ପୁରୀ: ଗାଈମାନଙ୍କ ଠାରେ ଦେଖା ଦେଇଛି ଅଜଣା ରୋଗ । ଆଖି ଫୁଲିବା ସହିତ ପତଳା ଝାଡା ହେବା ଓ ଗୋଡ ଫୁଲିବା ପରେ ଗାଈଙ୍କ ମୃତ୍ୟୁ ହେଉଥିବାର ଚାଷୀ ଅଭିଯୋଗ କରିଛନ୍ତି । ପୁରୀ ଜିଲ୍ଲା ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତରେ ଗାଈମାନଙ୍କ ଠାରେ ଏହି ଅଜଣା ରୋଗ ଦେଖାଦେଇଛି । ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗାଈମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ଗାଈ ମାନଙ୍କର ପ୍ରଥମେ ଆଖି ଫୁଲିବା ସହିତ ପତଳା ଝାଡା ହେବା, ଗୋଡ ଫୁଲିବା ପରେ ନିସ୍ତେଜ ହୋଇଯାଉଥିବା ଲକ୍ଷଣ ଦେଖାଦେଇଛି । ଏହାର କିଛି ଦିନ ପରେ ଗାଈଙ୍କ ମୃତ୍ୟୁ ଘଟୁଛି । ଏଭଳି ଅଜଣା ରୋଗରେ ଗାଈ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଏବଂ ପ୍ରତିଷେଧକ ଔଷଧ କାମ ନକରିବା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଋଣ କରି ଗାଈ କିଣିଥିବା ବେଳେ ସଂକ୍ରମିତ ରୋଗରେ ମୃତ୍ୟୁ ଘଟିବା ଓ ଋଣ କିପରି ସୁଝିବେ ସେନେଇ ଚାଷୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଗାଈ ମାନଙ୍କୁ ପୂର୍ବରୁ ବିଭିନ୍ନ ରୋଗ ପାଇଁ ପ୍ରତିଷେଧକ ଟୀକା ଦିଆଯାଉଥିଲା । କିନ୍ତୁ ଏହି ରୋଗର ଲକ୍ଷଣ ଜଣାନଥିବାରୁ ନିରାକରଣ ସମସ୍ୟା ଦେଖାଦେଉଛି ।