ଓଡିଶା

odisha

ମିଶନ ଶକ୍ତିର ମେଗା ଋଣ ମେଳା, ୨୭୪୩ଟି SHGକୁ ଋଣ ପ୍ରଦାନ

By

Published : Nov 20, 2022, 10:42 AM IST

ଖୋର୍ଦ୍ଧାରେ ମିଶନ ଶକ୍ତି ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ମୋଟ ୨୭୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୬ କୋଟି ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ମିଶନ ଶକ୍ତି ମେଗା ଋଣ ମେଳା
ମିଶନ ଶକ୍ତି ମେଗା ଋଣ ମେଳା

ଖୋର୍ଦ୍ଧା: ମିଶନ ଶକ୍ତି ମେଗା ଋଣ ମେଳା ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ସାରା ରାଜ୍ୟରେ ସ୍ବୟ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟାମାନଙ୍କୁ ନେଇ ମିଶନ ଶକ୍ତି କାର୍ଯ୍ୟ କରୁଛି । ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କ ସଂପୃକ୍ତି ଦ୍ବାରା ଉନ୍ନତି ସାଧିତ ହୋଇ ପାରିବ ବୋଲି କହିଥିଲେ ଖୋର୍ଦ୍ଧା ବିଧାୟକ ।

ମିଶନ ଶକ୍ତି ମେଗା ଋଣ ମେଳା

ସେହିଭଳି ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମିଶନ ଶକ୍ତି ଦ୍ବାରା ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଫଳ ହୋଇପାରିଛନ୍ତି । ସେମାନଙ୍କ ଦ୍ବାରା ହିଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ସେ କହିଥିଲେ । ଲକ୍ଷ୍ୟ ଓ ନିଷ୍ଠା ରଖି କାର୍ଯ୍ୟ କଲେ ସଫଳତା ହାସଲ ଅସମ୍ଭବ ନୁହେଁ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଜିଲ୍ଲାପାଳ। ସୀମିତ ସମ୍ବଳରୁ ସାଧୁତାର ସହ ଜୟଯାତ୍ରା ଆରମ୍ଭ କଲେ ଆଗାମୀ ପିଢି ପାଇଁ ମାର୍ଗଦର୍ଶକ ହୋଇ ପାରିବା ନେଇ ସେ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଏଲଡିଏମ୍ ଦିଲ୍ଲିପ କୁମାର ଭୂୟାଁ, ଭାରତୀୟ ଷ୍ଟେଟବ୍ୟାଙ୍କ ଡିଜିଏମ୍ ମନମୋହନ ସ୍ବାଇଁ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:Encounter In Anantnag: ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଏହି ଅବସରରେ ଜିଲ୍ଲାର ମୋଟ ୨୭୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୬ କୋଟି ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ପୂର୍ବରୁ ୧୦୦ କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିମଧ୍ୟରୁ ୮୯୯ଟି ଗୋଷ୍ଠୀକୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଋଣ ପ୍ରଦାନ କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସହଯୋଗ କରିବା କ୍ଷେତ୍ରରେ ସର୍ବୋତ୍ତମ ବ୍ୟାଙ୍କ ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଉତ୍ତମ ବ୍ଲକ ଭାବେ ବାଲିଅନ୍ତା, ବୋଲଗଡ, ଖୋରଧା ଓ ବିଏମସି-୧କୁ ପୁରସ୍କୃତ କରାଯାଇଛି ।

ସେହିଭଳି ୧୦ ଜଣ ବ୍ୟାଙ୍କ ମିତ୍ର, ୧୩ଟି ବ୍ୟାଙ୍କ ଶାଖାକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀ, ଜଣେ ବ୍ୟାଙ୍କ ମିତ୍ର ଓ ଜଣେ ବ୍ୟାଙ୍କ ମ୍ୟାନେଜର ସେମାନଙ୍କ ଅନୁଭୂତି ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ବାରା ମିଶନ ଶକ୍ତି ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details