ଓଡିଶା

odisha

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ପୁସ୍ତକ ଓ କୃଷି ମେଳା

By ETV Bharat Odisha Team

Published : Dec 9, 2023, 11:34 AM IST

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ପୁସ୍ତକ ଓ କୃଷି ମେଳା

ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ପାରମ୍ପରିକ ଲୋକ ନୃତ୍ୟ ମଧ୍ୟରେ ଉଦଯାପିତ ହେଲା 18ତମ ବୌଦ୍ଧ ପୁସ୍ତକ ମେଳା ତଥା କୃଷି ମେଳା । 6 ଦିନ ଧରି ଚାଲିଥିବା ଏହି ମେଳା ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି । ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ବୌଦ୍ଧ କଚେରୀ ପଡିଆ ଠାରେ 3 ତାରିଖରୁ ଠାରୁ ଏହା ଆରମ୍ଭ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଶତାଧିକ ଷ୍ଟଲ ଖୋଲାଯାଇଥିଲା । 

ବୌଦ୍ଧଠାରେ ପ୍ରଥମଥର ପାଇଁ ପୁସ୍ତକ ମେଳା ସହିତ କୃଷି ଓ ଯନ୍ତ୍ରପାତି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପୁସ୍ତକ ପ୍ରକାଶକ ତଥା ବିକ୍ରେତା ମାନେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକୀୟ ପୁସ୍ତକ ଷ୍ଟଲ ଖୋଲିଥିଲେ । ଏଥିସହ ଲୋକମାନଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଲୁପ୍ତପ୍ରାୟ ଲୋକକଳାକୁ ମଞ୍ଚରେ ପରିବେଷଣ କରାଯାଇଥିଲା । ପାରମ୍ପରିକ ଲୋକ ନୃତ୍ୟ, ସଙ୍ଗୀତ, ବାଦ୍ୟର ଅପୂର୍ବ ସମନ୍ବୟ ଦେଖିବାକୁ ମିଳିଥିଲା । ଏହି ମେଳାରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଶତାଧିକ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା । 

ଏହାମଧ୍ୟ ପଢନ୍ତୁ.. ବୌଦ୍ଧ ପୁସ୍ତକ ମେଳା, ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ସେପଟେ ମେଳା ପଡ଼ିଆରେ ଗତ 4ତାରିଖରେ କୃଷି ମେଳାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ରାଜ୍ୟ ସରକାର କୃଷକଙ୍କ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା । ଉଭୟ ପୁସ୍ତକ ମେଳା ସହିତ କୃଷି ମେଳା ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ କଚେରୀ ପଡିଆ ଠାରେ ପହଞ୍ଚି ଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details