ଓଡିଶା

odisha

ବଙ୍ଗୀୟ ସମ୍ପ୍ରଦାୟର ନବକୁମାରୀ ପୂଜା, ନଅ ରୂପରେ ପୂଜା ପାଇଥାନ୍ତି ଶିଶୁକନ୍ୟା

By

Published : Oct 15, 2021, 5:30 PM IST

୩୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳୀ ସାହିରେ ପୂଜା ପାଇ ଆସୁଛନ୍ତି ମହିଷାମର୍ଦ୍ଦିନୀଙ୍କ ମୃଣ୍ମୟୀ ମୂର୍ତ୍ତି। ୩ରୁ ୯ ବର୍ଷ ବୟସର ୯ ଜଣ କୁମାରୀଙ୍କୁ ମା'ଙ୍କ ୯ଟି ରୂପରେ ପୂଜା କରିଥାନ୍ତି ବଙ୍ଗୀୟ ସମ୍ପ୍ରଦାୟ ମହିଳା । ଅଧିକ ପଢନ୍ତୁ...

ବଙ୍ଗାଳୀ ସମ୍ପ୍ରଦାୟର ନବକୁମାରୀ ପୂଜା,୯ଟି ରୂପରେ ପୂଜା ପାଇଥାନ୍ତି ଶିଶୁକନ୍ୟା
ବଙ୍ଗାଳୀ ସମ୍ପ୍ରଦାୟର ନବକୁମାରୀ ପୂଜା,୯ଟି ରୂପରେ ପୂଜା ପାଇଥାନ୍ତି ଶିଶୁକନ୍ୟା

କେନ୍ଦ୍ରାପଡ଼ା:କାଶତଣ୍ଡୀ ଫୁଲର ଅପୂର୍ବ ସମ୍ଭାରରେ ଶରତ ଋତୁକୁ ସାର୍ଥକ କରି ଧରାବତରଣ କରିଛନ୍ତି ଆଦିଶକ୍ତି ମା'ଦୂର୍ଗା। ଏନେଇ ପୀଠ ଗୁଡିକରେ ଷୋଡଶ ଉପଚାର ପୂଜା କରାଯାଉଥିବା ବେଳେ ମୃଣ୍ମୟୀ ମୂର୍ତ୍ତିକୁ ବିଲ୍ଵବରଣ କରାଯାଇ ସପ୍ତମୀ ତିଥିରୁ କରାଯାଉଛି ପୂଜାର୍ଚ୍ଚନା। ୩୦୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳୀସାହିରେ ପୂଜା ପାଇ ଆସୁଛନ୍ତି ମହିଷାମର୍ଦ୍ଦିନୀଙ୍କ ମୃଣ୍ମୟୀ ମୂର୍ତ୍ତି। ଷଷ୍ଠୀରେ ବେଲବରଣୀ,ସପ୍ତମୀରେ ଚକ୍ଷୁଦାନ, ଅଷ୍ଟମୀ ତିଥିରେ ସନ୍ଧିପୂଜା ସହ ନବମୀ ତିଥିରେ ନବମୀ ପୂଜା, କୁଷ୍ମାଣ୍ଡ ବଳି ସାଙ୍ଗକୁ କରାଯାଇଥାଏ କୁମାରୀ ପୂଜା।

ବଙ୍ଗାଳୀ ସମ୍ପ୍ରଦାୟର ନବକୁମାରୀ ପୂଜା, ମାନସିକଧାରୀଙ୍କ ଲାଗିଥାଏ ଭିଡ଼

୩ରୁ ୯ବର୍ଷ ବୟସର ୯ ଜଣ କୁମାରୀଙ୍କୁ ମା'ଙ୍କ ୯ଟି ରୂପରେ ପୂଜା କରିଥାନ୍ତି ବଙ୍ଗୀୟ ସମ୍ପ୍ରଦାୟର ଲୋକେ। କେବଳ ବଙ୍ଗୀୟ ନୁହନ୍ତି ଯେଉଁମାନେ ଏହି ମା'ଙ୍କ ନିକଟରେ କୌଣସି ମାନସିକ କରିଥାନ୍ତି ସେମାନେ ସେମାନଙ୍କ ସକ୍ଷମ ଅନୁସାରେ ନବକନ୍ୟାଙ୍କୁ ଭୋଗ ଲାଗି କରିଥାନ୍ତି।

୯ ଜଣ କନ୍ୟାଙ୍କୁ ପ୍ରଥମେ ବରଣ କରାଯାଇ ମା'ଙ୍କ ମଣ୍ଡପ ନିକଟରେ ବସାଯିବା ପରେ ସେମାନଙ୍କୁ ଓଢଣୀ, ଅଳତା, କୁମକୁମ, ଟିକିଲି, କାଚ, ଭୋଗ ଇତ୍ୟାଦି ଲାଗି କରାଯାଏ । ଏହା ପରେ ସେମାନଙ୍କୁ ବନ୍ଦାପନା କରାଯାଇଥାଏ । ଏହି ପୂଜା ଦେଖିବାକୁ ଆଖପାଖ ବିଭିନ୍ନ ଗାଁରୁ ଭକ୍ତ ମାନଙ୍କର ଭିଡ଼ ଜମେ । ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ଲୋକଙ୍କ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଏହି ମଣ୍ଡପରେ କାଳିକା ରୀତିରେ ଦୀର୍ଘବର୍ଷ ହେବ ପୂଜା ହୋଇ ଆସୁଥିବା ବେଳେ କୁମାରୀ ପୂଜନ ଉତ୍ସବ ସବୁଠୁ ନିଆରା ବୋଲି କହିଛନ୍ତି ସଭାପତି । ଅପରାଜିତା ପୂଜା କରି ମା'ଙ୍କୁ ମେଲାଣୀ ଦେବାପାଇଁ ବଙ୍ଗୀୟ ସମ୍ପ୍ରଦାୟ ପ୍ରସ୍ତୁତ ହେଉଥିବା ବେଳେ ଆସନ୍ତାବର୍ଷ ଏହି କୋଭିଡ ମହାମାରୀ ବିଶ୍ବରୁ ଦୁରେଇ ଯାଉ ବୋଲି ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ଅନ୍ୟପଟେ ରୋଗବ୍ୟାଧି ଦୂର ପାଇଁ କେବଳ ଏହି ମଣ୍ଡପରେ ଚବିଶ ପ୍ରହର ପୂଜା କରାଯାଉଥିବା କହିଛନ୍ତି ଭକ୍ତ।ଦେବୀ ମା'ଙ୍କ ଅନେକ ବେଶ ମଧ୍ୟରୁ ନବଦୂର୍ଗା ବେଶ ସମ୍ପୂର୍ଣ୍ଣ ନିଆରା ହୋଇଥିବା ବେଳେ ଆସନ୍ତାବର୍ଷ କଟକଣା ବିହୀନ ପୂଜା ହେଉ ଓ ମା'ଙ୍କ ନିକଟକୁ କୌଣସି ବାଧାବିଘ୍ନ ବିନା ଭକ୍ତଟିଏ ପ୍ରବେଶ କରିପାରୁ ଏହା ହିଁ ରହିଛି ବଙ୍ଗୀୟ ସମ୍ପ୍ରଦାୟର ପ୍ରାର୍ଥନା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details