ETV Bharat / bharat

କେନ୍ଦ୍ରର ଫୋକସରେ ଓଡିଶା ସମେତ ପୂର୍ବ-ଭାରତର 5 ରାଜ୍ୟ

author img

By ETV Bharat Odisha Team

Published : Feb 2, 2024, 6:38 AM IST

କେନ୍ଦ୍ରର ଫୋକସରେ ଓଡିଶା ସମେତ ପୂର୍ବ-ଭାରତର 5 ରାଜ୍ୟ
କେନ୍ଦ୍ରର ଫୋକସରେ ଓଡିଶା ସମେତ ପୂର୍ବ-ଭାରତର 5 ରାଜ୍ୟ

Union Budget 2024-25: କେନ୍ଦ୍ରର ଫୋକସରେ ଓଡିଶା ସମେତ ପୂର୍ବ-ଭାରତର 5 ରାଜ୍ୟ । 2047 ସୁଦ୍ଧା ‘ବିକଶିତ ଭାରତ’ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସ୍ବାଧୀନତାର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଭାରତ ବିକଶିତ ଦେଶ ହେବାକୁ ଯାଉଛି । ଏହି ମିଶନ ସହ ପୂର୍ବ-ଭାରତ ପ୍ରତି ରହିଛି କେନ୍ଦ୍ର ସରକାରଙ୍କ ପ୍ରାଧାନ୍ୟ । ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଓ ଛତିଶଗଡ ପରି 5 ପୂର୍ବ -ଭାରତୀୟ ରାଜ୍ୟର ପ୍ରଗତିକୁ ଦେଶର ବିକାଶ ନକ୍ସାରେ ପ୍ରାଧାନ୍ୟ ଦେଉଛନ୍ତି ମୋଦି ସରକାର । ପୂର୍ବ-ଭାରତ ଓ ବିଶେଷ ଭାବେ ଏହି 5 ରାଜ୍ୟ ବିକଶିତ ଭାରତର ଇଞ୍ଜିନ ହେବାକୁ ଯାଉଛନ୍ତି । ଆଜି ଆର୍ଥିକ ବର୍ଷ 2024-25 ପାଇଁ କାମଚଳା ବଜେଟ ଉପସ୍ଥାପନ ପରେ ପ୍ରେସମିଟରେ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଗତକାଲି ସଂସଦରେ ବଜେଟ ଉପସ୍ଥାପନ କରିବା ପରେ ପ୍ରେସମିଟରେ ବିସ୍ତୃତ ବଜେଟ ଓ କେନ୍ଦ୍ର ସରକାରଙ୍କ ଅର୍ଥନୀତି ରୋଡମ୍ୟାପ ସମ୍ପର୍କରେ ପ୍ରେସମିଟ କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳା କହିଛନ୍ତି, ଦେଶ ଏବେ ଅମୃତକାଳରେ ପ୍ରବେଶ କରିଛି । 2047 ସୁଦ୍ଧା ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା ବେଳକୁ ବିକଶିତ ଭାରତରେ ପରିଣତ ହୋଇସାରିଥିବ । ଏହି ପ୍ରଗତିରେ ପୂର୍ବ-ଭାରତୀୟ ରାଜ୍ୟମାନଙ୍କ ବଡ ଭୂମିକା ରହିବାକୁ ଯାଉଛି । ବିଶେଷ ଭାବେ ଏହି 5 ରାଜ୍ୟ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଓ ଛତିଶଗଡ ଦେଶର ବିକାଶ ଇଞ୍ଜିନ ହେବାକୁ ଯାଉଛି । ତେଣୁ ଏହି ସବୁ ରାଜ୍ୟଗୁଡିକୁ ବିଶେଷ ଗୁରୁତ୍ବ ମଧ୍ୟ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଅନ୍ତରୀଣ ବଜେଟ 2024; ବିକଶିତ ଭାରତର ନାରା, ବଡ ଘୋଷଣାରେ ଗରିବଙ୍କ ପାଇଁ ପକ୍କା ଘର

ସଂସଦରେ ଗତକାଲି ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ଉପସ୍ଥାପିତ ହୋଇଛି । ମୋଦି ସରକାରର ଏହି ଷଷ୍ଠ ବଜେଟର ନାରା ରହିଛି ବିକଶିତ ଭାରତ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରେଳ, କୃଷି, ପ୍ରତିରକ୍ଷା ବିଭାଗକୁ ଏଥିରେ ପ୍ରାଧାନ୍ୟ ମିଳିଛି । ତେବେ ଏଥିରେ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇନି । ଯାହା ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ଏହି କାମଚଳା ବଜେଟକୁ ଐତିହାସିକ ଓ ବିକଶିତ ଭାରତର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 6.2 ଲକ୍ଷ କୋଟି, ଗମନାଗମନ ପାଇଁ 2.78 ଲକ୍ଷ କୋଟି, ରେଳକୁ 2.55 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ତେବେ ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଉପସ୍ଥାପିତ ହୋଇଥିବା ବେଳେ ନିର୍ବାଚନ ପରେ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.