ଓଡିଶା

odisha

BSKYର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଆୟୋଜନ ହେବ ତାଲିମ ଓ ଅନୁପ୍ରେରଣା ଶିବିର

By

Published : Mar 23, 2023, 7:45 AM IST

ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଆହୁରି ଉନ୍ନତ କରିବା ପାଇଁ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ତୃଣମୂଳସ୍ତରରୁ ଏବଂ ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ଠାରୁ କାର୍ଯ୍ୟ ଆରମ୍ଭ କରାଯିବ । ଅଧିକ ପଢ଼ନ୍ତୁ

ବଢୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରସାର ଓ ଲୋକପ୍ରିୟତା
ବଢୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରସାର ଓ ଲୋକପ୍ରିୟତା

ଭୁବନେଶ୍ବର: ବଢୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରସାର ଓ ଲୋକପ୍ରିୟତା । ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଆହୁରି ଉନ୍ନତ କରିବା ପାଇଁ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ଡି. ବୃନ୍ଦା ଏହି ବୈଠକରେ ଉପସ୍ଥିତ ରହିଥିଲେ । ତେବେ ଜିଲ୍ଲାସ୍ତରରେ ଜିଲ୍ଲା ସଂଯୋଜକ କାର୍ଯ୍ୟାଳୟ ଗୁଡ଼ିକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଶାସନ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳସ୍ତରରୁ ଏବଂ ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ଠାରୁ କାର୍ଯ୍ୟ ଆରମ୍ଭ କରାଯିବ ।

ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର୍, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ । ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ‘‘ସ୍ୱାସ୍ଥ୍ୟମିତ୍ର ଏବଂ ଜିଲ୍ଲା ସଂଯୋଜକମାନଙ୍କ ଦକ୍ଷତା ବୃଦ୍ଧି କରାଗଲେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ବାସ୍ତବ ସହାୟତା ଯୋଗାଯାଇ ପାରିବ । ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ଲୋକମାନଙ୍କର ଚିକିତ୍ସା ସମ୍ବନ୍ଧିତ ଅଭିଯୋଗର ଆଶୁ ସମାଧାନ ହୋଇପାରିବ ।’’ ବିଏସକେୱାଇରେ ଉଚ୍ଚ ଗୁଣାତ୍ମକ ମାନର ଚିକିତ୍ସା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରର ଥିବା ୬୨୬ଟି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରାଯାଇଛି ।

‘ମୋ ସରକାର’ ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେସବୁର ସମାଧାନ କରାଯାଇଛି । ଆଗାମୀ ବର୍ଷ ପାଇଁ ହସ୍ପିଟାଲମାନଙ୍କୁ ଅନୁବନ୍ଧିତ ବା ତାଲିକା-ଅନ୍ତର କଲା ବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା ଓ ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ବୈଠକରେ ସ୍ଥିର ହୋଇଛି ।

କ୍ଷେତ୍ରସ୍ତରରେ ସୂଚନା, ଅନୁ ପ୍ରେରଣା ଓ ସଂଯୋଜନା କାର୍ଯ୍ୟକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ସ୍ଥିର କରିବା ନିମନ୍ତେ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବିଏସକେୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ କାଉଣ୍ଟର ଖୋଲିବା, ଡିସ୍‌ଚାର୍ଜ ଓ ବିଲ୍ ପୈଠ ପାଇଁ ସଫ୍ଟୱେୟାର ନବୀକରଣ କରିବା, ଇଣ୍ଟରନେଟ ସ୍ପିଡ ବଢ଼ାଇବା ଆଦି ବଷୟରେ ସବିଶେଷ ସମୀକ୍ଷା ହୋଇଛି । ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା, ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ ଅରବିନ୍ଦ ରାଉତରାୟ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details