ଓଡିଶା

odisha

ହାଇଟେକ୍‌ ମେଡିକାଲ ମାଲିକଙ୍କ ଗିରଫ ଦାବି କଲା ବିଜେପି

By ETV Bharat Odisha Team

Published : Jan 5, 2024, 10:18 PM IST

BJP on Hi-Tech Medical incident: ହାଇଟେକ୍‌ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ହସ୍ପିଟାଲ ମାଲିକ ବିଜେଡି ଦଳର ହୋଇଥିବାରୁ ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ...

ହାଇଟେକ୍‌ ମେଡିକାଲ ମାଲିକଙ୍କ ଗିରଫ ଦାବି କଲା ବିଜେପି
ହାଇଟେକ୍‌ ମେଡିକାଲ ମାଲିକଙ୍କ ଗିରଫ ଦାବି କଲା ବିଜେପି

ହାଇଟେକ୍‌ ମେଡିକାଲ ମାଲିକଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ବର: ହାଇଟେକ୍‌ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି । ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ମଧ୍ୟ ଜୋରଦାର ହୋଇଛି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସଙ୍ଗ କରି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ହାଇଟେକ୍‌ ମେଡିକାଲ କଲେଜର ମାଲିକଙ୍କ ଉପରେ କାହିଁକି ଏବେ ଯାଏଁ ହତ୍ୟା ମାମଲା ରୁଜୁ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ହସ୍ପିଟାଲ ମାଲିକ ବିଜେଡି ଦଳର ହୋଇଥିବାରୁ ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରି ରାଜ୍ୟ ସରକାର ଦିଅନ୍ତୁ ବୋଲି ଦାବି କରିଛି ଦଳ ।

ସେହିପରି ଆଇଟି ରେଡ୍‌ ପ୍ରସଙ୍ଗରେ ମନୋଜ କହିଛନ୍ତି, "ଓଡ଼ିଶାରେ ମଦ ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍‌ ହେବା ଏବଂ 350 କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାକୁ ମାସେ ପୁରିଲା । ହେଲେ 350 କୋଟି ଟଙ୍କା କାହାର ଏବେ ଯାଏଁ ଜଣାପଡିଲା ନାହିଁ । ସାହୁ ବ୍ରଦର୍ସ ସହ ବିଜେଡିର ସମ୍ପର୍କ କଣ ? ଯଦି ମୁଖ୍ୟମନ୍ତ୍ରୀ ନିଜକୁ ସ୍ଵଚ୍ଛ ଭାବୁଛନ୍ତି, ତେବେ ଜଷ୍ଟିସ ଅରିଜିତ ପଶାୟତ ଉପାଧ୍ୟକ୍ଷ ଥିବା (SIT ON BLACK MONEY) ଦ୍ଵାରା ତଦନ୍ତ କରିବା ପାଇଁ ଚିଠି ଲେଖନ୍ତୁ । ଡିସେମ୍ବର 5 ତାରିଖରେ ବିଡା ବିଡା ଟଙ୍କା ବାହାରିଲା । କିନ୍ତୁ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ସହ କାହାର ସମ୍ପର୍କ ଥିଲା, ତାହା ଏବେ ଯାଏଁ ଜଣାପଡିଲା ନାହିଁ । ନିଜେ ଧୀରଜ ସାହୁ ମହୁଲ କିଣିବା ପାଇଁ ଏତେ ପରିମାଣରେ ଅର୍ଥ ଜମା କରିଥିଲେ । କିଛି ଅର୍ଥ ମହୁଲ ଚାଷୀଙ୍କୁ ଓ ଆଉ ବାକି ଅର୍ଥ ରାଜ୍ୟ ସରକାରଙ୍କ ମଦ ନୀତି ଅନୁସାରେ ରାଜସ୍ବ ଦେବା ପାଇଁ ଟଙ୍କା ରଖିଥିଲେ । ଯଦି ମହୁଲ ଚାଷୀଙ୍କ ଟଙ୍କା ବାକି ଅଛି, ତେବେ ସେମାନଙ୍କୁ ତୁରନ୍ତ ଅର୍ଥ ଦିଆଯାଉ ।" ଏହାସହ ଏହି ଅର୍ଥ ସରକାରଙ୍କୁ ରାଜସ୍ବ ଦେବା ପାଇଁ ରଖାଯାଇଥିଲା ନା ବିଜେଡିକୁ ଫଣ୍ଡିଂ ଦେବା ପାଇଁ ଥିଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଜ୍ୟୋତି ରଞ୍ଜନ ମଲ୍ଲିକ ମୃତ ନା ଜୀବିତ, ଦ୍ବନ୍ଦ୍ୱରେ ପରିବାର

ସେ ଆହୁରି କହିଛନ୍ତି, "ସମଗ୍ର ଦେଶରେ ପ୍ରଥମ ଥର ପାଇଁ ସବୁଠୁ ବଡ ମାତ୍ରାରେ କଳା ଟଙ୍କା ଜବତ ହେବା ଘଟଣାକୁ ଆଜି ମାସେ ପୁରିଲା । ସମଗ୍ର ଦେଶରେ ଓଡିଶାକୁ ନିନ୍ଦିତ କରିଥିବା ଏହି ଘଟଣାରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦଟିଏ କହିନାହାନ୍ତି, ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ବାସ୍ତବରେ ବିଜେଡିର ଦଳୀୟ ଚାନ୍ଦା ପାଇଁ ଏହି କଳାଟଙ୍କା ଗଚ୍ଛିତ ରଖାଯାଇଥିଲା ଏବଂ ଏହି କାରଣରୁ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି । କେଉଁ ସରକାରୀ ପଲିସି ପାଇଁ କଳାଟଙ୍କା ଗଚ୍ଛିତ ଥିଲା, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଆବଶ୍ୟକ ।" ଏପରିକି ଏସ୍‌ଆଇଟି ଅନ୍‌ ବ୍ଲାକ୍‌ ମନି ଦ୍ବାରା ତଦନ୍ତ କରିବା ପାଇଁ ନିଜକୁ ସ୍ବଚ୍ଛ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ବିହୀତ ପଦକ୍ଷେପ ନିଅନ୍ତୁ ବୋଲି ମନୋଜ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details