ପୁରୀ:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି(ଗୁରୁବାର) ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ସକାଳୁ ସକାଳୁ ଅର୍ଥମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସୀତାରମଣ ଆଜି ସକାଳେ ପୁରୀରେ ପହଞ୍ଚିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା । ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ଯାଇ ବାଲୁକା କଳା ବୁଲି ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା 'ମୋ ମାଟି, ମୋ ଦେଶ' ଥିମ୍ ଉପରେ ପ୍ରସ୍ତୁତ ବାଲୁକା କଳାକୁ ଦେଖିଛନ୍ତି । ଏହାପରେ ସେ ପୁରୀ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ ଯାଇ 'ମୋ ମାଟି, ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ଯୋଗ ଦେବେ । ସେଠାରୁ ସାଢେ ୧୦ଟାରୁ ୧୧ଟା ୧୫ ମଧ୍ୟରେ ବୀର ହରେକୃଷ୍ଣପୁରକୁ ଗସ୍ତ କରି ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଓ ଭୁବନେଶ୍ବରରୁ ଫେରିଯିବେ । ଭୁବନେଶ୍ବରରେ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଜି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ରହିଛି ।