ଓଡିଶା

odisha

ମିଳୁନି ଯୋଗ୍ୟତା ଅନୁସାରେ ଦରମା, ଆନ୍ଦୋଳନକୁ ଓହ୍ଳାଇଲା ମିଳିତ ଅମଲା ସଂଘ

By

Published : May 22, 2023, 2:06 PM IST

ଆଜି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

amala association protest in sonpur
amala association protest in sonpur

ସୋନପୁର: ଯୋଗ୍ୟତା ଅନୁସାରେ ଦରମା ପ୍ରଦାନ କରାନଯିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ । ଅମଲା ମଞ୍ଚର ସଂଯୋଜକ ଦିନେଶ ମିଶ୍ରଙ୍କ ନେତୃତ୍ବରେ 32ଟି ବିଭାଗର ଶତାଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କଳାବ୍ୟାଚ୍‌ ପରିଧାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅମଲାମାନଙ୍କ ଯୋଗ୍ୟତା ତୁଳନାରେ ରାଜ୍ୟ ସରକାର ମାସିକ ଦରମା ପ୍ରଦାନ କରୁ ନଥିବା ଅଭିଯୋଗ କରିଛନ୍ତି । ଗତ 2017 ମସିହାରେ ରାଜ୍ୟ ସରକାର କନିଷ୍ଠ ସହାୟକମାନଙ୍କ ପ୍ରବେଶିକା ଯୋଗ୍ୟତା ନିର୍ଦ୍ଧାରଣ କରିଥିଲେ । ଅନ୍ୟୁନ ସ୍ନାତକ ସହିତ କମ୍ପ୍ୟୁଟର ଶିକ୍ଷାକୁ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଛି । ତେବେ ଯୋଗ୍ୟତା ତୁଳନାରେ କନିଷ୍ଠ ସହାୟକମାନଙ୍କୁ ଦରମା ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇ ଥିଲେ ହେଁ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ ହୋଇଛି ।

କନିଷ୍ଠ ସହାୟକମାନଙ୍କୁ 9,300 ରୁ 34,800 ଦରମା ପ୍ରଦାନ କରିବା ସହିତ 4,200 ଗ୍ରେଡ ପେ' ପ୍ରଦାନ କରିବା ପାଇଁ ଆନ୍ଦୋଳନ କରିଛି ଅମଲା ମଞ୍ଚ। ଅମଲା ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ଆଜି ଅମଲାମାନେ କଳାବ୍ୟାଜ ପରିଧାନ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଆସନ୍ତା ମେ 31 ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଜୁନ 1 ତାରିଖରୁ ଅମଲାମାନେ ସମୂହ ଛୁଟିରେ ରହିବା ପାଇଁ ଚେତାବନୀ ଦେଇଛନ୍ତି ।

ରାଜ୍ୟ ମିଳିତ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ କରିବାକୁ ଅନୁରୋଧ ମଧ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅମଲା ସଂଘ ସହିତ କୌଣସି ଆଲୋଚନା କରାଯାଇ ନଥିବା ବେଳେ ରାଜ୍ୟ ସରକାର ଏଯାଏଁ ଅମଲା ସଂଘର ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଜିଠାରୁ ଅମଲାମାନେ ଆଗାମୀ 31 ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍‌ ପରିଧାନ କରି ନିଜ ନିଜ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ପାଦନ କରିବେ । ଦାବି ପୂରଣ ନହେଲେ ଜୁନ୍‌ ପହିଲାରେ ଅମଲାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି । ଦାବି ତୁରନ୍ତ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଇଟିଭି ଭାରତ, ସୋନପୁର

ABOUT THE AUTHOR

...view details