ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଖାଇ ଭେଟି । ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ କାଳିଆ ସହାୟତା ପାଇଛନ୍ତି । ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୯୦୦ କୋଟି ଟଙ୍କାର ସହାୟତା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ରବି ଫସଲ ପାଇଁ ଏହି କାଳିଆ ସହାୟତା ଦିଆଯାଇଛି । ପ୍ରତ୍ୟେକ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟଙ୍କୁ ୨୦୦୦ ଟଙ୍କା ଦିଆଯାଇଛି । ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୬୮ ହଜାର ୭୫୦ ଜଣ ଭୂମିହୀନ ଚାଷୀ ଅଛନ୍ତି ।
କାଳିଆ ସହାୟତା ରାଶି ପ୍ରଦାନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ପଶ୍ଚିମ ଓଡ଼ିଶାର ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଆମର ଗୌରବ । ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ବାଭିମାନର ବଞ୍ଚି ରୁହନ୍ତୁ । ବିକାଶରେ ସଫଳତାରେ ଚାଷୀ ସାମିଲ ହୁଅନ୍ତୁ । ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧୨,୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । କାଳିଆ ସହାୟତାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧାସଳଖ ସହାୟତା ଦିଆଯାଉଛି । ଏହାଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।