ରାୟଗଡା: ସାରା ରାଜ୍ୟରେ ବାଲ୍ୟ ବିବାହ ଏକ ସମସ୍ୟା ହୋଇ ଠିଆ ହୋଇଛି । ଏହାକୁ ରୋକିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମଠୁ ଆରମ୍ଭ କରି ନୀତି ନିୟମ ପ୍ରଣୟନ ହେଲେ ବି ସ୍ଥିତି ସୁଧୁରିନି । ଜୀବନ କଣ ବୁଝିବା ଆଗରୁ କଅଁଳ ବେଡିରେ ହାତ ଗଣ୍ଠି ପଡୁଛି । ଆଉ ଦାଉରେ ଲାଗୁଛି କଅଁଳ ନିଷ୍ପାପ ଶିଶୁଙ୍କ ଜୀବନ । ଆଉ ରାୟଗଡା ଜିଲ୍ଲାରେ ଏହି ସ୍ଥିତି ଏବେ ଚିନ୍ତାଜନକ ହୋଇପଡିଛି । ଏବେବି ଜିଲ୍ଲାରେ ଭରି ରହିଛି ଅନ୍ଧ ବିଶ୍ବାସ ସାଙ୍ଗକୁ କୁସଂସ୍କାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଜିଲ୍ଲାରେ 34.4 ପ୍ରତିଶତ ବାଲ୍ୟ ବିବାହ ହେଉଛି । ରାଜ୍ୟରେ ରାୟଗଡା ଜିଲ୍ଲା ବାଲ୍ୟ ବିବାହରେ 5ମ ସ୍ଥାନରେ ରହିଛି । ବିଶେଷ ଭାବେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ଦିନକୁ ଦିନ ବଢି ଚାଲିଛି । ଯାହା ରୋକିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପଡିଛି ।
ସଚେତନତାର ଦ୍ବାର ମୁଳେ କଣ୍ଟା ହୋଇ ଠିଆ ହୋଇଛି କନ୍ୟା ଝିକା, ଉଦୁଲିଆ ଭଳି ପ୍ରଥା । 16 ବର୍ଷ ପୂର୍ବରୁ ଡ଼ଙ୍ଗରିଆ , କୂଟିଆ , କୁଇ, କନ୍ଧ ସମ୍ପ୍ରଦାୟର ଝିଅମାନେ ଘର ସଂସାରରେ ବାନ୍ଧି ହୋଇ ପଡୁଛନ୍ତି । ଆଉ ସାରା ଜୀବନ ପରିବାର ବୋଝରେ ଚାପି ହୋଇପଡୁଛନ୍ତି ।