ଓଡିଶା

odisha

ବିଜେଡିରୁ ବହିଷ୍କୃତ ନେତାଙ୍କୁ କୋଳେଇ ନେଉଛନ୍ତି ଧର୍ମେନ୍ଦ୍ର: ସସ୍ମିତ

By ETV Bharat Odisha Team

Published : Aug 28, 2023, 9:11 PM IST

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟପ୍ପଣୀକୁ ବିଜେଡିର କାଉଣ୍ଟର । ପ୍ରଶାନ୍ତ ଜଗଦେବଙ୍କ ଘଟଣାରେ ଧର୍ମେନ୍ଦ୍ରଙ୍କ ଦୋମୁହାଁ ନୀତି ଧରାପଡିଛି ବୋଲି ଅଭିଯୋଗ କଲା ବିଜେଡି । ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବିଦା ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ବିଜେପିର ଗେହ୍ଲାପୁଅ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢ଼ନ୍ତୁ

ବିଜେଡିରୁ ବହିଷ୍କୃତ ନେତାଙ୍କୁ କୋଳେଇ ନେଉଛନ୍ତି ଧର୍ମେନ୍ଦ୍ର
ବିଜେଡିରୁ ବହିଷ୍କୃତ ନେତାଙ୍କୁ କୋଳେଇ ନେଉଛନ୍ତି ଧର୍ମେନ୍ଦ୍ର

ବିଜେଡିରୁ ବହିଷ୍କୃତ ନେତାଙ୍କୁ କୋଳେଇ ନେଉଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ବର: ବିଜେଡିରୁ ବହିଷ୍କୃତ ନେତାଙ୍କୁ ଆପଣେଇବାକୁ ବିଜେପିର ସଜବାଜ ! ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବିଦା ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରେ ସାମିଲ କରିପାରେ ବିଜେପି । ତେବେ ପ୍ରଶାନ୍ତ ଜଗଦେବଙ୍କ ଘଟଣାରେ ଧର୍ମେନ୍ଦ୍ରଙ୍କ ଦୋମୁହାଁ ନୀତି ଧରାପଡିଛି ବୋଲି ଅଭିଯୋଗ କରିଛି ବିଜେଡି । ଧର୍ମେନ୍ଦ୍ରଙ୍କ ମୁହଁରେ ଗଣତନ୍ତ୍ର ସୁରକ୍ଷା ଉବାଚ ଶୋଭା ପାଉନାହିଁ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ବାସ କରେ ନାହିଁ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟିଏ ଉଦାହରଣ ଦେଇ ସସ୍ମିତ କହିଛନ୍ତି, "ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର ୨୦୨୧ରେ ବାଲୁଗାଁରେ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ପ୍ରଶାନ୍ତ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ । ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ । ଜିଲ୍ଲା ଯୋଜନା ବୋର୍ଡ ପଦରୁ ମଧ୍ୟ ବହିଷ୍କାର କରିଥିଲେ । କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦିକୁ ପ୍ରଶ୍ରୟ ଦିଅନ୍ତି ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...Dharmendra Reacts to Attack on Aparajita: ପୁଣି ଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଲେ ଧର୍ମେନ୍ଦ୍ର

ହେଲେ ସେହି ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଇବା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ପରେ ସେ ଏବେ ବିଜେପିର ଗେହ୍ଲାପୁଅ ଏବଂ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସସ୍ମିତ ଅଭିଯୋଗ କରିଛନ୍ତି । ଧର୍ମେନ୍ଦ୍ର ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି ? ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ, କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି ? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକଦେଖାଣିଆ ବୋଲି ଓଡିଶାବାସୀ ଜାଣିସାରିଲେଣି ।"

ଏହା ମଧ୍ୟ ପଢ଼ନ୍ତୁ...ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଲୋକସେବାକୁ ବିରୋଧ କରାଯାଉଛି

ଉଲ୍ଲେଖଯୋଗ୍ୟ, ଆଜି ଧର୍ମେନ୍ଦ୍ର ପୁଣି ଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଥିଲେ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧକୁ ବିଜେଡିର ପ୍ରାୟୋଜିତ ବିରୋଧ କହି ଶାସକ ଦଳ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ସଂଖ୍ୟା ବଳ ଅଛି ବୋଲି ପ୍ରତିପକ୍ଷଙ୍କୁ ଅପମାନିତ କରିବା ଠାରୁ ଜଘନ୍ୟ କଥା କିଛି ନାହିଁ ବୋଲି ସେ କହିଥିଲେ । ବିରୋଧ ରାଜନୈତିକସ୍ତରରେ କରାଯାଉ, ସରକାରୀ ଅଧିକାରୀମାନେ ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ୍ତ ରୁହନ୍ତୁ ବୋଲି ସେ କହିଥିଲେ । ଏହାର ପ୍ରତିକ୍ରିୟା ରଖିଛନ୍ତି ସସ୍ମିତ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟିନଥିଲା, ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା ବୋଲି ସସ୍ମିତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details