ETV Bharat / bharat

‘ଦେଶ କଳାଧନ ଆଡ଼କୁ ଅଗ୍ରସର ହେବ, ସମସ୍ତେ ଅନୁତାପ କରିବେ’: ନିର୍ବାଚନୀ ବଣ୍ଡ ମାମଲାରେ ଏମିତି କହିଲେ ମୋଦି - PM MODI ON ELECTORAL BONDS

author img

By ETV Bharat Odisha Team

Published : Apr 16, 2024, 10:01 AM IST

PM Modi On Scrapping Of Electoral Bonds: ନିର୍ବାଚନୀ ବଣ୍ଡ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ । ନିର୍ବାଚନରୁ କଳାଧନକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ବିଚାର ସହ ଆରମ୍ଭ କରାଯାଇଥିଲା ଯୋଜନା । ଏବେ ସମସ୍ତେ ଅନୁତାପ କରିବେ ବୋଲି କାହିଁକି କହିଲେ ମୋଦି ? ଅଧିକ ପଢନ୍ତୁ,

‘ଦେଶକୁ କଳାଧନ ଆଡକୁ ଠେଲିଦେଲା, ସମସ୍ତେ ଅନୁତାପ କରିବେ’: ନିର୍ବାଚନୀ ବଣ୍ଡ ମାମଲାରେ ଏମିତି କହିଲେ ପ୍ରଧାନମନ୍ତ୍ରୀ
‘ଦେଶକୁ କଳାଧନ ଆଡକୁ ଠେଲିଦେଲା, ସମସ୍ତେ ଅନୁତାପ କରିବେ’: ନିର୍ବାଚନୀ ବଣ୍ଡ ମାମଲାରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନର ଠିକ ପୂର୍ବରୁ ସୁପ୍ରିମକୋର୍ଟ ମୋଦି ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ‘ନିର୍ବାଚନୀ ବଣ୍ଡ’ ଯୋଜନାକୁ ଅବୈଧ ଦର୍ଶାଇ ରଦ୍ଦ କରି ଦେଇଛନ୍ତି । ରାଜନୈତିକ ଚାନ୍ଦା ସଂଗ୍ରହ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା କହୁଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ସୂଚନା ଅଧିକାର ଆଇନର ସ୍ପଷ୍ଟ ଉଲ୍ଲଂଘନ ଭାବେ ପରିଭାଷିତ କରିଛନ୍ତି । ଯାହାକୁ ନେଇ ବିଜେପି ସରକାର ବିରୋଧରେ ବିରୋଧୀମାନେ ସମାଲୋଚନା କରିବାରେ ନୂଆ ଅବସର ମଧ୍ୟ ପାଇଛନ୍ତି । ଗତକାଲି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସାକ୍ଷାତକାରରେ ଏହି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି । ନିଜ ସରକାର କାର୍ଯ୍ୟକାରୀ କରିଥିବା ଏହି ଯୋଜନାକୁ ଠିକ୍‌ ଦର୍ଶାଇବା ସହ ଏବେ ଦେଶ କଳାଧନ ଆଡକୁ ଅଗ୍ରସର ହେବ ଓ ଏଥିପାଇଁ ସମସ୍ତେ ଅନୁତାପ କରିବେ ବୋଲି ମୋଦି କହିଛନ୍ତି ।

ନିର୍ବାଚନୀ ବଣ୍ଡ ସରକାରଙ୍କ ସୁଦ୍ଧ ବିଚାର ଥିଲା :-

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ସୁଦ୍ଧ ବିଚାର ସହ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ । ଦଶକରୁ ଏହା ଶୁଣିବାକୁ ମିଳୁଥିଲା, ଦେଶରେ କଳାଧନ ବ୍ୟବହାର କରି ରାଜନୀତି ହେଉଛି । ନିର୍ବାଚନକୁ ଏହି କଳାଧନ ବହୁମାତ୍ରାରେ ପ୍ରଭାବିତ କରୁଛି । ନିର୍ବାଚନରେ ପ୍ରଚୁର ଟଙ୍କା ଖର୍ଚ୍ଚ ହୁଏ, ଏପରିକି ବିଜେପି ମଧ୍ୟ ଟଙ୍କା ଖର୍ଚ୍ଚ କରୁଛି । ଲୋକଙ୍କ ନିକଟରୁ ରାଜନୈତିକ ଦଳମାନଙ୍କୁ ଚାନ୍ଦା ମିଳେ । ହେଲେ ଏହି ଚାନ୍ଦା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଓ ନିର୍ବାଚନକୁ କଳାଧନଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ପାଇଁ ବିଜେପି ସରକାର ବିଚାର ଆରମ୍ଭ କରିଥିଲା । ଯାହାର ପରବର୍ତ୍ତୀ ଫଳସ୍ବରୂପ ଏହି ନିର୍ବାଚନୀ ବଣ୍ଡ କାର୍ଯ୍ୟକାରୀ କରାଯାଇଥିଲା । ହେଲେ ଏହି ବିଚାର ସହିତ ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ବିଜେପି ସରକାର ପୂର୍ଣ୍ଣମାତ୍ରାରେ ସଠିକ ବୋଲି କହିନାହିଁ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ । ମାତ୍ର ଏହାର କାର୍ଯ୍ୟକାରିତାକୁ ବନ୍ଦ କରାଯିବା ପୁଣି ଥରେ ଦେଶକୁ କଳାଧନ ଆଡକୁ ଅଗ୍ରସର କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଫେବୃଆରୀ 15 ତାରିଖରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କ ଏହି ଯୋଜନକୁ ରଦ୍ଦ କରିଦେଇଥିଲେ । ଏହା ସହ ଏହାର ପ୍ରକ୍ରିୟାଗତ ସ୍ବଚ୍ଛ୍ବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହା ସୂଚନା ଅଧିକାର ଅଧିନିୟମର ବିରୋଧୀ ଓ ଏହାକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଥିଲେ । ଏହା ସହ ଏଥିରେ ତୁରନ୍ତ ରୋକ ଲଗାଇବା ଓ ପୂର୍ବରୁ ହୋଇଥିବା ବଣ୍ଡ ସମ୍ପର୍କିତ ତଥ୍ୟ ଦାଖଳ କରିବା ପାଇଁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ‘ଏସବିଆଇ’ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଏକାଧିକ ପର୍ଯ୍ୟାୟରେ ବିସ୍ତୃତ ତଥ୍ୟ ଦାଖଲ କରିସାରିଛି । ତେବେ 2018 ରୁ 2024 ମଧ୍ୟରେ ହୋଇଥିବା ବଣ୍ଡ କାରବାର ସମ୍ପର୍କିତ ତଥ୍ୟ ଅନୁସାରେ, ମୋଟ 16,518 କୋଟି ଟଙ୍କା ମୂଲ୍ୟର ବଣ୍ଡ ବିକ୍ରି ହୋଇଛି । ଏହାର ସର୍ବାଧିକ ରାଶି ଭାରତୀୟ ଜନତା ପାର୍ଟିକୁ ଯାଇଛି ।

ଏହା ମଧ୍ୟ ପଢନ୍ତୁ:- ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, '5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ ଭାରତ' - Narendra Modi interview

ତେବେ ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟ ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ବଡ ଝଟକା ଦେଇଥିଲା ବେଳେ ବିଜେପି ନେତାମାନେ ଏହି ଯୋଜନାକୁ ସଠିକ ଦର୍ଶାଇବାରେ ଲାଗିଛନ୍ତି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହାକୁ ପରୋକ୍ଷରେ ସଠିକ ବୋଲି ଦର୍ଶାଇଥିଲେ । ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସିଧା ବିରୋଧ ନକରିଥିଲେ ସୁଦ୍ଧା ଏହି ଯୋଜନାକୁ କଳାଧନ ନିରୋଧୀ ତଥା ପାରଦର୍ଶୀ ଯୋଜନା ଭାବେ ବର୍ଣ୍ଣନା କରିଛନ୍ତି । ଏହାକୁ ରଦ୍ଦ କରାଯିବା ଦେଶର ରାଜନୈତିକ ବ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.