ETV Bharat / bharat

ଲୋକଙ୍କ ଚାପ ଯୋଗୁଁ ନିର୍ବାଚନ ଲଢୁଛି ଅମୃତପାଲ ସିଂ: ଆତଙ୍କବାଦୀର ମାଆ - Amritpal Singh

author img

By ETV Bharat Odisha Team

Published : Apr 26, 2024, 11:01 PM IST

AMRITPAL SINGH
AMRITPAL SINGH

AMRITPAL SINGH CONTESTING LOK SABHA POLL: ଆସାମ ଦିବୃଗଡ଼ ଜେଲରେ ପୁଅକୁ ଭେଟିବା ପରେ ମାଆଙ୍କ ପ୍ରତିକ୍ରିୟା । କହିଲେ ଲୋକଙ୍କ ଚାପ ଯୋଗୁଁ ନିର୍ବାଚନ ଲଢୁଛି ଅମୃତପାଲ ସିଂ । ଅଧିକ ପଢନ୍ତୁ

ଚଣ୍ଡିଗଡ଼: ପଞ୍ଜାବରେ ଏକାଧିକ ଅପରାଧିକ କାଣ୍ଡ ଭିଆଇବା ପରେ ଗିରଫ ହୋଇ ବନ୍ଦୀ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା 'ୱାରିସ ଦେ ପଞ୍ଜାବ'ର ମୁଖ୍ୟ ଅମୃତପାଲ ସିଂ ଏବେ ନିର୍ବାଚନୀ ମୈଦାନରେ । ଚଳିତ ଲୋକସଭା ନିର୍ବାଚନରେ ପଞ୍ଜାବ ଖଣ୍ଡୁର ସାହିବ ଲୋକସଭା ଆସନରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଛି । ପୂର୍ବରୁ ଏହାକୁ ଖଣ୍ଡନ କରୁଥିବା ଆତଙ୍କବାଦୀର ମାଆ ଏବେ ସେ ନିର୍ବାଚନ ଲଢୁଥିବା ନେଇ ସ୍ପଷ୍ଟ କରିଛନ୍ତି । ଆସାମ ଦିବୃଗଡ଼ ଜେଲରେ ବନ୍ଦୀ ଥିବା ପୁଅକୁ ଭେଟିବା ପରେ ତା'ର ମାଆ ଏହା ସ୍ପଷ୍ଟ କରିଛନ୍ତି ।

ଅମୃତପାଲ ମା'ଙ୍କ ମନ୍ତବ୍ୟ:- ଏହା ପୂର୍ବରୁ ଅମୃତପାଲଙ୍କ ଓକିଲଙ୍କ ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା । ଯେଉଁଥିରେ ଏହି ଖଲିସ୍ତାନୀ ଆତଙ୍କବାଦୀ ନିର୍ବାଚନ ଲଢିବା ନେଇ ସେ କହୁଥିବା ଶୁଣିବାକୁ ମିଳିଥିଲା । ହେଲେ ଅମୃତପାଲର ପିତାମାତା ପ୍ରଥମେ ଏହାକୁ ଖଣ୍ଡନ କରିବା ସହ ଗୁଜବ ବୋଲି କହିଥିଲେ । ମାତ୍ର ଆସାମ ଦିବୃଗଡ଼ ଜେଲରେ ବନ୍ଦୀ ଥିବା ପୁଅକୁ ଭେଟିବା ପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଖଣ୍ଡୁର ସାହିବ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିବାକୁ ଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି । ଏହା ଅମୃତପାଲର ବ୍ୟକ୍ତିଗତ ନିଷ୍ପତ୍ତି ନୁହଁ, ବରଂ ଲୋକଙ୍କ ଚାପ ଥିବାରୁ ସେ ନିର୍ବାଚନ ଲଢିବାକୁ ଯାଉଥିବା ତାର ମାଆ କହିଛନ୍ତି । ଏହାସହିତ ତାର ସହଯୋଗୀଙ୍କୁ ଜେଲରୁ ବାହାର କରିବା ଲାଗି ସେ ଚେଷ୍ଟା କରୁଥିବା ମଧ୍ୟ ଆତଙ୍କବାଦୀର ମାଆ କହିଛନ୍ତି ।

ଏହା ବି ପଢନ୍ତୁ- ନିର୍ବାଚନ ଲଢିବା ଯୋଜନାରେ ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ

ଏହା ବି ପଢନ୍ତୁ- ଜେଲରୁ ମୁକୁଳିଲା ଲଭପ୍ରୀତ ତୁଫାନ, ଖଲିସ୍ତାନୀଙ୍କ ସମର୍ଥକଙ୍କ ସହ ବୈଠକ ପରେ ନିଆଗଲା ନିଷ୍ପତ୍ତି

ସୂଚନା ଥାଉ କି ଅମୃତପାଲ ସିଂ ଗତ ବର୍ଷ ଅଜନାଲା ପୋଲିସ ଷ୍ଟେସନ ଉପରେ ନିଜ ସମର୍ଥକଙ୍କୁ ନେଇ ଆକ୍ରମଣ କରିବା ପରେ ଗଣମାଧ୍ୟମ ସଂସ୍ଥାର ଶିରୋନାମାକୁ ଆସିଥିଲା । ଖାଲି ସେତିକି ନୁହେଁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଧମକ ଚମକ ଦେଇଥିଲା । ଏହାପରେ ଅମୃତପାଲକୁ ସାରା ଦେଶରେ ଖୋଜା ଚାଲିଥିବା ବେଳେ ସେ ବେଶ ବଦଳାଇ ପୋଲିସଠାରୁ ଲୁଚିଥିଲା । ମାତ୍ର ପଞ୍ଜାବ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରେ ଶେଷରେ ଆତ୍ମସମର୍ପଣ କରିଥିଲା ଅମୃତପାଲ । 2023 ଫେବୃଆରୀରେ ଅମୃତପାଲ ନିଜ ସମର୍ଥକଙ୍କ ସହିତ ଅସ୍ତ୍ରଶସ୍ତ୍ର ଧରି ପଞ୍ଜାବର ଅଜନାଲା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲା ।

କାହିଁକି ହୋଇଥିଲା ଆକ୍ରମଣ:- ଅମୃତପାଲର ଜଣେ ପୂର୍ବତନ ସହଯୋଗୀ ବିରେନ୍ଦ୍ର ସିଂ ନାମକ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପୋଲିସ ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ସମେତ ୬ ଜଣ ସହଯୋଗୀ, ୨୦ ଅନ୍ୟ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୋଲିସ ଅମୃତପାଲର ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନକୁ ଗିରଫ କରିଥିଲା । ତୁଫାନକୁ ମୁକ୍ତ କରିବା ଦାବି କରି ଶହ ଶହ ସମର୍ଥକଙ୍କ ସହିତ ଅସ୍ତ୍ରଶସ୍ତ୍ର ଧରି ପୋଲିସ ଷ୍ଟେସନ ଘେରାଉ କରିଥିଲା ଅମୃତପାଲ । ଏହି ଆକ୍ରମଣରେ 6ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହା ପରେ ଅମୃତପାଲକୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ଗିରଫ କରାଯିବା ପରେ ଆସାମ ଦିବୃଗଡ ଜେଲରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.