ETV Bharat / state

ଅକ୍ଟୋବର ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

author img

By ETV Bharat Odisha Team

Published : Oct 7, 2023, 10:53 PM IST

ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ୧୪ ଅକ୍ଟୋବର ଶନିବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଅଧିକ ପଢ଼ନ୍ତୁ

ଆସନ୍ତା ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ଆସନ୍ତା ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଆସନ୍ତା ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ରାଇରଙ୍ଗପୁର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ । ପ୍ରତ୍ୟେକ ବର୍ଷ ବର୍ଷା ୠତୁ ଆସିଲେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନିଷେଧ ରହିଥାଏ । ପାହାଡିଆ ଅଙ୍କାବଙ୍କା ଉଠାଣିଆ ରାସ୍ତା ବର୍ଷାରେ ଧୋଇଯିବା ଯୋଗୁଁ ଏହା ବିପଦ ସଂକୁଳ ଅବସ୍ଥାରେ ରହିଥାଏ । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେନେଇ ପାଖାପାଖି ଦୁଇ ମାସ ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ବାରଣ କରାଯାଇଥାଏ ।

ତେବେ ବର୍ଷା ଋତୁ ସରି ଆସୁଥିବା ବେଳେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ତେବ ୧୪ ଅକ୍ଟୋବର ଶନିବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି । ତେବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯଶିପୁର ସ୍ଥିତ କାଳିଆଣୀ ଗେଟରୁ ପ୍ରତ୍ୟେକ ଦିନ ୩୫ ଟି ଗାଡି ଏବଂ ବାରିପଦା ସ୍ଥିତ ପିଠାବଟା ଗେଟରୁ ୨୫ଟି ଗାଡି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବ ବୋଲି ବନବିଭାଗ ପକ୍ଷରୁ ସ୍ଥିର କରାଯାଇଛି । ଉକ୍ତ ଦୁଇଟି ଗେଟରେ ସକାଳ ୬.୦୦ ରୁ ୯.୦୦ ପର୍ଯ୍ୟନ୍ତ ତିନି ଘଣ୍ଟା ପାଇଁ ବୁକିଂ କାଉଣ୍ଟର ଖୋଲା ରହିବ । ପର୍ଯ୍ୟଟକ ମାନେ ବୁକିଂ କାଉଣ୍ଟରରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଧାର୍ଯ୍ୟ ଶୁଳ୍କ ଦେଇ ଅନୁମତି ପତ୍ର ପାଇ ପାରିବେ ।

ତେବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ସାମଗ୍ରୀ, ଆମିଷ ଖାଦ୍ୟ, ମାଚିସ, ଲାଇଟର, ମାଦକ ଦ୍ରବ୍ୟ ଆଦି ସାମଗ୍ରୀ ନେଇଯିବାକୁ ବ୍ୟାନ କରାଯାଇଛି । ସେପଟେ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ www.ecotourism.com ୱେବସାଇଟରେ ଅଗ୍ରୀମ ବୁକିଂ କରିବାର ସୁବିଧା ମଧ୍ୟ ରହିଛି। ଗାଇଡ ଲାଇନ ଅନୁଯାୟୀ, ଶିମିଳିପାଳ ବୁଲିବା ପାଇଁ ପର୍ଯ୍ୟଟକ ମାନେ ପ୍ରତି ଗାଡ଼ିରେ ଜଣେ ଗାଇଡକୁ ସାଥିରେ ନେଇଯିବାର ନିୟମ ରହିଛି।

ଏଥି ସହିତ ପୂର୍ବାହ୍ନ ୩.୦୦ ସମୟ ପୂର୍ବରୁ ଯୋରନ୍ଦା ଓ ବରେହିପାଣି, ପୂର୍ବାହ୍ନ ୪.୦୦ ସମୟ ପୂର୍ବରୁ ଚହଲା ଏବଂ ସନ୍ଧ୍ୟା ୫.୦୦ ସମୟ ପୂର୍ବରୁ ଗେଟ୍ ବାହାରକୁ ଫେରିଯିବା ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଚଳିତ ବର୍ଷ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହାସିକ କ୍ରୀଡା, ମାଉଣ୍ଟେନ ସାଇକେଲିଂ, ନେଚର ଗେମିଙ୍ଗ ଓ ଜଙ୍ଗଲ ସଫାରୀ ଭଳି କିଛି ନୂତନ ଜିନିଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିଛନ୍ତି। ସେହିପରି ଯେଉଁ ପର୍ଯ୍ୟଟକମାନେ ରାତ୍ରୀ ରହଣି ପାଇଁ ବୁକିଂ କରିଥିବେ ସେମାନେ ବରେହିପାଣି, ଗୁଡଗୁଡିଆ, ଜାମୁଆଣି, କୁମାରୀ, ରାମତୀର୍ଥ ଆଦି ସ୍ଥାନରେ ରହି ପାରିବେ। ଏଥି ନିମନ୍ତେ ଏସବୁ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପର୍ଯ୍ୟଟକମାନେ ସୁରକ୍ଷିତ ଭାବରେ କିପରି ଅତି ନିକଟରୁ ବନ୍ୟଜନ୍ତୁମାନଙ୍କୁ ଦେଖିପାରିବେ ସେନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଜୁନ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଖୋଲା ରହିବ ୪ଟି ଇକୋ ଟୁରିଜିମ

ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି। ଏହା ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ। ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ। ତେବେ ସବୁଜ ବନାନୀ, ସୁଉଚ୍ଚ ପର୍ବତ, ଭାସ୍ୟମାନ ମେଘମାଳା ଓ ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଦେଖିବାକୁ ମିଳନ୍ତି । ତେବେ ଖୈରିବୁରୁ ଓ ମେଘାସନୀ ପର୍ବତ ଏବଂ ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ବାହାରି ଥିବା ନଦୀ ଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.