ବାରିପଦା: ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷାରେ ବେହାଲ ମୟୂରଭଞ୍ଜ । ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ନଦୀ ଗୁଡିକ ବୁଢ଼ାବଳଙ୍ଗ ଏବଂ ଜମ୍ଭୀରା ଓ ଅନ୍ୟାନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ବେହାଲ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ବୃଷ୍ଟିପାତ ୧୨୨.୧୮ ମିଲିମିଟର ରେକର୍ଡ କରାଯାଇଛି । ତେବେ ବାରିପଦା ସହରରେ ସର୍ବାଧିକ ୨୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଉପର ମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢୁଛି । ଜିଲ୍ଲାର ବୁଢ଼ାବଳଙ୍ଗ, ଜମ୍ଭୀରା, ଗଙ୍ଗାହାର, ଖଡ଼ଖାଇ ନଦୀର ଜଳସ୍ତର ବୃଦ୍ଧି ହେଉଥିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବୁଢ଼ାବଳଙ୍ଗ ଏବଂ ଜମ୍ଭୀରା ନଦୀରେ ଜଳସ୍ତର ବୃଦ୍ଧି ହେଉଥିବାରୁ ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ବାରିପଦା, ମୋରୋଡା ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।