ETV Bharat / bharat

କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଆରଏସ ବିଧାୟିକା

author img

By ETV Bharat Odisha Team

Published : Feb 23, 2024, 9:20 AM IST

Updated : Feb 23, 2024, 9:41 AM IST

BRS MLA Died In Car Accident: କାର୍ ଦୁର୍ଘଟଣାରେ ତେଲେଙ୍ଗାନା ବିଆରଏସ ବିଧାୟିକା ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Lasya Nandita
Lasya Nandita

ହାଇଦ୍ରାବାଦ: ସଡକ ଦୁର୍ଘଟଣାରେ ତେଲେଙ୍ଗାନା ବିଆରଏସ ବିଧାୟିକାଙ୍କ ମୃତ୍ୟୁ । ଆଜି (ଶୁକ୍ରବାର) ସକାଳେ ୩୭ ବର୍ଷୀୟା ବିଆରଏସ ବିଧାୟିକା ଜି. ଲସ୍ୟା ନନ୍ଦିତା ଦୁର୍ଘଟଣାରେ ଆଖି ବୁଜିଛନ୍ତି । ହାଇଦ୍ରାବାଦର ନେହେରୁ ଆଉଟର ରିଙ୍ଗ ରୋଡରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍ ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଥିଲା । ବିଧାୟିକାଙ୍କୁ ଗାଡି ଭିତରୁ ଉଦ୍ଧାର କରାଯାଇ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାରେ ବିଧାୟିକାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏନେଇ ସଙ୍ଗାରେଡ୍ଡି ଏସପି ସିଏଚ ରୂପେଶ କହିଛନ୍ତି ଯେ, ବିଧାୟିକା ଲସ୍ୟା ନନ୍ଦିତା କାର୍‌ରେ ବସାରାରୁ ଗାଚିବାଉଲି ଅଭିମୁଖେ ଯାଉଥିଲେ । ତାଙ୍କର ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥିରେ ବିଧାୟିକାଙ୍କ ଡ୍ରାଇଭର ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ବିଧାୟିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ଗତ ୧୦ ଦିନ ତଳେ ବିଧାୟିକା ନନ୍ଦିତା ଆଉ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ନାଲଗୋଣ୍ଡାରେ ଏକ ଜନସଭାରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ କାର୍ ଗୋଟିଏ ଅଟୋ ସହ ଧକ୍କା ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ହେଲେ ଆଜିର ଦୁର୍ଘଟଣାରୁ ସେ ବର୍ତ୍ତି ପାରିନାହାନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୮୬ ମସିହାରେ ଲସ୍ୟା ନନ୍ଦିତାଙ୍କ ଜନ୍ମ । ସେ ଦିବଙ୍ଗତ ରାଜନେତା ସୟାନାଙ୍କ ଝିଅ । ବିଧାୟିକା ନିର୍ବାଚିତ ହେବା ପୂର୍ବରୁ ଲସ୍ୟା ନନ୍ଦିତା ବିଆରଏସ କର୍ପୋରେଟର ଥିଲେ । ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ସେ ସିକନ୍ଦରାବାଦ କାଣ୍ଟୋନମେଣ୍ଟ ଆସନରୁ ଲଢି ନିର୍ବାଚନ ଜିତିଥିଲେ । ତାଙ୍କର ବିୟୋଗରେ ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2024, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.