ଭୁବନେଶ୍ବର:ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ଶ୍ରେଣୀଗୃହ ଅଭାବରୁ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ସେହିପରି ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗରେ ୬୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଏହାକୁ ଦୃଷ୍ଟିରେ ରଖି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରୁ ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜକୁ ଅଲଗା କରାଯିବ । ଏନେଇ କୁଳପତିଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କଲା ଉଚ୍ଚଶିକ୍ଷା ବିଭାଗ ।
ସୂଚନା ଅନୁସାରେ, ଗୋଟିଏ କ୍ୟାମ୍ପସରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାଲିଥିବାରୁ ଛାତ୍ରଛାତ୍ରୀ ସ୍ଥାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବିଶ୍ବବିଦ୍ୟାଳୟର କିଛି ଯାଗା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ଦିଆଯାଇଛି । ଏହି କାରଣରୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ରକ୍ଷଣାବେକ୍ଷଣ ଏବଂ ସମ୍ପ୍ରସାରଣ କାର୍ଯ୍ୟ ପ୍ରଭାବିତ ହେଉଛି । ତେଣୁ ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯେ କୌଣସି ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଶ୍ରେଣୀଗୃହ ଏବଂ ଜାଗା ବିଶ୍ବବିଦ୍ୟାଳୟର ବ୍ୟବହାର ପାଇଁ ମୁକ୍ତ କରିବାକୁ କୁଳପତି ଅନୁରୋଧ କରିଛନ୍ତି।
ପ୍ରକାଶ ଥାଉକି, ସେହିପରି ଜୁଲାଇ ମାସରେ ରମାଦେବୀ ବିଶ୍ଵବିଦ୍ୟାଳୟରେ ଥିବା ରମାଦେବୀ ଜୁନିଅର କଲେଜ ଅଲଗା ହେବା ନେଇ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ତିୟା। ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଲାଗି କରି ଥିବା ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାନାନ୍ତର ହେବ। ତେବେ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ସହିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ମିଶ୍ରଣ ହେବ। ଏହାକୁ ନେଇ ଅଭିଭାବକମାନେ ତୀବ୍ର ବିରୋଧ କରିଥିଲେ।