ଭୁବନେଶ୍ୱର:ଦେଶରେ ଧାନ ଉତ୍ପାଦନ କରିବାରେ ଓଡ଼ିଶା ହେଉଛି ଚତୁର୍ଥ ବୃହତ୍ତମ ରାଜ୍ୟ । ତେଣୁ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ଦଳର ବରିଷ୍ଠ ନେତା ତଥା ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କ ଚିଠିକୁ ସ୍ୱାଗତ କରିଛନ୍ତି ।
ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଷୁନା ଚାଉଳ ଉଠେଇବ ଲାଗି କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିବା ଭଲ କଥା । ଏଫସିଆଇ ଯଦି ଓଡ଼ିଶାକୁ ଆସିବ ଓ ବଳକା ଉଷୁନା ଚାଉଳ ଉଠେଇବ ଭଲ କଥା । ଏଫସିଆଇ ଉଷୁନା ଚାଉଳ ସଂଗ୍ରହରେ ଓଡ଼ିଶାକୁ ପଛରେ ରଖୁଥିଲା । ଆମକୁ ଅବହେଳା ଓ ହତାଦର କରୁଥିଲା । ଏଫସିଆଇ ପୁଣି ଆସିବାକୁ କେନ୍ଦ୍ର ମନ୍ତ୍ରୀ ସ୍ୱର ଉଠାଇଲେ ଠିକ କଥା । ସେହିପରି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଲୋକଙ୍କ ଆବଶ୍ୟକତା କଥାକୁ କେନ୍ଦ୍ର ବୁଝୁନାହିଁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ଏବେ କେନ୍ଦ୍ର ମନ୍ତ୍ରୀଙ୍କର ନିଦ ଭାଙ୍ଗିଲା । ବିଳମ୍ବ ହେଲେ ବି ଉଷୁନା ଚାଉଳ ଉଠିବା କଥା ।
ଗତକାଲି କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ଖରିଫ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ସଂଗ୍ରହ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ । ଏଥିପାଇଁ ଏଫସିଆଇକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ ଯେ, ଧାନ ଉତ୍ପାଦନ କରିବାରେ ଓଡ଼ିଶା ହେଉଛି ଦେଶର ଚତୁର୍ଥ ବୃହତ୍ତମ ରାଜ୍ୟ । ଖରିଫ ବିପଣନ ଋତୁ ୨୦୨୩-୨୪ ରେ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି । ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବା କାରଣରୁ ରାଜ୍ୟରୁ ମୋଟ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସାହାଯ୍ୟରେ ଓଡ଼ିଶାର ଲକ୍ଷାଧିକ ଚାଷୀ ଧାନ ସଂଗ୍ରହ ମାଧ୍ୟମରେ ଭଲ ଲାଭ ପାଇବା ନେଇ ଆଶା ରଖିଛନ୍ତି ।