ଓଡିଶା

odisha

ଲୁଟ ପରେ ଦୁର୍ବୃତ୍ତଙ୍କୁ ଏକାକୀ ଗୋଡ଼ାଇଲେ ୪୦କିମି, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

By

Published : Mar 30, 2023, 7:48 PM IST

ସୁନା ଚେନ୍‌ ଲୁଟ ପରେ ଯୁବକ ଜଣକ ଦୁର୍ବୃତ୍ତଙ୍କୁ ଏକାକୀ ଗୋଡ଼ାଇଲେ ୪୦କିମି । ଗୁଳିକୁ ଭୟ ନକରି ମଧ୍ୟ ଯୁବକ ଜଣକ ସେମାନଙ୍କ ପିଛା କରିଥିବାକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ

gold chain snatching in Kendrapara
gold chain snatching in Kendrapara

ଲୁଟ ପରେ ଦୁର୍ବୃତ୍ତଙ୍କୁ ଏକାକୀ ଗୋଡ଼ାଇଲେ ୪୦କିମି

କେନ୍ଦ୍ରାପଡ଼ା:ଜିଲ୍ଲାର ଜଣେ ଯୁବକଙ୍କ ସାହସିକତାକୁ ନେଇ ହେଉଛି ଚର୍ଚ୍ଚା । ଦୁର୍ବୃତ୍ତଙ୍କ ସହ ଲଢ଼ି ଦୀର୍ଘ ୪୦ କିଲୋମିଟର ପିଛା କରି ଲୁଟେରାଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ ଯୁବକ ଜଣକ । ପ୍ରୟାସରେ ବିଫଳ ହୋଇଥିଲେ ହେଁ ଏଭଳି ସାହସିକତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି । ଏହାସହ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ସୋମବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଖଇରାବାଦ ଗାଁର ପ୍ରକାଶ ନାୟକ ନିତିଦିନ ଭଳି ଜମଧରସ୍ଥିତ ଜିମ୍‌ ସେଣ୍ଟରକୁ ବ୍ୟାୟାମ କରିବା ପାଇଁ ଯାଉଥିଲେ । ଏହି ସମୟରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ରାସ୍ତା ଦୁହୁରିଆ ଫାଣ୍ଡିଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ହମ୍ପ୍‌ସ୍‌ ନିକଟରେ ଚଳାଉଥିବା ନିଜ ବୁଲେଟକୁ ସ୍ଲୋ କରିଥିଲେ । ଏହି ସମୟରେ ଏକ ନୀଳ ରଙ୍ଗର ଗ୍ଲାମର ଗାଡି ନଂ OD29F 1777ରେ ପିଛା କରି ଆସୁଥିବା ୨ଜଣ ଦୁର୍ବୃତ୍ତ ପ୍ରକାଶ ପିନ୍ଧିଥିବା ୪୦ଗ୍ରାମ ଓଜନର ଏକ ସୁନାଚେନକୁ ତାଙ୍କ ବେକରୁ ଝାମ୍ପି ନେଇଥିଲେ ।

ପ୍ରକାଶ ସୁନା ଚେନକୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗାଡିକୁ ଗୋଇଠା ମାରିବା ବେଳେ ଦୁର୍ବୃତ୍ତମାନେ ପ୍ରକାଶଙ୍କୁ ଏକ ଲୁହା ପାଇପରେ ଆକ୍ରମଣ କରିଥିଲେ । ପରେ ଦୁର୍ବୃତ୍ତ ଦ୍ବୟ ସେମାନଙ୍କ ଗ୍ଲାମର ଗାଡିକୁ ଦ୍ରୁତ ଗତିରେ ଜାତୀୟ ରାଜପଥ ଉପରକୁ ଆଣି ଛୁ ମାରିଥିଲେ। ତେବେ ଆକ୍ରମଣକୁ ଡରି ନଯାଇ ପ୍ରକାଶ ସେମାନଙ୍କ ପିଛା କରୁଥିବା ଦେଖି ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ବିଭିନ୍ନ ଛକ ଜାଗାରେ ପ୍ରକାଶ ପାଟି କରି ଦୁର୍ବୃତ୍ତଙ୍କୁ ଧରିବାକୁ ଲୋକଙ୍କୁ କହୁଥିବା ବେଳେ ଦୁର୍ବୃତ୍ତମାନେ ଗୁଳି ଚଳାଉଥିବାରୁ କେହି ସେମାନଙ୍କ ପଛରେ ଯିବାକୁ ସାହସ କରି ନଥିଲେ।

ଏହା ବି ପଢନ୍ତୁ- କ୍ରାଇମ ସିରିୟଲ ଦେଖି ଯୁବତୀଙ୍କୁ ହତ୍ୟା କରିଥିଲା ଅନ୍ୟ ଏକ ଯୁବତୀ, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ତେବେ ଡେରାବିଶ ଥାନା ପଞ୍ଚୁପାଣ୍ଡଵ ଛକ ନିକଟରୁ ଦୁର୍ବୃତ୍ତମାନେ ଗାଁ ଭିତରେ ପଶିଯିବାରୁ କିଛି ସମୟ ପାଇଁ ବାଟବଣା ହୋଇଥିଲେ ମଧ୍ୟ ପ୍ରକାଶ ସେମାନଙ୍କ ପିଛା ଛାଡି ନଥିଲେ। ଶେଷରେ ଦୁର୍ବୃତ୍ତମାନେ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା ଅଞ୍ଚଳରେ ସେମାନଙ୍କ ଗାଡିକୁ ଛାଡି ପାଣି ଭିତରେ ପଶି ଫେରାର ହେବାରେ ସମର୍ଥ ହୋଇଥିଲେ। ଗୋଟିଏ ପଟେ ଦୁହୁରିଆରୁ ଭଦ୍ରେଶ୍ବର ପର୍ଯ୍ୟନ୍ତ ଦୀର୍ଘ ୪୦ କିଲୋମିଟର ପ୍ରକାଶ ଏକାକୀ ଦୁର୍ବୃତ୍ତଙ୍କ ପିଛା କରିଥିବା ବେଳେ ସନ୍ଧ୍ୟା ସମୟ ହୋଇଥିଲେ ମଧ୍ୟ ଜାତୀୟ ରାଜପଥ ଉପରେ ନା ଥିଲା ପୋଲିସ ନା ପାଟ୍ରୋଲିଂ ଭ୍ୟାନ ।

ଯେଉଁଥିପାଇଁ କି ଦୁର୍ବୃତ୍ତମାନେ ନିର୍ଭୟରେ ଖସିଗଲେ ବୋଲି କହିଛନ୍ତି ପ୍ରକାଶ। ଏହି ୪୦ କିମି ମଧ୍ୟରେ ଦୁହୁରିଆ ଫାଣ୍ଡି, ସଦର ଥାନା, ଛତା ପୋଲିସ ବିଟ ହାଉସ, ଡେରାବିଶ ଥାନା ଭଳି କେନ୍ଦ୍ରାପଡା ଜିଲ୍ଲାର ନାମୀଦାମୀ ପୋଲିସ ପୋଷ୍ଟ ଓ ପାଟ୍ରୋଲିଂ ଥିବାବେଳେ ସୋମବାର ଏହି ପାଟ୍ରୋଲିଂ କୁଆଡେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ । ତେବେ ନିଜ ଜୀବନକୁ ବାଜି ଲଗାଇ ଦୁର୍ବୃତ୍ତଙ୍କ ପିଛା କରିବା ଓ ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ଚିହ୍ନଟ କରାଇବାରେ ସହାୟତା ପ୍ରଦାନ କରୁଥିବାରୁ ପୋଲିସ ବିଭାଗ ପ୍ରକାଶଙ୍କୁ ସାଧୁବାଦ ଜଣାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details