ଓଡିଶା

odisha

Naba Das Murder Case: ଦ୍ବନ୍ଦ ବଢାଇଲା RTI ରିପୋର୍ଟ, ସମାନ ପ୍ରଶ୍ନର ମିଳିଲା ଭିନ୍ନ ଉତ୍ତର

By

Published : May 28, 2023, 2:06 PM IST

ନବ ଦାସ ହତ୍ୟା ଘଟଣାରେ RTI ରିପୋର୍ଟକୁ ନେଇ ବଢିଲା ଦ୍ବନ୍ଦ । ସମାନ ପ୍ରଶ୍ନର ଦୁଇଟି ଭିନ୍ନ ଉତ୍ତର ପାଇଲେ ଦୁଇ ଆରଟିଆଇ ଆବେଦନକାରୀ । ଅଧିକ ପଢନ୍ତୁ

ନବ ଦାସ ହତ୍ୟା ଘଟଣାରେ RTI ରିପୋର୍ଟକୁ ନେଇ ଦ୍ବନ୍ଦ
ନବ ଦାସ ହତ୍ୟା ଘଟଣାରେ RTI ରିପୋର୍ଟକୁ ନେଇ ଦ୍ବନ୍ଦ

ଦ୍ବନ୍ଦ ବଢାଇଲା RTI ରିପୋର୍ଟ

କେନ୍ଦ୍ରାପଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏଫବିଆଇର ସହାୟତା ମଗାଯିବା ପ୍ରସଙ୍ଗ ନେଇ ଦ୍ବନ୍ଦ ଲାଗି ରହିଛି । ବର୍ତ୍ତମାନ ଏଫବିଆଇକୁ ନେଇ ସାମ୍ନାକୁ ଆସିଥିବା ଆରଟିଆଇ ତଥ୍ୟ ଏହି ଦ୍ବନ୍ଦକୁ ବଢାଇଛି । କେନ୍ଦ୍ରପଡାର ଜିଲ୍ଲାର ଦୁଇ ଜଣ ବ୍ୟକ୍ତି ସୂଚନା ଅଧିକାର ବଳରେ ରାଜ୍ୟ ସରକାର FBIର ସହଯୋଗ ପାଇଁ ଗୃହ ମନ୍ତ୍ରଣାଳୟକୁ କହିଥିଲେ ନା ନାହିଁ ତାହା ଜାଣିବାକୁ ଆବେଦନ କରିଥିଲେ । ହେଲେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସମାନ ପ୍ରଶ୍ନରେ ଦୁଇ ଜଣ ଭିନ୍ନ ଉତ୍ତର ପାଇଛନ୍ତି ।

୨୦୦୯ରୁ ୨୦୨୩ ଜାନୁଆରୀ ୨୯ ପର୍ଯ୍ୟନ୍ତ ଏକାଧିକ ବାର ବିଧାୟକ ଓ ମନ୍ତ୍ରୀ ହୋଇଥିବା ଝାରସୁଗୁଡାର ପାୱାରଫୁଲ ନେତା ନବ ଦାସଙ୍କ ମୃତ୍ୟୁ ଘଟଣାରେ ଦୀର୍ଘ ୪ ମାସ ପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଛି । ହତ୍ୟାକାଣ୍ଡ ପରେ ଫେବୃୟାରୀ ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତ୍ତି ରଖିଥିଲେ । ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ(FBI)ର ସହାୟତା ନିଆଯିବ । ଏଥିପାଇଁ କ୍ରାଇମବ୍ରାଞ୍ଚ ଗୃହ ମନ୍ତ୍ରଣାଳୟର ଅନୁମତି ମାଗିଥିବା ସେ କହିଥିଲେ ।

ନବ ଦାସ ହତ୍ୟା ଘଟଣାରେ RTI ରିପୋର୍ଟକୁ ନେଇ ଦ୍ବନ୍ଦ

ମାତ୍ର ମୁଖ୍ୟମନ୍ତ୍ରୀଙ୍କ କଥାରେ ସନ୍ଦେହ ହେବାରୁ କେନ୍ଦ୍ରପଡାର ଓସା ସଂଯୋଜକ ପ୍ରତାପ ମହାନ୍ତି ଆରଟିଆଇ ଜରିଆରେ ଗୃହ ମନ୍ତ୍ରଣାଳୟକୁ ଏନେଇ ତଥ୍ୟ ମାଗିଥିଲେ । ତେବେ ତାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିଲା ଉତ୍ତର ବେଶ୍ ରୋଚକ ରହିଛି । ''ଏହି ପ୍ରସଙ୍ଗ ରାଜ୍ୟ ବ୍ୟାପାର ହୋଇଥିବାରୁ କେନ୍ଦ୍ର ଗୃହ ବିଭାଗ ଏନେଇ କୌଣସି ତଥ୍ୟ ଦେଇପାରିବ ନାହିଁ'' ବୋଲି ସ୍ପଷ୍ଟ ଉତ୍ତର ମିଳିଥିବା ପ୍ରତାପ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ନବ ଦାସ ହତ୍ୟାକାଣ୍ଡର କେମିତି ତଦନ୍ତ କରାଯାଇଥିଲା, ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ

ଅନ୍ୟପଟେ କେନ୍ଦ୍ରାପଡାର ଆଉ ଜଣେ ସୂଚନାଧିକାର କର୍ମୀ କ୍ଷୀତିଶ ରୋଶନ ସିଂହ ସମାନ ପ୍ରଶ୍ନରେ ଭିନ୍ନ ଉତ୍ତର ପାଇଛନ୍ତି । ଗତ ୧୫ ତାରିଖରେ ତାଙ୍କୁ ଆବେଦନର ଉତ୍ତର ମିଳିଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, ଓଡ଼ିଶା ସରକାର FBIର ସହାୟତା ପାଇଁ କୌଣସି ଆବେଦନ କରିନାହାନ୍ତି କିମ୍ବା ଏଥିପାଇଁ ଅନୁମତି ନେଇନାହାନ୍ତି । ତେବେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ସମାନ ପ୍ରଶ୍ନର ଭିନ୍ନ ଉତ୍ତର ଆସିବାକୁ ନେଇ ଏବେ ଦ୍ବନ୍ଦ ସୃଷ୍ଟି ହୋଇଛି । ଏଠି ଦାୟୀ କିଏ ଓ କିଏ ସତ କହୁଛନ୍ତି ସେନେଇ ପ୍ରଶ୍ନ ଉଠିଛି । ଆରଟିଆଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ମିଛ ବିବୃତ୍ତି ଦେଇଥିବା କ୍ଷୀତିଶ ଅଭିଯୋଗ କରିଥିବାବେଳେ ଅନ୍ୟପଟେ ବିଜେଡି ସହ ବିଜେପି ମିଶି ଘଟଣାର ସତ୍ୟାସତ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଓସା ସଂଯୋଜକ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details