ଓଡିଶା

odisha

ଜାଲ ସାର୍ଟିଫିକେଟ ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ବିଜୟ

By

Published : Apr 11, 2023, 9:56 PM IST

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଯାଇ ସାକ୍ଷାତ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ମିଳିପାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ସେପଟେ ଜାଲ ସାର୍ଟିଫିକେଟ ନେଇ ସରକାରଙ୍କୁ ଟାର୍ଗେଟ କରିବା ସହ ଉଭୟ କ୍ରାଇମହ୍ରାଞ୍ଚ ଓ CBIର ସ୍ବଚ୍ଛତା ଉପରେ ଉଠାଇଲେ ପ୍ରଶ୍ନ । ଅଧିକ ପଢ଼ନ୍ତୁ

ଜାଲ ସାର୍ଟିଫିକେଟ ମାମଲାରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ଜାଲ ସାର୍ଟିଫିକେଟ ମାମଲାରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଜାଲ ସାର୍ଟିଫିକେଟ ମାମଲାରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ଼ କରିବା ସହିତ ଦଳକୁ ଲୋକଙ୍କ ବିଶ୍ବାସଭାଜନ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଦୁର୍ବଳ ହୋଇ ରାଜ୍ୟରେ ସତ୍ତା ହରାଇ ପଡ଼ିରହିଥିବା କଂଗ୍ରେସ ପାଇଁ ସଞ୍ଜିବନୀର ସମ୍ଭାବନା ଆଣି ଦେଇଛନ୍ତି ବିଜୟ । ବିଶେଷ କରି ଜଣେ ପରେ ଜଣେ ଦଳର ପୁରୁଖା ନେତାଙ୍କ ଘରକୁ ଯାଇ ଦଳର ରଣନୀତି ନେଇ ଆଲୋଚନା କରୁଛନ୍ତି ନୂଆକରି କଂଗ୍ରେସରେ ସାମିଲ ହୋଇଥିବା ବିଜୟ ପଟ୍ଟନାୟକ । ନିକଟରେ ଜୟଦେବ ଜେନାଙ୍କୁ ଭେଟିଥିଲେ । ଆଉ ଆଜି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବିଜୟ ।

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ହେବେ ବିଜୟ !: ଆଜି ଅପରାହ୍ନରେ ନୟାପଲ୍ଲୀ ଅଞ୍ଚଳରେ ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚିଥିଲେ ବିଜୟ ପଟ୍ଟନାୟକ । ଉଭୟ ନେତା ବେଶ୍ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଲୋଚନା ପରେ ବିଜୟ ପଟ୍ଟନାୟକ କହିଛନ୍ତି, "ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । ଏଥିରେ ଦଳୀୟ ପ୍ରସଙ୍ଗ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଝାରସୁଗୁଡା ଉପନିର୍ବାଚନ ଆସନରେ କେମିତି ଦଳକୁ ମଜବୁତ କରି ସେଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ, ସେନେଇ ଆଲୋଚନା ହୋଇଛି ।" ସେହିଭଳି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ବିଜୟ ପଟ୍ଟନାୟକ କଂଗ୍ରେସକୁ ଆସିବା ପରେ ଦଳର ବିଭିନ୍ନ ନେତାଙ୍କୁ ଭେଟିବା ଉଦ୍ୟମ ପ୍ରଶଂସନୀୟ । ପୂର୍ବରୁ ବିଜୟ ପଟ୍ଟନାୟକ ବିଧାୟକ ସୁର ରାଉତରାୟ, ପଞ୍ଚାନନ କାନୁନ୍‌ଗୋ, ଜୟଦେବ ଜେନା, ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ଭଳି ନେତାଙ୍କୁ ତାଙ୍କ ବାସଭବନକୁ ଯାଇ ଭେଟିଛନ୍ତି । ଏହାଦ୍ବାରା ହତାଶ ହୋଇପଡ଼ିଥିବା କଂଗ୍ରେସ ନେତା ଓ କର୍ମୀମାନେ ଉତ୍ସାହିତ ହୋଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୟ ଦଳକୁ ସଜାଡିବାକୁ ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ କିଭଳି ରାଜ୍ୟରେ ଲୋକଙ୍କ ବିଶ୍ବାସ ଜିତିବ, ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଭୋଟର ପରଖିବେ ଓ କଂଗ୍ରେସ କ୍ଷମତାକୁ ଆସିବ, ସେନେଇ ମିଳିତ ଚେଷ୍ଟା କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ।" ତେବେ ବିଜୟ ପଟ୍ଟନାୟକଙ୍କୁ ପିସିସିର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେବା ନେଇ ଆଲୋଚନା ହୋଇଛି ।

'ଜାଲ ସାର୍ଟିଫିକେଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ': ଅନ୍ୟପଟେ କିଛିଦିନ ହେବ ରାଜ୍ୟରେ ଜାଲ ସାର୍ଟିଫିକେଟ କାରବାର ଚାଲିଥିବା ଗୁମର ଖୋଲୁଛି । ଗତକାଲି ଡାକ ବିଭାଗ ଜାଲ ସାର୍ଟିଫିକେଟ ଘଟଣାର ତଦନ୍ତ CBI କରୁ ବୋଲି ଆବେଦନ କରିବା ପରେ ଏବେ ଅଡ଼ୁଆ ବଢୁଛି । ଯାହାକୁ ନେଇ ରାଜନୈତିକ ଦଳର ସମ୍ପୃକ୍ତି ଥିବା ମଧ୍ୟ ଆଲୋଚନା ହେଉଛି । ଗୋଟିଏ ପଟେ ରାଜ୍ୟ ସରକାର ଏହାର ତଦନ୍ତ କ୍ରାଇମମବ୍ରାଞ୍ଚ ଦ୍ବାରା କରୁଛନ୍ତି, ସେପଟେ ଡାକ ବିଭାଗ CBIକୁ ତଦନ୍ତ ଦାୟିତ୍ବ ଦିଆଯିବାକୁ ଆବେଦନ କରିବା ପରେ ଏହାକୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନାହିଁ । ଏନେଇ ରାଜ୍ୟ ସରକାରଙ୍କ କ୍ରାଇମମବ୍ରାଞ୍ଚ ଏବଂ କେନ୍ଦ୍ର ସରକାରଙ୍କ CBIର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜୟ ପଟ୍ଟନାୟକ । ସେ କହିଛନ୍ତି, "ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ଦୋଷୀ ବିରୋଧରେ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ହେଉ । ଯେଉଁମାନେ ପିଲାଙ୍କ ଜୀବନ ସହ, ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ । କିନ୍ତୁ ସରକାର ଏଠାରେ ଅନ୍ଧ, ମୁକ ଓ ବଧିର ହୋଇ ବସିଛନ୍ତି । ସରକାର ଯୁବବର୍ଗଙ୍କ ଜୀବନ ସହ ଯେଉଁଭଳି ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ ।"

'ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଠିକ ନୁହେଁ': ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, "ଦେଶର ସବୁ ନେତା ଓ ମନ୍ତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ହେବା ଦରକାର । ଏହା ସହିତ ତୁରନ୍ତ CBI ତଦନ୍ତ ହେବ ଆବଶ୍ୟକ । ରାଜ୍ୟରେ ଗୁଣି ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ଖେଳିବା ଠିକ ନୁହେଁ । ଏହାର ରାଜ୍ୟବ୍ୟାପୀ ତଦନ୍ତ ହେବାର ଆବଶ୍ୟକତା ରହିଛି । କୃତି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆନଯାଉ । ସେମାନଙ୍କ ଭବିଷ୍ୟତ ପାଇଁ ଜାଲ ସାର୍ଟିଫିକେଟ ତଦନ୍ତ ତୁରନ୍ତ କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details