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ବୟସାଧିକ କାରଣରୁ ପୂର୍ବରୁ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥା କିଛି ଠିକ୍ ନଥିଲା । ମୁମ୍ବାଇର ଶିବାଜୀ ପାର୍କ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏହାପୂର୍ବରୁ ଶେଷ ଦର୍ଶନ ପାଇଁ ଯୋଶୀଙ୍କ ପାର୍ଥିବ ଶରୀର ମାତୁଙ୍ଗା ସ୍ଥିତ ବାସଭବନକୁ ନିଆଯିବ ।

୧୯୩୭ ଡିସେମ୍ବର ୨ ତାରିଖ ମହାରାଷ୍ଟ୍ର ରାୟଗଡ ଜିଲ୍ଲାର ନନ୍ଦବୀ ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଜନ୍ମ । ତାଙ୍କର ପୁରା ନାମ ଥିଲା ମନୋହର ଗଜାନନ ଯୋଶୀ । ଯୋଶୀ ପାଠ ପଢିବା ପାଇଁ ମୁମ୍ବାଇ ଆସିଥିଲେ । ମୁମ୍ବାଇରେ ନିଜର ଶିକ୍ଷା ପୁରା କରି ମୁମ୍ବାଇ ନଗର ନିଗମରେ ଏକ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ସେବେଠୁ ସେ ମୁମ୍ବାଇରେ ହିଁ ବସବାସ କରିଥିଲେ ।

Last Updated :Feb 23, 2024, 7:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.