ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ ପୁଣି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ କଣ୍ଟାଗାଁ ଅଞ୍ଚଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ଉକ୍ତ ଗ୍ରାମର ବୁଦନ ସୌରା ବୋଲି ଜଣା ପଡ଼ିଛି । ବୁଦନ ଗ୍ରାମ୍ୟ ଜଙ୍ଗଲକୁ ଜଗିବାକୁ ଯାଇଥିବା ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କର୍ଲାପଟା ଅଭୟାରଣ୍ୟରୁ ନବରଙ୍ଗପୁର ସୀମାରେ ହାତୀ ପ୍ରବେଶ କରିଛି । ଗତକାଲି ସନ୍ଧ୍ୟାରେ ଗ୍ରାମ୍ୟ ଜଙ୍ଗଲକୁ ଜଗିବାକୁ ଯାଇଥିବା ଜଗୁଆଳି ହାତୀ ସହ ମୁହାମୁହିଁ ହୋଇଥିଲେ । ଆଉ ସେଠାରେ ହାତୀ ଘଉଡ଼ାବାକୁ ଉଦ୍ୟମ କରୁଥିବା ବେଳେ ବୁଦନ ସୌରାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଡାବୁଗାଁ ରେଞ୍ଜର ସେତୁ ରଞ୍ଜନି ଗମାଙ୍ଗ, ନବରଙ୍ଗପୁର ରେଞ୍ଜର ତାଡିତ ସ୍ୱାଇଁଙ୍କ ତତ୍ତ୍ବାବଧାନରେ ୩୦ ଜଣିଆ ୱାଇଲ୍ଡ ଲାଇଫ୍ ସ୍କ୍ବାଡ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
ପ୍ରକାଶ ଥାଉକି, ଗତ ୫ ତାରିଖରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତ ସ୍ଥିତ ବେରେନ ପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ରାଇସିଙ୍ଗ ମାଝୀ କାଶୀବୋଣ୍ଡେଲ ଗାଁରୁ ଜଙ୍ଗଲ ରାସ୍ତା ଦେଇ ନିଜ ଗାଁ ବେରେନ ପିଣ୍ଡାକୁ ଫେରୁଥିଲେ । ଏହି ସମୟରେ ବେରେନପିଣ୍ଡା ଓ ମଇନଗୁଡା ଜଙ୍ଗଲରେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । କିଛି ବୁଝିବା ଆଗରୁ ଗଜରାଜ ପ୍ରଥମେ ରାଇସିଙ୍ଗକୁ ଶୁଣ୍ଢରେ କଚାଡି ମାରିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।