ଓଡିଶା

odisha

ଭାଲେଣ୍ଟାଇନ୍ସ ଡେ'ରେ କନ୍ୟାଶ୍ରମରେ ନିଆରା ବାହାଘର, ଶିବାଙ୍କୁ ସାତ ଜନ୍ମର ସାଥୀ କଲେ କସ୍ତୁରୀ

By

Published : Feb 14, 2023, 9:11 PM IST

Updated : Feb 15, 2023, 9:59 AM IST

ସମ୍ବଲପୁର ଧନକଉଡା କନ୍ୟା ଆଶ୍ରମରେ ଭାଲେଣ୍ଟାଇନ୍ସ ଡେ'ରେ ଅନୁଷ୍ଠିତ ହୋଇଛି ନିଆରା ବିବାହ ଉତ୍ସବ । ଏହି ଆଶ୍ରମରେ ବାସ କରୁଥିବା କସ୍ତୁରୀଙ୍କୁ ବିବାହ କରିଛନ୍ତି ଶିବା । ଗତକାଲି ବିବାହ ପ୍ରସ୍ତାବ ଆସିଥିବା ବେଳେ ଆଜି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

wedding on Valentines day
wedding on Valentines day

ଭାଲେଣ୍ଟାଇନ୍ସ ଡେ'ରେ କନ୍ୟାଶ୍ରମରେ ନିଆରା ବାହାଘର

ସମ୍ବଲପୁର:ଆଜି ହେଉଛି ଭାଲେଣ୍ଟାଇନ୍ସ ଡେ'। ପ୍ରେମ ପାଇଁ ଦିନ ଟିଏ। ତେବେ ଆଜିର ଏହି ସ୍ବତନ୍ତ୍ର ଦିନରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ଏକ ନିଆରା ବାହାଘର। ସମ୍ବଲପୁର ଧନକଉଡା କନ୍ୟା ଆଶ୍ରମରେ ରହୁଥିବା ଏକ ଅନାଥ ଝିଅ କସ୍ତୁରୀର ଆଜି ବାହାଘର କରିଛି ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ କେତେକ ସମାଜସେବୀ । କସ୍ତୁରୀଙ୍କ ପାଇଁ ଗତକାଲି ପ୍ରସ୍ତାବ ଆସିଥିବା ବେଳେ ଆଜି କ୍ଷେତରାଜପୁର ଗୁଡେଶ୍ବର ବାବା ମନ୍ଦିରରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି ।

ଗତକାଲି (ଫେବୃଆରୀ ୧୩) ତାରିଖରେ ପୁଅ ଘର ପକ୍ଷରୁ ସମ୍ବଲପୁର ଧନକଉଡା ସ୍ଥିତ କନ୍ୟାଶ୍ରମର ଅନ୍ତେବାସୀ ଅନାଥ ଝିଅ କସ୍ତୁରୀଙ୍କ ପାଇଁ ପ୍ରସ୍ତାବ ଆସିଥିଲା । କସ୍ତୁରୀ ୩ ବର୍ଷ ବୟସରୁ ଏହି କନ୍ୟାଶ୍ରମରେ ରହି ଆସୁଥିଲେ। କନ୍ୟାଶ୍ରମରେ ରହି ପାଠ ପଢିବା ସହ ମ୍ୟାଟ୍ରିକ ପାସ କରିବା ପରେ ଆଇଟିଆଇ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। ଏଭଳି ସ୍ଥିତି ରେ ତାଙ୍କର ବାହାଘର ବୟସ ହୋଇଯିବାରୁ ତାଙ୍କ ପାଖକୁ ଅନେକ ପ୍ରସ୍ତାବ ଆସିବାକୁ ଲାଗିଥିଲା । ଶେଷରେ ତାଙ୍କର ବାହାଘର ଚିପିଲିମା ବନ୍ଦପାଲିର ଯୁବକ ଶିବ ବିଭାରଙ୍କ ସହ ସ୍ଥିର ହୋଇଥିଲା ।

ଆଉ ଆଜି ଭାଲେଣ୍ଟାଇନ୍ସ ଡେ' ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଓ ପରମ୍ପରା ମୁତାବକ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଏକାଠି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି। ଶିବାଙ୍କ ପରିବାର ପକ୍ଷରୁ ଆସିଥିବା ପ୍ରସ୍ତାଵରେ କସ୍ତୁରୀ ନିଜର ସହମତି ଦେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବିବାହ ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିଥିଲା ଓ ବିବାହ ଅନୁଷ୍ଠାନ ପାଇଁ ସ୍ଥାନୀୟ ସମାଜସେବୀଙ୍କ ସହାୟତା ଲୋଡିଥିଲା ।

ଏହା ବି ପଢନ୍ତୁ- ପୁଣି ହୃଦୟ ଜିତିଲେ ଟଙ୍କିକିଆ କ୍ଲିନିକ୍ ଡାକ୍ତର, ଗରିବ ରୋଗୀଙ୍କ ସେବାରେ ନିଜ କାରକୁ କଲେ ଉତ୍ସର୍ଗ

ସମାଜସେବୀମାନେ ମଧ୍ୟ ସଙ୍ଗେ ସଙ୍ଗେ ଭାଲେଣ୍ଟାଇନ୍ସ ଡେ'ରେ ବିବାହ କରିବା ପାଇଁ ସ୍ଥିର କରିବା ସହ କନ୍ୟାଦାନ ପାଇଁ ଜଣେ ଦମ୍ପତି ଖୋଜିଥିଲେ। ତେବେ କ୍ଷେତରାଜପୁରର ପ୍ରତିଷ୍ଠିତ ବ୍ୟବସାୟୀ ଶମ୍ଭୁ ବାରେଳିଆ ଓ ତାଙ୍କର ପତ୍ନୀ ସରିତା ବରେଳିଆ ଏହି ନିଆର ବିବାହର କନ୍ୟାଙ୍କ ପିତାମାତା ହୋଇ କନ୍ୟାଦାନ କରିବାକୁ ରାଜି ହେବାରୁ ଅନୁଷ୍ଠିତ ହୋଇଥିଲା ବାହାଘର। କସ୍ତୁରୀଙ୍କୁ ନିଜ ଝିଅ ଭାବି ବିବାହ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ଼ କରିଥିଲେ ଏହି ଦମ୍ପତି। ଏହା ପରେ ଆଜି ଗୁଡ଼େଶ୍ବର ବାବା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ନିଆରା ବିବାହ ଉତ୍ସବ ।

ଏହି ବିବାହରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ସ୍ଥାନୀୟ ସମାଜସେବୀ । ଆଉ ଶେଷରେ ଆଜି ଏହି ନିଆର ବାହାଘର ଅନୁଷ୍ଠିତ ହୋଇଥିଲା । କସ୍ତୁରୀଙ୍କୁ ବିବାହ କରିଥିବା ଶିବ ବିଭାର ବୁର୍ଲାରେ ଏକ ହୋଟେଲରେ କାମ କରନ୍ତି। ତେବେ କସ୍ତୁରୀଙ୍କୁ ଜୀବନସାଥୀ ଭାବେ ବାଛିଥିବା ଶିବାଙ୍କୁ ମଧ୍ୟ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Feb 15, 2023, 9:59 AM IST

ABOUT THE AUTHOR

...view details