ସୁବର୍ଣ୍ଣପୁର:ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଜଗତଜନନୀ । ମା'ଙ୍କ ଆଗମନରେ ସୃଷ୍ଟି ହୋଇଛି ଚଳଚଞ୍ଚଳ ପରିବେଶ । ଏନେଇ ସୁବର୍ଣ୍ଣପୁର ଗଡଜାତର ଐତିହାସିକ ବଳୀଯାତ୍ରା ମହାନବମୀ ତିଥିର ମହାବଳୀ ଯାତ୍ରା ପାଳିତ ହୋଇଯାଇଛି । ଗତକାଲି ରାତ୍ରୀର ଦ୍ବୀତିୟ ପ୍ରହରରୁ ମା' ଖମ୍ବେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଥିବା ଏହି ବଳୀଯାତ୍ରା ଆଜି ସକାଳ ପ୍ରାୟ 10 ଟା ସମୟରେ ମା' ସୁରେଶ୍ବରୀଙ୍କ ପୀଠରେ ସମାପନ ହୋଇଛି ।
ଗତକାଲି ନିଶାର୍ଦ୍ଧରେ ଦେବୀ ମା' ଖମ୍ବେଶ୍ବରୀ ପୀଠରେ ଆରମ୍ଭ ହୋଇଥିଲା ମହାନବମୀ ବଳୀ ପର୍ବ । ପ୍ରଥମ ପର୍ଯ୍ୟାୟରେ ଡାଙ୍ଗୁଆ ବଳୀ ଓ ଗାୟନ ବଳୀ କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜପୁରୋହିତ ତାନ୍ତ୍ରୀକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ବଳୀ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଖମ୍ବେଶ୍ବରୀ ମନ୍ଦିର ସେବାୟତ, ବାଦ୍ୟକାର, ଚାରିଘରିଆ , ରାଜପୁରୋହିତ, ମାଳି, ତେଲି ଏବଂ ଛିପି ଆଦି ସଂପ୍ରଦାୟର ସମସ୍ତ ସେବାୟତ ସାମିଲ ହୋଇ ଖମ୍ବେଶ୍ବରୀ ମନ୍ଦିର ମୁଖଶାଳାରେ ବଳୀ କାର୍ଯ୍ୟ ସମ୍ପାଦନ କରିଥିଲେ ।
ତେବେ ଆଜି ସକାଳେ ମା' ମହାବଳୀ ମୁଖଶାଳାରୁ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ଦେବୋତ୍ତର କମିଟି ଓ ବଳୀଯାତ୍ରା କମିଟି ପକ୍ଷରୁ ଖମ୍ବେଶ୍ବରୀ ମନ୍ଦିର ବାହାରେ ଏଲଇଡି ମାଧ୍ୟମରେ ମନ୍ଦିର ମୁଖଶାଳାରେ ଆୟୋଜିତ ଡାଂଗୁଆ ବଳୀ, ଗାୟନ ବଳୀ ଓ ମହାବଳୀ ପର୍ବ ପ୍ରଦର୍ଶିତ କରାଯାଇଥିଲା । ଖମ୍ବେଶ୍ବରୀ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ବଳୀଯାତ୍ରା ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ମହାନବମୀ ବଳୀର ମହାବଳୀ ପର୍ବରେ ସାମିଲ ହୋଇ ଦେବୀ କୃପା ଲାଭ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ମହାବଳୀ ମନ୍ଦିର ମୁଖଶାଳାରୁ ବାହାରି କଳା ଧଳା ଛତ୍ର ଧରି ନୃତ୍ୟ କରିଥିଲେ । ଦେବୀ ମା' ଖମ୍ବେଶ୍ବରୀ ପୀଠରେ ମହାବଳୀର ନୃତ୍ୟ ପରେ ସେବାୟତଙ୍କ ଗହଣରେ ମହାବଳୀ ଦେବୀ ମା' ସୁରେଶ୍ବରୀ ମନ୍ଦିରକୁ ପ୍ରସ୍ଥାନ କରିଥିଲେ ।