ETV Bharat / state

ବୌଦ୍ଧ ପୁସ୍ତକ ମେଳା, ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

author img

By ETV Bharat Odisha Team

Published : Dec 7, 2023, 11:22 AM IST

ପାରମ୍ପରିକ ଲୋକକଳାରେ ଦୁଲୁକୁଛି ପୁସ୍ତକ ମେଳାର ମଞ୍ଚ । ବିଳମ୍ବିତ ସନ୍ଧ୍ୟାରେ ସାରସ୍ୱତ ସମାବେଶର ଆସର ଜମିବା ସହିତ ଲୋକନୃତ୍ୟ ଓ ଲୋକବାଦ୍ୟର ତାଳେ ତାଳେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

ବୌଦ୍ଧ ପୁସ୍ତକ ମେଳା
ବୌଦ୍ଧ ପୁସ୍ତକ ମେଳା

ବୌଦ୍ଧ ପୁସ୍ତକ ମେଳା

ବୌଦ୍ଧ: ସାରସ୍ବତ ସମାବେଶ ସହିତ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାରେ ଦୁଲୁକୁଛି ପୁସ୍ତକ ମେଳା ମଞ୍ଚ । ବୌଦ୍ଧ ଜିଲ୍ଲାର ଏକମାତ୍ର ପୁସ୍ତକ ମେଳା ଦୀର୍ଘ ୧୮ର ବର୍ଷ ଧରି ଆୟୋଜିତ ହେଉଥିବା ବେଳେ ପାରମ୍ପରିକ ଲୋକନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ପୁସ୍ତକ ମେଳା ପଡ଼ିଆରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ତଥା ବିକ୍ରେତାମାନେ ଖୋଲିଥିବା ଷ୍ଟଲରେ ଛାତ୍ରଛାତ୍ରୀ ଓ ପାଠକଙ୍କ ବେଶ ଭିଡ଼ ଜମୁଛି । ଏଥିସହିତ ଉତ୍ସବର ମଞ୍ଚରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପାରମ୍ପରିକ ଲୋକନୃତ୍ୟ ପାଇଁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

ତେବେ ଜିଲ୍ଲା ସଦର ମହକୁମା କଚେରୀ ପଡିଆଠାରେ ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଛି ବୌଦ୍ଧ ପୁସ୍ତକ ମେଳା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାରସ୍ୱତ ସମାବେଶର ଆୟୋଜନ କରାଯିବା ସହିତ ସାହିତ୍ୟ ଆଲୋଚନା, କବିତା ପାଠ ତଥା ପୁସ୍ତକ ଉନ୍ମୋଚନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ପୁସ୍ତକମେଳାରେ ସବୁଠାରୁ ଅଧିକ ଆକର୍ଷଣୀୟ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । କାରଣ ଏହି ଉତ୍ସବ ମଞ୍ଚରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୁପ୍ତପ୍ରାୟ ପାରମ୍ପରିକ ଲୋକନୃତ୍ୟ ଦର୍ଶକଙ୍କୁ ଖୁବ ଆକର୍ଷିତ କରୁଛି । ପାରମ୍ପରିକ ଲୋକକଳା ଡାଲଖାଇ, ମାଏଲାଜଡ, ରସରକେଲି ଝାଲିଆ ଶବର, କୃଷ୍ଣ ଗୁରୁ, ଢେମସା, ନଚନିଆ, ବଜନିଆ ପତର ଶଉରା, ଘୁଡୁକା ଭଳି ଅନେକ ଲୁପ୍ତପ୍ରାୟ ଲୋକକଳା ପୁସ୍ତକ ମେଳା ମଞ୍ଚରେ ପରିବେଷଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା

ଫଳରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦର୍ଶକମାନେ ଏଭଳି ପାରମ୍ପରିକ ଲୋକକଳାକୁ ଉପଭୋଗ କରୁଥିବା ପରିଲକ୍ଷିତ ହୋଇଛି । ଏହାଛଡା ଗତକାଲି (ବୁଧବାର) ସନ୍ଧ୍ୟାରେ ଅନୁଷ୍ଠିତ କୁନି କୁନି ପିଲାମାନଙ୍କ ରାମ୍ପ ଶୋ' ବେଶ ଆକର୍ଷଣୀୟ ହୋଇଥିଲା । ଛୋଟ ଶିଶୁମାନଙ୍କ ସହିତ ସେମାନଙ୍କ ମାଆମାନେ ମଧ୍ୟ ରାମ୍ପ ଶୋ' ରେ ଅଂଶ ଗ୍ରହଣ କରିଥିଲେ । ସେହିପରି ମେଳା ପଡ଼ିଆରେ ଖୋଲିଥିବା ସ୍ବତନ୍ତ୍ର ଖିଲିପାନ ଦୋକାନ ସହିତ ହାତ ତିଆରି ବଡ଼ି, ଆଚାର, ପାମ୍ପଡ ଭଳି ବିଭିନ୍ନ ପାରମ୍ପରିକ ଖାଦ୍ୟ ଦର୍ଶକ ଓ ଗୃହିଣୀଙ୍କ ପ୍ରଥମ ପସନ୍ଦ ହୋଇଥିଲା । ଯାହାକୁ ନେଇ ଗୃହିଣୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ପୁସ୍ତକ ମେଳା ସହିତ ଚଳିତ ବର୍ଷ ଏଠାରେ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆରମ୍ଭ ହୋଇଥିଲା । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି କୃଷି ମେଳାକୁ ଉଦଘାଟନ କରିବା ସହିତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.