ରାଇରଙ୍ଗପୁର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ପିଠାବଟା ଗେଟ୍ ନିକଟରୁ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି । ସେହିପରି ଯଶିପୁର ସ୍ଥିତ କାଳିକା ପ୍ରସାଦରେ ଗେଟରେ ମଧ୍ୟ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।
ତେବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯଶିପୁର ସ୍ଥିତ କାଳିଆଣୀ ଗେଟରୁ ପ୍ରତ୍ୟେକ ଦିନ ୩୫ଟି ଗାଡି ଏବଂ ବାରିପଦା ସ୍ଥିତ ପିଠାବଟା ଗେଟରୁ ୨୫ଟି ଗାଡି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବ ବୋଲି ବନବିଭାଗ ପକ୍ଷରୁ ସ୍ଥିର କରାଯାଇଛି । ଉକ୍ତ ଦୁଇଟି ଗେଟରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ତିନି ଘଣ୍ଟା ପାଇଁ ବୁକିଂ କାଉଣ୍ଟର ଖୋଲା ରହିବ । ପର୍ଯ୍ୟଟକମାନେ ବୁକିଂ କାଉଣ୍ଟରରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଧାର୍ଯ୍ୟ ଶୁଳ୍କ ଦେଇ ଅନୁମତି ପତ୍ର ପାଇପାରିବେ । ଏଥିପାଇଁ ପ୍ରତି ପର୍ଯ୍ୟଟକଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି ।
ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନେ ପ୍ଲାଷ୍ଟିକ ସାମଗ୍ରୀ, ଆମିଷ ଖାଦ୍ୟ, ମାଚିସ, ଲାଇଟର, ମାଦକ ଦ୍ରବ୍ୟ ଆଦି ସାମଗ୍ରୀ ନେଇଯିବାକୁ ବ୍ୟାନ କରାଯାଇଛି । ସେପଟେ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରିଯାପନ ପାଇଁ www.ecotourism.com ୱେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ । ଗାଇଡ ଲାଇନ ଅନୁଯାୟୀ, ଶିମିଳିପାଳ ବୁଲିବା ପାଇଁ ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ଗାଇଡକୁ ସାଥିରେ ନେଇଯିବାର ନିୟମ ରହିଛି ।