ETV Bharat / bharat

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

author img

By ETV Bharat Odisha Team

Published : Feb 3, 2024, 11:50 AM IST

Updated : Feb 3, 2024, 2:33 PM IST

LK Advani to be Awarded Bharat Ratna: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ । ସେବା, ପ୍ରତିବଦ୍ଧତା ଏବଂ ଅତୁଳନୀୟ ଅବଦାନ ପାଇଁ ସର୍ବୋଚ୍ଚ ନାଗରିକ ସମ୍ନାନ ପାଇବେ ଭେଟେରାନ ବିଜେପି ନେତା। ଅଧିକ ପଢ଼ନ୍ତୁ

ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ
ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

ହାଇଦ୍ରାବାଦ: ଦେଶର ସର୍ବାଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । "ଭାରତର ବିକାଶରେ ଆଡଭାନୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।" ଆଡଭାନୀଙ୍କୁ ସର୍ବାଚ୍ଚ ନାଗରିକ ସମ୍ମାନ ଶୁଣି ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, " ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏହା ସେୟାର କରି ମୁଁ ଅତ୍ୟନ୍ତ ଖୁସି । ଏନେଇ ମୁଁ ଆଡଭାନୀଙ୍କ ସହିତ ବାର୍ତ୍ତାଳପ କରି ତାଙ୍କୁ ଅଭିନନ୍ଦନ ଜଣାଇଛି । ଆମ ସମୟରେ ସେ ଜଣେ ସମ୍ମାନିତ ନେତା । ଦେଶର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ । ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ କରି ଉପ ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିଛନ୍ତି । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ ଏବଂ ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ରହିଛି।"

ମୋଦି ଆହୁରି ମଧ୍ୟ କହିଛନ୍ତି, " ସେ ତାଙ୍କର ଜୀବନକାଳରେ ଦୀର୍ଘ ଦଶନ୍ଧି ଧରି ସେବା, ସ୍ବଚ୍ଛତା ଏବଂ ଅଖଣ୍ଡତା ପାଇଁ ତାଙ୍କର ପ୍ରତିବଦ୍ଧତା ରହିଛି । ଏହା ଯୋଗୁଁ ରାଜନୈତିକ କ୍ଷେତ୍ରରେ ତାଙ୍କର ଆଦର୍ଶ ମାନ୍ୟତା ରହିଛି । ଜାତୀୟ ଏକତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଭାରତରତ୍ନ ପାଇଁ ତାଙ୍କ ନାମ ସୁପାରିସ କରିବା ମୋ ପାଇଁ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଏହାକୁ ସୌଭାଗ୍ୟ ବୋଲି ମନେ କରିବି । ତାଙ୍କ ଠାରୁ ଅନେକ କିଛି ଶିଖିବାର ମୁଁ ସୁଯୋଗ ପାଇଛି । "

ଭେଟେରାନ ରାଜନେତା ଆଡଭାନୀ:

ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ଭେଟେରାନ ରାଜନେତା ଆଡଭାନୀ 1927 ମସିହା ନଭେମ୍ବର 8ରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବର୍ତ୍ତମାନ 96 ବର୍ଷ ବୟସ । ସେ ପ୍ରଥମେ ଆରଏସଏସରେ ଯୋଗ ଦେଇଥିଲେ । ମାତ୍ର 14 ବର୍ଷ ବୟସରେ RSSରେ ସାମିଲ ହୋଇଥିଲେ । ପରେ ଜନସଂଘ ଏବଂ ତା ପରେ ବିଜେପିରେ ହୋଇଥିଲେ ସାମିଲ । 1980ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିବା ବେଳେ, ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ ଆଡଭାନୀ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହିତ ମିଶି ବିଜେପିକୁ ନେତୃତ୍ବ ଦେଇଥିଲେ ଆଡଭାନୀ । 1998 ରୁ 2004 ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ପରେ ସେ 2002 ରୁ 2004 ପର୍ଯ୍ୟନ୍ତ ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । 2004ରୁ 2009 ମଧ୍ଯରେ ଆଡଭାନୀ ସଂସଦରେ ବିରୋଧୀ ଦଳ ନେତା ଦାୟିତ୍ବ ତୁଲାଇଥିଲେ। ସେ ଦୀର୍ଘ ତିନି ଦଶନ୍ଧି ଧରି ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରିଛନ୍ତି । ଲୋକସଭାକୁ 7 ଥର ନିର୍ବାଚିତ ହୋଇଛନ୍ତି ଆଡଭାନୀ। ଏହାସହ ସେ 4 ଥର ରାଜ୍ୟସଭା ସଦସ୍ୟ ମଧ୍ଯ ରହିଛନ୍ତି । 2015 ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ

ଭାରତରତ୍ନ ସମ୍ମାନ:

ପ୍ରକାଶ ଥାଉକି, ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ବର୍ତ୍ତମାନ ସୁଦ୍ଧା 50 ଜଣଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ 17 ଜଣଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ମିଳିଛି। ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପୁରସ୍କାର ଆରମ୍ଭ ହୋଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଏ । ଦେଶର ପ୍ରଧାନମନ୍ତ୍ର ଭାରତରତ୍ନ ପୁରସ୍କାର ପାଇଁ ରାଷ୍ଟ୍ରପତିଙ୍କ ନାମ ସୁପାରିସ କରିଥାନ୍ତି । ପରେ ରାଷ୍ଟ୍ରପତି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାନ୍ତି । ଭାରତରତ୍ନ ପୁରସ୍କାରରେ ସମ୍ମାନ ସ୍ୱରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରନ୍ତି ।

2024ରେ 2 ଜଣଙ୍କୁ ଭାରତରତ୍ନ :

ଚଳିତବର୍ଷ ଭାରତରତ୍ନ ପୁରସ୍କାର ପାଇଁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ କର୍ପୂରୀ ଠାକୁପରଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି (ଫେବୃଆରୀ 3) ଲାଲକୃଷ୍ଣ ଆଡଭାନୀଙ୍କ ନାମ ଘୋଷଣା କରାଯାଇଛି । କର୍ପୂରୀ ଠାକୁର ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ । କର୍ପୁରୀ ଠାକୁର ବରିଷ୍ଠ ରାଜନେତା ସହ ଜଣେ ପ୍ରଖ୍ୟାତ ସମାଜ ସଂସ୍କାରକ ମଧ୍ୟ ଥିଲେ । ବିହାରର ଥରେ ଉପମୁଖ୍ଯମନ୍ତ୍ରୀ ଓ 2 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ଭେଟେରାନ ସାମାଜବାଦୀ ରାଜନେତା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଉତ୍ଥାନ ପାଇଁ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପୁରସ୍କାର ମିଳିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 3, 2024, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.