ଓଡିଶା

odisha

ଦିଲ୍ଲୀ ଗଲେ ଏନ୍‌ସିସି କ୍ୟାଡେଟ୍‌, ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଦେବେ ଯୋଗ

By ETV Bharat Odisha Team

Published : Dec 27, 2023, 5:36 PM IST

NCC Cadet travails Delhi: ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗ ଦେବାପାଇଁ ପ୍ରଥମ ଥର ବିମାନରେ ଯାତ୍ରା କଲେ ଏନ୍‌ସିସି କ୍ୟାଡେଟ୍‌ । ବିମାନ ସେବା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର । ଅଧିକ ପଢ଼ନ୍ତୁ

ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ଏନ୍‌ସିସି କ୍ୟାଡେଟ୍‌
ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ଏନ୍‌ସିସି କ୍ୟାଡେଟ୍‌

ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ଏନ୍‌ସିସି କ୍ୟାଡେଟ୍‌

ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି କୃତୀ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସି କ୍ୟାଡେଟ୍‌ ଛାତ୍ରୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଥମ ଥର ପାଇଁ ବିମାନରେ ଯାଇଛନ୍ତି ଏନସିସି କ୍ୟାଡେଟ୍‌ର ୨୯ ଛାତ୍ରୀ । ବିମାନ ସେବା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର ।

ଓଡ଼ିଶାର ୭୦ ହଜାର କ୍ୟାଡେଟ୍‌ଙ୍କ ମଧ୍ୟରୁ ବିଭିନ୍ନ ପ୍ରକାର ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡେଟ୍‌ଙ୍କୁ ଚୟନ କରାଯାଇଛି । ସେଥିରୁ ୨୯ ଜଣ କୃତୀ କ୍ୟାଡେଟ୍‌ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ କ୍ୟାଡେଟ୍‌ଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା । ଅନ୍ୟ କ୍ୟାଡେଟ୍‌ମାନେ ରେଳ ଯୋଗେ ନୂଆଦିଲ୍ଲୀରେ ଆଜି ପହଞ୍ଚିଛନ୍ତି । ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମନ୍ତ୍ରୀ ସମସ୍ତ କ୍ୟାଡେଟଙ୍କୁ କ୍ୟାପ୍‌ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଛନ୍ତି । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷରୁ ଓଡ଼ିଶାର କୃତୀ ଏନ୍‌ସିସି କ୍ୟାଡେଟ୍‌ଙ୍କ ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ପ୍ରଥମ ଥର ବିମାନ ଯାତ୍ରାର ସୁବିଧା ଯୋଗାଇ ଦିଆଯାଇଛି । ୨୯ ଜଣ ଝିଅ ବିମାନରେ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ପୂର୍ବରୁ କେବେ ବିମାନରେ ବସିନଥିଲେ । ସେମାନେ ସମସ୍ତେ ବହୁତ ଖୁସି ଅଛନ୍ତି । ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । ଆଗରୁ ଏ ବ୍ୟବସ୍ଥା କେବେ ନଥିଲା ।" ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭବାନୀ ଶଙ୍କର ଚୟନୀ କହିଛନ୍ତି, "ଏନସିସି ଇତିହାସର ପ୍ରଥମ ଥର ପାଇଁ ଆମେ ଆମର କ୍ୟାଡେଟ୍‌ଙ୍କୁ ବିମାନ ଯୋଗେ ଦିଲ୍ଲୀ ପଠାଉଛୁ । ଯେଉଁମାନେ ସାଧାରଣତନ୍ତ୍ର ପ୍ୟାରେଡ୍‌ ଓ ପ୍ରଧାନମନ୍ତ୍ରୀଙ୍କ ରାଲିରେ ସାମିଲ ହେବେ । ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ।"

ଏହା ମଧ୍ୟ ପଢ଼ନ୍ତୁ...କିରଗିଜସ୍ତାନରେ ଚମକିଲେ କଳାହାଣ୍ଡିର ସୁନାପୁଅ ଶୁଭମ୍

ପ୍ରତିବର୍ଷ ଜାନୁଆରୀ ୨୬ରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଯୋଗଦାନ କରିବା ପାଇଁ ଆମ ରାଜ୍ୟରୁ ଛାତ୍ରଛାତ୍ରୀଙ୍କୁ ଚୟନ କରି ନୂଆଦିଲ୍ଲୀ ପଠାଯାଇଥାଏ । ଚଳିତବର୍ଷ ଓଡ଼ିଶାର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ପରିସରରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କ୍ୟାଡେଟ୍‌ ମାନଙ୍କୁ ଡ୍ରିଲ, ଘୋଡା ଚଢା କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି, ବ୍ୟକ୍ତିତ୍ଵ ବିକାଶ ଅଭିବୃଦ୍ଧି ଶିକ୍ଷା, ସାମରିକ ଶିକ୍ଷା ଭାଷା ବିନିମୟ ଶିକ୍ଷା ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି

କର୍ଣ୍ଣେଲ ସତ୍ୟବ୍ରତ ସ୍ଵାଇଁ କହିଛନ୍ତି, "ଓଡିଶାର ପିଲାମନଙ୍କୁ ୫୦ ଦିନିଆ ଟ୍ରେନିଂ ଦିଆଯାଇଛି । ଚୟନ ପ୍ରକ୍ରିୟା ୩ଟି ସ୍ତରରେ ହୋଇଥିଲା । ସେମାନେ ବେଶ ସକ୍ଷମ । ସାଧାରଣତନ୍ତ୍ର ଦିବସରେ ଓଡିଶା ପିଲାଙ୍କ ପ୍ରଶିକ୍ଷଣ ଦେଖିବ ସାରା ଭାରତ ।" ସେହିପରି NCC କ୍ୟାଡର ଆଦ୍ୟଶା ଦାସ କହିଛନ୍ତି, "ଆମ ପାଇଁ ଏହା ଗର୍ବର ସମୟ । ପ୍ରାୟ ୨ ମାସ ଆମେ ପ୍ରସ୍ତୁତି କରିଛୁ ।" ଉଲ୍ଲେଖଯୋଗ୍ୟ, ଭାରତର ସାଧାରଣତନ୍ତ୍ର କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details