ETV Bharat / bharat

କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

author img

By ETV Bharat Odisha Team

Published : Mar 21, 2024, 9:47 PM IST

Updated : Mar 21, 2024, 10:35 PM IST

କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ହଙ୍ଗାମା
କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ହଙ୍ଗାମା

Delhi CM convenor Arvind Kejriwal arrested: କେଜ୍ରିଓ୍ବାଲଙ୍କୁ ଗିରଫ କଲା ED । ବାହାରେ ସମର୍ଥକଙ୍କ ହଙ୍ଗାମା । ସମଗ୍ର ଦିଲ୍ଲୀରେ ବଢିଲା ସୁରକ୍ଷା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସଂଧ୍ୟାରେ ବାସଭବନରେ ପହଞ୍ଚିଥିବା ଇଡି ଟିମ ମାତ୍ର କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରିଛି । ତାଙ୍କୁ କୌଣସି ସମୟରେ ତଦନ୍ତକାରୀ ସଂସ୍ଥା ମୁଖ୍ୟାଳୟକୁ ନେଇପାରେ । କେଜ୍ରିଓ୍ବାଲଙ୍କ ବାସଭବନ ବାହାରେ ଦିଲ୍ଲୀ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ଶତାଧିକ ଆମ ଆଦମୀ ପାର୍ଟି କର୍ମୀ ମଧ୍ୟ ପହଞ୍ଚି ପ୍ରତିବାଦ କରିଛନ୍ତି । ପୋଲିସ ସହ ସଂଘର୍ଷ ହେବା ସହ କିଛି କର୍ମୀଙ୍କୁ ପୋଲିସ ଉଠାଇ ମଧ୍ୟ ନେଇଛି । କେଜ୍ରିଓ୍ବାଲଙ୍କ ବାସଭବନ ସମେତ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ । ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । କେଜ୍ରିଓ୍ବାଲଙ୍କ ବାସଭବନ ବାହାରେ ଧାରା 144 ମଧ୍ୟ ଜାରି କରାଯାଇଛି । ଗିରଫଦାରୀ ବିରୋଧରେ ଆମ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି ।

ପୂର୍ବରୁ ଉଭୟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲା ଓ ଜଳବୋର୍ଡ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ 9ଥର ସମନ ଜାରି କରିସାରିଛି କେନ୍ଦ୍ରୀୟ ସଂସ୍ଥା । ସେ ତଦନ୍ତରେ ସହଯୋଗ କରୁନଥିବା ଓ ହାଜର ହେଉନଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଉଜ ଆଭିନ୍ୟୁ କୋର୍ଟରେ ମାମଲା ମଧ୍ୟ କରିଥିଲା । ଏଥିରେ କେଜ୍ରିଓ୍ବାଲଙ୍କୁ ଜାମିନ ମଧ୍ୟ ମିଳିସାରିଛି । ପରେ କେଜ୍ରିଓ୍ବାଲ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଓ ଉଦ୍ଦେଶ୍ୟମୂଳକ ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଆଜି ଅପରାହ୍ନରେ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ସୁରକ୍ଷା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 12ଜଣିଆ ଅଧିକାରୀଙ୍କ ଟିମ୍‌ ତାଙ୍କ ବାସଭବନରେ ପହଞ୍ଚିଥିଲା । ସାଙ୍ଗରେ ସର୍ଚ୍ଚ ଓ୍ବାରେଣ୍ଟ ମଧ୍ୟ ଥିଲା । ଗିରଫଦାରୀ ଆଶଙ୍କା ଥିବାରୁ ଦଳୀୟ ନେତା ଓ ବହୁସଂଖ୍ୟାରେ କର୍ମୀ ତାଙ୍କ ବାସଭବନ ବାହାରେ ଏକାଠି ହେବା ଆରମ୍ଭ କରିଥିଲେ । ମାତ୍ର କିଛି ଘଣ୍ଚାର ଜେରା ପରେ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ :- ପୋଲିସ ଅଧିକାରୀଙ୍କୁ ମାଡ ମାମଲା, ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ - MP Bhartruhari Mahtab

ତେବେ ଗିରଫଦାରୀ ପରେ କେଜ୍ରିଓ୍ବାଲଙ୍କ ଇସ୍ତଫା ଦେବା ନେଇ ମଧ୍ୟ ଅନୁମାନ କରାଯାଉଛି । ମାତ୍ର ଏହାକୁ ଦଳୀୟ ନେତା ଖଣ୍ଡନ କରିଛନ୍ତି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ତଥା ଦଳର ବରିଷ୍ଠ ମହିଳା ନେତ୍ରୀ ଅତିଶୀ କହିଛନ୍ତି,‘‘କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଜାରି ରଖିବେ । ତାଙ୍କର ଇସ୍ତଫା ନେଇ କୌଣସି ପ୍ରଶ୍ନ ଉଠୁନାହିଁ । ତେଣୁ ଦଳରେ ନମ୍ବର-2 କି’ଏ ଗଣମାଧ୍ୟମ ପ୍ରଶ୍ନ କରିବା ଅନୁଚିତ । ଏହି କାର୍ଯ୍ୟାନୁଷ୍ଠାନ ବେଆଇନ । ଆମେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛୁ ।’’

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 21, 2024, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.