ETV Bharat / bharat

ଆଉ 3 ଜଣଙ୍କୁ 'ଭାରତ ରତ୍ନ': ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନ

author img

By ETV Bharat Odisha Team

Published : Feb 9, 2024, 1:47 PM IST

Updated : Feb 9, 2024, 2:40 PM IST

Bharat Ratna: 'ଭାରତ ରତ୍ନ'ରେ ସମ୍ମାନିତ ହେବେ ପି.ଭି ନରସିଂହ ରାଓ, ଏମଏସ ସ୍ବାମୀନାଥନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ । ଅଧିକ ପଢନ୍ତୁ

Bharat Ratna
Bharat Ratna

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'ରେ ସମ୍ମାନିତ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ଏମଏସ୍ ସ୍ବାମୀନାଥନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ତିନି ଜଣଙ୍କୁ ମିଶାଇ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଭାରତ ରତ୍ନ ପାଇଁ ୫ ଜଣଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ''ଆମ ସରକାର ପାଇଁ ସୌଭାଗ୍ୟ ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଛି । ଦେଶ ପ୍ରତି ଅତୁଳନୀୟ ଅବଦାନ ପାଇଁ ଏହି ସମ୍ମାନ ତାଙ୍କ ପାଇଁ ଉତ୍ସର୍ଗୀକୃତ । ସେ ତାଙ୍କର ପୂରା ଜୀବନକୁ କୃଷକଙ୍କ ଅଧିକାର ଏବଂ ସେମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଦେଶର ଗୃହମନ୍ତ୍ରୀ ହୁଅନ୍ତୁ ଏବଂ ଜଣେ ବିଧାୟକ ଭାବରେ ମଧ୍ୟ ସେ ରାଷ୍ଟ୍ର ନିର୍ମାଣରେ ସର୍ବଦା ପ୍ରେରଣା ଯୋଗାଉଥିଲେ। ଆମର କୃଷକ ଭାଇ ଓ ଭଉଣୀମାନଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ଜରୁରୀକାଳୀନ ସମୟରେ ଗଣତନ୍ତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତା ସମଗ୍ର ଦେଶ ପାଇଁ ପ୍ରେରଣାଦାୟକ ଅଟେ। ''

ମୋଦି ପି.ଭି ନରସିଂହରାଓଙ୍କ ବିଷୟରେ କହିଛନ୍ତି, '' ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ, ଏହା ସେୟାର କରି ମୁଁ ଖୁସି । ଜଣେ ପ୍ରତିଷ୍ଠିତ ବିଦ୍ବାନ ତଥା ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ କ୍ଷେତ୍ରରେ ଦେଶ ସେବା କରିଥିଲେ । ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ତଥା ବହୁ ବର୍ଷ ଧରି ସଂସଦ ତଥା ବିଧାନସଭା ସଦସ୍ୟ ଭାବରେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସ୍ମରଣ କରାଯାଇଥାଏ । ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ଆର୍ଥିକ ଦୃଷ୍ଟିରୁ ଉନ୍ନତ କରିବା, ଦେଶର ସମୃଦ୍ଧତା ଏବଂ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ''

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

ପ୍ରଧାନମନ୍ତ୍ରୀ ଏମ୍.ଏସ୍. ସ୍ବାମୀନାଥନଙ୍କ ବିଷୟରେ କହିଛନ୍ତି, ''ଦେଶରେ କୃଷି ଏବଂ କୃଷକଙ୍କ କଲ୍ୟାଣରେ ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନ ଉଲ୍ଲେଖନୀୟ ଅବଦାନ ରହିଛି । ତେଣୁ ତାଙ୍କୁ ଭାରତ ସରକାର ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରୁଛନ୍ତି । ତାହା ଅତ୍ୟନ୍ତ ଖୁସିର ବିଷୟ । କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ । ଭାରତୀୟ କୃଷିକୁ ଆଧୁନିକୀକରଣ ଦିଗରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ । ସ୍ବାମୀନାଥନଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ ବରଂ ଦେଶର ଖାଦ୍ୟ ନିରାପତ୍ତା ଏବଂ ସମୃଦ୍ଧତାକୁ ମଧ୍ୟ ସୁନିଶ୍ଚିତ କରିଛି। ମୁଁ ତାଙ୍କୁ ଅତି ନିକଟରୁ ଜାଣିଥିଲି । ''

ଏମ ଏସ ସ୍ବାମୀନାଥନ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ନେଇ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ ସୌମ୍ୟା ସ୍ବାମୀନାଥନ। ସେ କହିଛନ୍ତି, ''ମୋ ବାପା ଭାରତ ରତ୍ନରେ ସମ୍ମାନିତ ହେବା ନେଇ ଘୋଷଣା ପରେ ମୁଁ ଗର୍ବୀତ ମନେ କରୁଛି । ବାପା ବଞ୍ଚିଥିବା ସମୟରେ ଏହି ସମ୍ମାନ ପାଇଥିଲେ ବହୁତ ଖୁସି ହୋଇଥାନ୍ତେ । ''

ଏହା ମଧ୍ୟ ପଢନ୍ତୁ-ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ

୨୦୨୪ରେ ୫ ଜଣଙ୍କୁ ଭାରତ ରତ୍ନ:

2024 ମସିହାରେ ବର୍ତ୍ତମାନସୁଦ୍ଧା ୫ ଜଣଙ୍କୁ ଭାରତରତ୍ନ ପୁରସ୍କାର ଘୋଷଣା କରାଯାଇଛି । ଆଜି(ଫେବୃଆରୀ ୯) ତିନିଜଣଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଏବଂ ସବୁଜ ବିପ୍ଳବର ଜନକ ଏମଏସ୍ ସ୍ବାମୀନାଥନ । ପୂର୍ବରୁ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ।

ଭାରତ ରତ୍ନ ସମ୍ମାନ:

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ । ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ମିଳିଛି। ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପୁରସ୍କାର ଆରମ୍ଭ ହୋଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଏ । ଦେଶର ପ୍ରଧାନମନ୍ତ୍ର ଭାରତରତ୍ନ ପୁରସ୍କାର ପାଇଁ ରାଷ୍ଟ୍ରପତିଙ୍କ ନାମ ସୁପାରିସ କରିଥାନ୍ତି । ପରେ ରାଷ୍ଟ୍ରପତି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାନ୍ତି । ଭାରତରତ୍ନ ପୁରସ୍କାରରେ ସମ୍ମାନ ସ୍ୱରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 9, 2024, 2:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.